ଅନୁଗୋଳ ଓ ଢେଙ୍କାନାଳରେ ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ଶୋଭାଯାତ୍ରାରେ କେନ୍ଦ୍ରମନ୍ତ୍ରୀ

ଅନୁଗୋଳ/ଢେଙ୍କାନାଳ, (ଯୁଗାବ୍ଦ ନ୍ୟୁଜ) : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଢେଙ୍କାନାଳ ସାଂସଦ ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଏବଂ ଅନୁଗୋଳ ବିଧାୟକ ପ୍ରାର୍ଥୀ ପ୍ରତାପ ପ୍ରଧାନ ଏବଂ ଛେଣ୍ଡିପଦା ବିଧାୟକ ପ୍ରାର୍ଥୀ ଅଗସ୍ତି ବେହେରାଙ୍କ ପୃଥକ ନାମାଙ୍କନ ଶୋଭାଯାତ୍ରାରେ ସାମିଲ ହୋଇ ସ୍ଥାନୀୟ ଜନସାଧାରଣଙ୍କୁ ପଦ୍ମଫୁଲରେ ଭୋଟ ଦେବାକୁ ନିବେଦନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟକୁ ଦୋହରାଇ କହିଛନ୍ତି, ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶା କାହିଁକି ବିକାଶର ସବୁ ପରିଭାଷାରେ ପଛରେ ରହିଛି । ଗାଁରେ ପିଇବା ପାଣି ନାହିଁ । ଜମିରେ ଜଳସେଚନ ନାହିଁ । ସ୍କୁଲରେ ଶିକ୍ଷକ ନ ଥିବାରୁ ସ୍କୁଲ ବନ୍ଦ ହୋଇଯାଉଛି । ପିଲାମାନେ ସ୍କୁଲ ଛାଡ଼ି ଚାଲିଯାଉଛନ୍ତି । ସରକାରୀ ଡାକ୍ତରଖାନାରେ ଡାକ୍ତର ନାହାନ୍ତି । ରୋଜଗାର ପାଇଁ ଯୁବକ ଘର ଛାଡ଼ି ଦାଦନ ଯାଉଛନ୍ତି । ୨୪ ବର୍ଷ ଶାସନରେ ରହିବା ପରେ ବି କାହିଁକି ଏହି ଅବସ୍ଥା ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନ । ଓଡ଼ିଶାକୁ ଦଳେ ଲୋକ ଲୁଟିବାର ଷଡ଼ଯନ୍ତ୍ର କରୁଛନ୍ତି । ଓଡ଼ିଶା ବିରୋଧୀ ମନୋଭାବ ରଖିଛନ୍ତି । ଜଣେ ବାହାରିଆ ଲୋକ ପଛ ଦରଜାରେ ପଶି ଆସି ନିଜକୁ ଓଡ଼ିଶାର ଉତ୍ତରାଧିକାରୀ କହୁଛି । ଏହାର ଜବାବ ଓଡ଼ିଶାବାସୀ ନିଶ୍ଚିତ ଦେବେ ବୋଲି କହିଛନ୍ତି । ଚଳିତ ନିର୍ବାଚନରେ ବିଶେଷ ଲକ୍ଷଣ ଦେଖାଯାଉଛି । ବିପକ୍ଷ ଦଳ ଦୁର୍ନାତିଗ୍ରସ୍ତ, ଭ୍ରଷ୍ଟ, ଲୋକବିରୋଧୀ ଶକ୍ତିଙ୍କୁ ପ୍ରାର୍ଥୀ କରିଛି । ଏଥର ଲୋକବଳ ଓ ଧନବଳ ମଧ୍ୟରେ ଲଢେଇ ହେଉଛି । ନିଶ୍ଚିତ ଭାବେ ଲୋକବଳର ବିଜୟ ହେବ । ବିଗତ ୨୪ ବର୍ଷରେ ଗୋଟିଏ ସରକାର ରହି ଲୋକଙ୍କୁ ସାମାନ୍ୟତମ ମୌଳିକ ସୁବିଧା ଉପଲବ୍ଧ କରାଇ ପାରିନାହିଁ । ଏଥର ପରିବର୍ତ୍ତନ ନିଶ୍ଚିତ । ଓଡ଼ିଶାର ଜନସାଧାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଅଛନ୍ତି । ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିଲେ ସ୍ଥାନୀୟ ଯୁବକମାନଙ୍କ ଆକାଂକ୍ଷା, ମା’ ମାନଙ୍କ ସଶକ୍ତିକରଣ, ଗୁରୁଜନଙ୍କ ସେବା ସହ ରୋଜଗାର ଓ ଅର୍ଥନୀତି ବ୍ୟବସ୍ଥା ବୃଦ୍ଧି କରିବା ପାଇଁ ବିଭିନ୍ନ ଯୋଜନା ଢେଙ୍କାନାଳ ପର୍ଯ୍ୟନ୍ତ ଆଣିବା ଦିଗରେ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି । ପ୍ରଧାନ ନାମାଙ୍କନ ଶୋଭାଯାତ୍ରାରେ ସାମିଲ ହେବା ପୂର୍ବରୁ ଢେଙ୍କାନାଳରେ ଶ୍ରୀଶ୍ରୀ ସିଦ୍ଧ ବଳରାମଜୀଉ ମନ୍ଦିରରେ ଠାକୁରଙ୍କ ପୂଜାର୍ଚ୍ଚନା କରିଥିଲେ । ଅନୁଗୋଳ ଜଗନ୍ନାଥ ମନ୍ଦିରରେ ଦର୍ଶନ କରିବାସହ ପୂଜାର୍ଚ୍ଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ