ବ୍ୟାପକ ହେଲା ତାମୁଳିଆ-ଡି.ଆର.ଡି.ଓ ଲିଙ୍କ୍ ରାସ୍ତା ଆନ୍ଦୋଳନ ସମର୍ଥନରେ ବାହାରିଲେ ବାଲେଶ୍ୱର ବୁଦ୍ଧିଜୀବୀ

ବାଲେଶ୍ୱର, (ସରୋଜ ପଣ୍ଡା):ତାମୁଳିଆ ଉଡ଼ନ୍ତା ପୋଲଠାରୁ ଡି.ଆର.ଡି.ଓ. ଲିଙ୍କ୍ ରୋଡ଼୍ ରାସ୍ତା ନିର୍ମାଣ ସମସ୍ୟା ନେଇ ଗତ ୧୩-୦୫-୨୦୨୪ ସୋମବାର ଦିନ ମେଘଡମ୍ବରୁ ବିକାଶ ପରିଷଦ ତରଫରୁ ଏକ ସଭାର ଆୟୋଜନ କରାଯାଇଥିଲା । ଏଠାରେ ସୂଚାଇ ଦିଆଯାଇପାରେ ଯେ ପ୍ରାୟ ୪ବର୍ଷ ତଳେ ଡିଆରଡିଓର ଏକ ନୂତନ ରାସ୍ତା ପାଇଁ ତାମୁଳିଆ ପୋଲ ଏବଂ ଜ୍ୟୋତି ହସପିଟାଲ୍ ନିକଟସ୍ଥ ଓ.ଟି. ରୋଡ଼୍ ଠାରୁ ପାତ୍ରପଡ଼ା ପର୍ଯ୍ୟନ୍ତ ଜମି ଅଧିଗ୍ରହଣ କରାଯାଇ ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ହୋଇଥିଲା । ପର୍ଯ୍ୟାୟକ୍ରମେ ଜମି ଅଧିଗ୍ରହଣ ସମୟରେ ତାମୁଳିଆ ପୋଲ ନିକଟରେ ୨୨ଟି ପରିବାରକୁ ଉଚ୍ଛେଦ କରାଗଲା ଏବଂ ପ୍ରାୟ ୧୦୦ଟି ଗଛ କଟାଗଲା । ମାତ୍ର ଏପର୍ଯ୍ୟନ୍ତ ଉଚ୍ଛେଦ କରାଯାଇଥିବା ଜମିହୀନ ପରିବାରକୁ ଥଇଥାନ କରାଗଲାନାହିଁ । ତାମୁଳିଆ ପୋଲଠାରୁ ଡିଆରଡିଓ ରାସ୍ତା (ପ୍ରାୟ ୪୦୦ ମିଟର ଦୈର୍ଘ୍ୟ)କୁ ଟେମ୍ପରାରୀ ସର୍ଭିସ୍ ରୋଡ଼୍ କରି ପ୍ରତ୍ୟେକଦିନ ଶହଶହ ଡମ୍ପରରେ ମାଟି, ଚିପ୍ସ, ବାଲି ବୁହା ଚାଲିଲା । ଏହି ରାସ୍ତାରେ ମଧ୍ୟ ମାଛ ଗାଡ଼ି, ବସ୍ ଓ ଅନ୍ୟାନ୍ୟ ଭାରିଜାନ ଚଳାଚଳ କଲା । ଫଳରେ ସର୍ଭିସ୍ ରୋଡ଼୍‌ଟି ଖାଲଖମାରେ ପରିଣତ ହୋଇଗଲା । ମାତ୍ର ତଥାପି ଏହି ରାସ୍ତା ପାଶ୍ୱର୍ ବିଲରେ ପ୍ରତ୍ୟେକ ଦିନ ଶହଶହ ଗାଡ଼ି ଚାଲିବା ଫଳରେ ଅତିରିକ୍ତ ଧୂଳିରେ ସ୍ଥାନୀୟ ବାସିନ୍ଦାମାନେ ହନ୍ତସନ୍ତ ହେଲେ । ରାସ୍ତା ନିର୍ମାଣ ପାଇଁ ଜିଲ୍ଲାପାଳ, ଏମ୍‌.ପି. ପ୍ରତାପ ଷଡ଼ଙ୍ଗୀଙ୍କୁ ବାରମ୍ବାର ଜଣାଇବା ସତ୍ତ୍ୱେ କୌଣସି ସୁଫଳ ନ ମିଳିବାରୁ ସ୍ଥାନୀୟ ବାସିନ୍ଦାମାନେ ଗତ ୭ ତାରିଖ ମଙ୍ଗଳବାର ଠାରୁ ଏହି ରାସ୍ତାକୁ ବନ୍ଦ କରିଦେଇଛନ୍ତି । ବର୍ତ୍ତମାନ ଡିଆରଡିଓ ଅଥରିଟି କହୁଛି ଯଦିଓ ରାସ୍ତାର ଟେଣ୍ଡର ହୋଇଛି କିନ୍ତୁ ସେମାନେ ଏହି ରାସ୍ତା ତ ିଆରି କରିବେ ନାହିଁ । କାରଣ ତାଙ୍କ ପାଖରେ ଫଣ୍ଡ ନାହିଁ । ଏଠାରେ ପ୍ରଶ୍ନଉଠୁଛି ଯେ ବିନା ଫଣ୍ଡ୍ ଆଲଟ୍‌ମେଣ୍ଟ୍‌ରେ ଟେଣ୍ଡର କିପରି ହେଲା? ବର୍ତ୍ତମାନର ମୁଖ୍ୟ ସମସ୍ୟା ହେଲା ଯେଉଁମାନେ ଡିଆରଡିଓକୁ ଜମି ଦେଲେ କିମ୍ବା ତାଙ୍କ ରାସ୍ତା ଡିଆରଡିଓକୁ ଚାଲିଗଲା ସେମାନେ ଘରୁ ବାହାରିବେ କିପରି? ଗୋଟିଏପଟେ ତୃତୀୟ ରେଳଲାଇନ୍ ତିଆରି ହେତୁ ରେଳଲାଇନ୍ ପାଶ୍ୱର୍ରେ ବସବାସ କରୁଥିବା ୪୨ଟି ପରିବାର ରାସ୍ତାକୁ କିପରି ବାହାରିବେ? ଏହି ୪୦୦ ମିଟର ରାସ୍ତା ବାଲେଶ୍ୱର ସହରକୁ ଲିଙ୍କ୍ କରୁଛି ଯାହାଦ୍ୱାରା ସହରକୁ ଏକ ବିକଳ୍ପ ରାସ୍ତା ମିଳୁଥିଲା ଓ ତାମୁଳିଆ ପୋଲରେ କୌଣସି ପ୍ରକାର ଦୁର୍ଘଟଣା ଘଟିଲେ ଏରାସ୍ତାକୁ ବାଇ-ପାସ୍ ରୂପେ ବି ବ୍ୟବହାର କରାଯାଇପାରନ୍ତା ।ପୁଣି ଡି.ଆର.ଡି.ଓ ଜମିରେ ବାଲି, ମାଟି, ଡମ୍ପ କରି ବେପାର କରାଯାଉଛି, ଯାହାଦ୍ୱାରା ପ୍ରତ୍ୟେକଦିନ ଶହଶହ ଗାଡ଼ି ଚାଲି ବାୟୁମଣ୍ଡଳକୁ ଧୂଳିରେ ପ୍ରଦୂଷିତ କରୁଛି । ବିଭିନ୍ନ ପ୍ରକାର ଅସୁବିଧାରେ ପଡ଼ି ଅଞ୍ଚଳବାସୀ ଅନ୍ୟ କିଛି ଉପାୟ ନପାଇ ଦୀର୍ଘ ୭ଦିନ ହେଲା ରାସ୍ତାକୁ ଅବରୋଧ କରି ରଖିଛନ୍ତି । ପରିସ୍ଥିତିର ଗୁରୁତ୍ୱକୁ ଉପଲବ୍ଧି କରି ବାଲେଶ୍ୱର ସହରର ବୁଦ୍ଧିଜୀବୀ ଓ ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତାମାନେ ଅଞ୍ଚଳବାସୀଙ୍କୁ ସମର୍ଥନ କରିଛନ୍ତି । ସଭାର ନିଷ୍ପତ୍ତିକ୍ରମେ ରାସ୍ତା ବନ୍ଦ ଚାଲୁ ରହିବ ଏବଂ ଆସନ୍ତା ଶନିବାର ଦିନ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରାଯିବାକୁ ଯୋଜନା କରାଯିବ । ଏହି ସଭାରେ ମେଘଡମ୍ବରୁ ବିକାଶ ପରିଷଦର ଆବାହକ ମହେଶ୍ୱର ବେହେରା, ସଂପାଦକ ଗୌରାଙ୍ଗ ପାତ୍ର, ଯୁଧିଷ୍ଠିର ପ୍ରମାଣିକ, ରବୀନ୍ଦ୍ର ମହାଳିକ, ପୂର୍ବତନ ଏମ୍‌.ଏଲ୍‌.ଏ. ସୁଦର୍ଶନ ଜେନା, କୁରୁଡ଼ା ସରପଞ୍ଚ ତାପସ ପାଣିଗ୍ରାହୀ, ମେଡିକାଲ୍ କ୍ରିୟାନୁଷ୍ଠାନ କମିଟିର ସଭାପତି ଆଡ଼ଭୋକେଟ୍ ନିରଞ୍ଜନ ପରିଡ଼ା, ସିଭିଲ୍ ସୋସାଇଟିର ଉପଦେଷ୍ଟା ସୀତାରାମ ପ୍ରଧାନ, ବରିଷ୍ଠ ନାଗରିକ ସଂଘର ସଂପାଦକ ଦାମୋଦର ନାୟକ, ଏଆଇଟିୟୁସିର ଜିଲ୍ଲା ସଂପାଦକ ଶ୍ୟାମସୁନ୍ଦର ଜେନା, ବିଜୁଳି କର୍ମଚାରୀ ସଂଘର ସଂପାଦକ ଭରତ ସେଠୀ, ବନିତା ନାୟକ, ଭ୍ରମରବର ପାତ୍ର, ଆନନ୍ଦ ଦାସ, ସ୍ମୃତି ରାଉତ, ଗଦାଧର ପ୍ରଧାନ, ରାଜେଶ ଚାଟାର୍ଜୀ, ନମିତା ପାଢ଼ି, ସୂର୍ଯ୍ୟମଣି ମହାଳିକ, ତପନ ନାୟକ, ମିନତୀ ଦାସ, ବିଶ୍ୱଜିତ୍ ସାହୁଙ୍କ ସମେତ ଶତାଧିକ ଅଞ୍ଚଳବାସୀ ମଧ୍ୟ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ