ଜୁଆଖେଳ କୁ କେନ୍ଦ୍ରକରି ଯୁବକ ଙ୍କୁ ହତ୍ୟା

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଭ୍ରମରପୁର ପଞ୍ଚାୟତ ନାରାୟଣପୁର ଗ୍ରାମ ନିକଟ ରାସ୍ତା କଡ  ରୁ ରବିବାର ସକାଳେ ଜଣେ ଯୁବକଙ୍କ କ୍ଷତ ବିକ୍ଷତ ଶବ କୁ କେ.ନୂଆଗାଁ ଥାନା ପୋଲିସ ଜବତ କରିଛନ୍ତି।  ମୃତକ ଜଣକ ହେଲେ ଚିକିଟି ବ୍ଲକ ଚାନ୍ଦପୁର ପଞ୍ଚାୟତ ଦେଉଳିଆପଡ଼ା ଗ୍ରାମର ଡାଲା ଅଟୋ ମାଲିକ ମିଳନ ସାହୁ। ଜୁଆ ଖେଳ କୁ କେନ୍ଦ୍ରକରି ତାଙ୍କୁ ପଥର ରେ ଛେଚି ହତ୍ୟା କରାଯାଇଥିବା ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚା ହେଉଛି। ତାଙ୍କ ମୁଣ୍ଡ ଓ ମୁହଁ ରେ ଗଭୀର ଆଘାତ ଲାଗିଛି। ଖବରପାଇ କେ.ନୂଆଗାଁ ଥାନା ଆଇ ଆଇ ସି କିଶୋର କୁମାର ସାମଲ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି  ସାଇଣ୍ଟିିଫିକ ଟିମ୍ ସହାୟତା ରେ ତଦନ୍ତ କରି ଫେରିଛନ୍ତି।ପାରିପାର୍ଶ୍ବିକ ସ୍ଥିତି ରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପ୍ରାଥମିକ ତଦନ୍ତ ରୁ ଜଣାପଡ଼ିଥିବା ଆଇ ଆଇ ସି କହିଛନ୍ତି।ଜବତ ଶବ କୁ କେ.ନୂଆଗାଁ ଥାନା ମାମଲା ନଂ.୧୬୯/୨୪ ଅନୁଯାୟୀ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ପଠାଇ ଦିଆଯାଇଥିଲା। ସକାଳେ ମୃତକଙ୍କ ପରିଚୟ ମିଳିପାରିନଥିଲା। ପରେ ଖବର ପାଇ ପରିବାର ଲୋକେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ପହଞ୍ଚି ପୋଲିସ ଉପସ୍ଥିତି ରେ ଶବ ଚିହ୍ନଟ କରିବା ପରେ ଶବ କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଅପରାହ୍ନ ରେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନ ରେ ଶବ ସତ୍କାର କରାଯାଇଛି। ଶନିବାର ସନ୍ଧ୍ୟାରେ ମିଳନ ତାଙ୍କ ଡାଲା ଅଟୋ ନେଇ ନୂଆପଡ଼ା କଲେଜ ନିକଟକୁ ଗାଧୋଇବାକୁ ଯାଇଥିଲେ।ସେଠାରେ ଥିବା ରାତ୍ର ଜଗୁଆଳ ଙ୍କ ସହ ସେ କଥା ହୋଇ ସେଠାରେ ଡାଲା ଅଟୋ ରଖି ସେଠାରୁ ଜଣେ ଯୁବକ ଙ୍କ ବାଇକ ରେ ବସି କେଉଁ ଆଡ଼େ ଯାଇଥିଲେ। ରାତି ୧୦ ଟା ସୁଦ୍ଧା ସେ ଘରକୁ ନଫେରିବାରୁ ରାତି ରେ ଘର ଲୋକେ ତାଙ୍କ ମୋବାଇଲ କୁ ଫୋନ କରି କଥା ହୋଇଥିଲେ। ପରେ ତାଙ୍କ ମୋବାଇଲ ସୁଇଚ ଅଫ୍ ହୋଇଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ