ଛେନାପଦି ଛକରେ ଥିବା ଜଣେ ବ୍ୟକ୍ତିଙ୍କ ଗାଡ଼ି ଘରେ ନିଆଁ ଲଗାଇଲେ ଦୁର୍ବୁତ୍ତ, ହୁତୁ ହୁତୁ ହୋଇ ଜଳିଗଲା ୩ ସ୍କୁଟି ଓ ଗୋଟିଏ ବୁଲେଟ
ହାଟଡିହି,(ବିକାଶ ବିଶ୍ୱାଳ ):କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଧିନସ୍ଥ ଛେନାପଦି ଛକରେ ଥିବା ଜଣେ ବ୍ୟକ୍ତିଙ୍କ ଗାଡ଼ି ଘରେ ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ନିଆଁ ଲଗାଇ ଦେବାରୁ ହୁତୁ ହୁତୁ ହୋଇ ଜଳିଗଲା ୩ ସ୍କୁଟି ଓ ଗୋଟିଏ ବୁଲେଟ। ଅଭିଯୋଗ ଅନୁଯାୟୀ ଅନୁଯାୟୀ ଛେନାପଦି ଛକ ପେଟ୍ରୋଲ ପମ୍ପ ପଛପଟେ ରହୁଥିବା ରବିନ୍ଦ୍ର ବରାଳ ତାଙ୍କ ଘରକୁ କିଛି ବ୍ୟକ୍ତିଙ୍କୁ ଭଡା ସୂତ୍ରରେ ଦେବା ସହ ନିଜେବି ରହୁଥିଲେ। ଗତକାଲି ବିଳମ୍ବିତ ରାତିରେ ହଠାତ ଶବ୍ଦ ହେବାରୁ ବାହାରକୁ ଆସି ଦେଖନ୍ତି ତ ତାଙ୍କ ଗାଡି ଗ୍ୟାରେଜରେ ଥିବା ବାଇକ ଗୁଡିକ ହୁତୁ ହୁତୁ ହୋଇ ଜଳୁଛି। ନିଆଁ ର ପ୍ରକୋପ ଏତେ ଅଧିକ ଥିଲା ଯେ ସେମାନେ ଘରୁ ବାହାରକୁ ବାହାରି ପାରି ନଥିଲେ। ସେମାନେ ତୁରନ୍ତ ଅଗ୍ନିଶମ ବିଭାଗକୁ ଜଣାଇବା ପରେ ହାଟଡ଼ିହି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ କରିଥିଲା। ଗାଡି ଘର ପାଖରେ ବିଦ୍ୟୁତ ନଥିବା ନିଆଁ ଲାଗିବାର କୌଣସି କାରଣ ମଧ୍ୟ ନଥିଲା। ତେଣୁ କେହି ଦୁର୍ବୁତ୍ତ ପେଟ୍ରୋଲ ଢାଳି ନିଆଁ ଲଗାଇ ଥାଇପାରେ ବୋଲି ସେମାନେ ସନ୍ଦେହ କରୁଛନ୍ତି। କାରଣ ଜଣେ ବ୍ୟକ୍ତି ଗତ କିଛିଦିନ ହେଲା ପାଟିତୁଣ୍ଡ କରୁଥିବାରୁ ସେହି ବ୍ୟକ୍ତି ଏପରି କରିଥିବା ସନ୍ଦେହ କରୁଛନ୍ତି। ଏନେଇ ରବିନ୍ଦ୍ର ଙ୍କ ପରିବାର ଲୋକେ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି।