କେନ୍ଦ୍ରାପଡା ମହାବିଦ୍ୟାଳୟରେ ପିଜି ଛାତ୍ରଛାତ୍ରୀଙ୍କ ଧାରଣା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ସ୍ନାତକୋତର (ପିଜି) ପାଠ୍ୟକ୍ରମ ଓ ପରୀକ୍ଷା ପରିଚାଳନାରେ ବ୍ୟାପକ ବିଭ୍ରାଟ ହୋଇଥିବା ପ୍ରତିବାଦରେ ପ୍ରବଳ ଛାତ୍ର ଅଶାନ୍ତି ସୃଷ୍ଟି ହୋଇଥିବା ଦେଖାଯାଇଛି । ମହାବିଦ୍ୟାଳୟର ଶତାଧିକ ପିଜି ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ରହିଥିବା ଦେଖାଯାଇଛି । ଅଭିଯୋଗରୁ ପ୍ରକାଶ ଯେ କେନ୍ଦ୍ରାପଡା ମହାବିଦ୍ୟାଲୟରେ ମୋଟ ୧୫ଟି ବିଭାଗରେ ସେଲ୍ଫ ଫାଇନାନ୍ସିଂ ଜରିଆରେ ପିଜି ପାଠ୍ୟକ୍ରମ ପ୍ରଦାନ କରାଯାଉଛି । ପୂର୍ବରୁ ମହାବିଦ୍ୟାଳୟରେ କେବଳ ସମାଜ ବିଜ୍ଞାନ ବିଭାଗରେ ପିଜି ପାଠ୍ୟକ୍ରମ ପ୍ରଦାନ କରାଯାଉଥିଲା । ପରବର୍ତ୍ତୀ ସମୟରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗ ସମେତ ମୋଟ ୧୪ଟି ବିଷୟରେ ପିଜି ପାଠ୍ୟକ୍ରମ ଖୋଲିବାକୁ ଅନୁମତି ମିଳିଥିଲା । ହେଲେ ସାମଜ ବିଜ୍ଞାନ ବିଷୟ ବ୍ୟତିତ ଅନ୍ୟ ୧୪ଟି ବିଷୟ ପାଇଁ ଅଦ୍ୟାବଧି ଉତ୍କଳ ବିଶ୍ୱବିଦ୍ୟାଳୟର ସହବନ୍ଧିତା (ଆଫିଲିଏସନ୍‌) ହୋଇପାରିନଥରବା ଜଣାପଡିଛି । ଏଠାରେ ଦୁଇବର୍ଷ ହେଲା ପ୍ରାୟ ୩୦୦ ଛାତ୍ରଛାତ୍ରୀ ବିଭିନ୍ନ ବିଷୟରେ ପିଜି ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି । ପିଜି ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀ ୩ଟି ସେମିଷ୍ଟାର ଓ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ଗୋଟିଏ ସେମିଷ୍ଟାର ପରୀକ୍ଷା ଦେଇ ସାରିଥିବା ବେଳେ ଅଦ୍ୟାବଧି ସେମାନଙ୍କୁ ଆଡମିଟ କାର୍ଡ ପ୍ରଦାନ କରାଯାଇପାରିନାହିଁ । ବାରମ୍ବାର ଦାବି ଛାତ୍ରଛାତ୍ରୀମାନେ ଦାବି କରିବା ପରେ ବହୁ ବିଳମ୍ବରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ରେଜିଷ୍ଟ୍ରେସନ୍ ନମ୍ବର ଜାରି କରାଯାଇଥିଲା । କିନ୍ତୁ ସେଥିରେ ବହୁ ତୃଟି ରହିଥିବା ଜଣାପଡିଛିି । କେଉଁଠି ଦୁଇ ଛାତ୍ରଛାତ୍ରୀଙ୍କୁ ଗୋଟିଏ ରେଜିଷ୍ଟ୍ରେସନ୍ ନମ୍ବର ମିଳିଛି ତ ପୁଣି କେଉଁଠାରେ ଛାତ୍ରଛାତ୍ରୀଙ୍କ ବଦଳରେ ଅଭିଭାବକଙ୍କ ନାଁରେ ବନାନ୍ ଗତ ତୃଟି ଥିବା ଦେଖାଯାଇଛି । ପିଜି ପରୀକ୍ଷାର୍ଥୀଙ୍କ ପରୀକ୍ଷା ସମୟରେ ପିଜି ଉତ୍ତର ଖାତା ବଦଳରେ ଯୁକ୍ତ ୩ ଲେଖାଥିବା ଉତ୍ତର ଖାତା ମିଳୁଛି । ପଚାରିଲେ ଯୁକ୍ତ ୩କୁ କାଟି ସେ ସ୍ଥାନରେ ପିଜି ଲେଖିବାକୁ ପରାମର୍ଶ ଦିଆଯାଉଛି । ବିଭିନ୍ନ ବାବଦକୁ ଫିସ ଆଦାୟ ବେଳେ +୩ ରସିଦ ପ୍ରଦାନ କରାଯାଉଛି । ରସିଦରେ +୩ କଟାଯାଇ ସ୍ନାତକୋତର ଲେଖାଯାଇଛି । ସେହି ପରି ବାଣିଜ୍ୟ ବିଭାଗ ଛାତ୍ରଛାତ୍ରୀଙ୍କ ଆଇଡି କାର୍ଡରେ ମଧ୍ୟ ତୃଟି ଥିବା ଦେଖା ଯାଇଛି । ଯେଉଁଠି ମାଷ୍ଟର ଇନ୍ କମର୍ସ ବଦଳରେ ଏମ୍‌ଏ ଇନ୍ କମର୍ସ ଲେଖାଯାଇଛି । ପୁଣି ଛାତ୍ରଛାତ୍ରୀଙ୍କ କହିବା କଥା ହେଉଛି ସେମାନଙ୍କ ଅଜାଣତରେ ଇନˆମ୍ ଟ୍ୟାକ୍ସ ବିଷୟ ଅନର୍ସ ରହିଛି । ଯାହା ସମ୍ପୂର୍ଣ୍ଣ ବେଆଇନ ଅଟେ । ଏକାଡେମିକ୍ କାଉନସିଲ୍‌, ବୋର୍ଡ ଅଫ୍ ଷ୍ଟ୍ଟଡିଜ୍‌, ଫାଇନାନ୍ସ୍ ବିଭାଗ ମଧ୍ୟ ନାହିଁ । ଲାଇବ୍ରେରୀ କାର୍ଡ, ପାଠାଗାର ସୁବିଧା, ୱାସ୍‌ରୁମ, ଷ୍ଟଡିଟୁର୍ ବ୍ୟବସ୍ଥା ମଧ୍ୟ ନାହିଁ । ସେମାନେ କୌଣସି ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ବସିପରିବେ ନାହିଁ ଓ ପ୍ରମାଣ ପତ୍ର ଠିକ୍ ଭାବରେ ମିଳିବ କି ନାହିଁ । ସେମାନେ ଦ୍ୱନ୍ଦରେ ପଡିଯାଇଛନ୍ତି । ଭବିଷ୍ୟତକୁ ନେଇ ଛାତ୍ରଛାତ୍ରୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରୁଥିବା ବେଳେ କଲେଜ କର୍ତ୍ତୃପକ୍ଷ ଏହି ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି । ମହାବିଦ୍ୟାଳୟର ପିଜି ସେଲ୍ ଅଧ୍ୟକ୍ଷ ବିଶ୍ୱରଞ୍ଜନ ପୁହାଣଙ୍କୁ ଏସମ୍ପର୍କରେ ପଚାରିବାରୁ ସେ କୁହନ୍ତି ଯେ ଛାତ୍ରଛାତ୍ରୀଙ୍କ ସମସ୍ୟା ବାବଦରେ ଆମେ ଅବଗତ ଅଛୁ । ଆମକୁ ଅଣଆନୁଷ୍ଠାନିକ ଭାବେ ମୌଖିକ ଆଫିଲିଏସନ୍ ମିଳିଛି । ଏବେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ କଟକଣା ହଟିବା ପରେ ପୂର୍ଣ୍ଣଆଫିଲିଏସନ୍ ମିଳିଯିବ । ଏମ୍‌କମ – ଇନ୍‌କମ ଟ୍ୟାକ୍ସ୍ ବଦଳରେ କେବଳ ଏମ୍‌କମ ବିଷୟ ରଖିବା ପାଇଁ ଗତକାଲି ଏକ ପାଞ୍ଚଜଣିଆ କମିଟି ଗଢାଯାଇଛି । ସେହି କମିଟି କଲେଜ ଅଧ୍ୟକ୍ଷକ ନିର୍ଦ୍ଦେଶ କ୍ରମେ ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ । ଛାତ୍ରଛାତ୍ରୀଙ୍କ ଅନ୍ୟ ଅଭିଯୋଗ ଗୁଡିକର ଖୁବ୍ ଶୀଘ୍ର ସମାଧାନ କରାଯିବ ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ