ଚାରିଗାଁ ସାଳନ୍ଦୀ ନଦୀ ପଠାରୁ ବାଲି ମାଟି ଚୋରି: ଅଭିଯୋଗ କଲେ ଗ୍ରାମବାସୀ

ବନ୍ତ, (ଚାନ୍ଦନୀ ମହାନ୍ତି):ବନ୍ତ ତହସିଲ ଅଣିଜୋ ରାଜସ୍ୱ ବିଭାଗ ଅଧିନ ଚାରିଗାଁ, ଚକ୍ରାପାଢୀ ଗ୍ରାମରେ ଥିବା ସାଳନ୍ଦୀ ନଦୀ ପଠାରୁ ବେଆଇନ ଭାବେ ବାଲି ମାଟି ଚୋରି ହେଉଛି । ମାତ୍ର ଏହାକୁ ରୋକିବାରେ ରାଜସ୍ୱ ବିଭାଗ ସମ୍ପୂର୍ଣ୍ଣ ଫେଲ୍ ମାରିଥିବା ବେଳେ ଏହି କାମରେ ସମ୍ପୃକ୍ତ ଥିବା ମାଫିଆ ମାନେ ଗ୍ରାମବାସୀଙ୍କୁ ଡରାଇ, ଧମକାଇ ରଖୁଥିବା ଦେଖା ଯାଇଛି । ପ୍ରକାଶ ଯେ, ଚାରିଗାଁ, ଚକ୍ରାପାଢୀ ଗ୍ରାମଟି ସାଳନ୍ଦୀ ନଦୀର ଅବବାହିକାରେ ଅବସ୍ଥିତ । ଏଠାରେ କୌଣସି ଘାଟ ସରକାରୀ ଭାବେ ବାଲି ମାଟି ଖୋଳିବା ନେଇ ନିଲାମ ଦିଆଯାଇ ନଥିବା ବେଳେ ବର୍ଷ ତମାମ ସମ୍ପୃକ୍ତ ଅଞ୍ଚଳର ନିର୍ଦ୍ଧିଷ୍ଠ କେତେକ ବ୍ୟକ୍ତି ଟ୍ରାକ୍ଟର ଯୋଗେ ବିଳମ୍ବିତ ରାତ୍ର ଏବଂ ଭୋର ସମୟରେ ବାଲି ମାଟି ଖୋଳି ନେଉଛନ୍ତି । ଏହି ମାଟିକୁ ସେମାନେ ବେଆଇନ ଭାବେ ଗଢି ଉଠିଥିବା ଇଟାଭାଟି ମାଲିକ ଓ ବ୍ୟକ୍ତି ବିଶେଷଙ୍କୁ ବିକ୍ରୟ କରି ମାଲେମାଲ ହେଉଥିବା ବେଳେ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନି ଘଟୁଛି । ଏହି ଚୋରି ସମୟରେ ଅସାମାଜିକ ବ୍ୟକ୍ତି ମାନେ ବାଡି ଠେଙ୍ଗା ଧରି ବିଭିନ୍ନ ଦିଗରୁ ଜଗି ରହୁଥିବା ପରିଲକ୍ଷିତ ହୋଇଛି । ବାଲି ମାଟି ଖୋଳି ନେବା ଦ୍ୱାରା ନଦୀ ପଠାରେ ୮ଫୁଟ୍ ୧୦ଫୁଟ୍‌ର ଗାଢ ହେବା ଫଳରେ ଗୃହପାଳିତ ପଶୁ ଓ ମଣିଷ ପଡି ଖଣ୍ଡିଆ ଖାବରା ହେଉଥିବାର ଅନେକ ନଜିର ରହିଛି । ଗାଢ ଗୁଡିକ ବର୍ଷା ଦିନେ ଅତଡା ଖାଇ ପାଶ୍ୱର୍ରେ ଥିବା ବଡ ବଡ ଗଛ ଓ କ୍ଷେତ ନଷ୍ଟ ହେଉଥିବାର ଦେଖାଯାଉଛି । ଅନ୍ୟପକ୍ଷରେ ବର୍ଷା ଋତୁରେ ବନ୍ୟା ଜଳ ଗ୍ରାମ ମଧ୍ୟରେ ପ୍ରବେଶ କରି ବ୍ୟାପକ କ୍ଷୟ କ୍ଷତି କରୁଥିବା ବେଳେ ଆଗକୁ ଏହି ଗ୍ରାମ ସାଳନ୍ଦୀ ନଦୀରେ ଲୀନ ହେବାର ଆଶଙ୍କା ପ୍ରକାଶ ପାଇଛି । ମାଫିଆ ମାନଙ୍କ ଦୌରାତ୍ମ୍ୟ ଯୋଗୁଁ ଗ୍ରାମବାସୀମାନେ ଏହି ବେଆଇନ କାର୍ଯ୍ୟକୁ ବିରୋଧ କରିବାକୁ ସାହାସ ଜୁଟାଇ ପାରୁନାହାଁନ୍ତି । ଏପରିକି କେହି କେହି ବିରୋଧ କଲେ ହତ୍ୟା ଓ ଘରପୋଡି ପରି ଧମକ ଦେବାକୁ ପଛାଉ ନାହାଁନ୍ତି । ଉପରୋକ୍ତ ଘଟଣା ନେଇ ଗ୍ରାମର ନନ୍ଦ ପଣ୍ଡିତ, ଗୋବିନ୍ଦ ପଣ୍ଡିତ, ଶଙ୍କର୍ଷଣ ରାଉତ, ବାବନ ପାତ୍ର, ଆନନ୍ଦ ପଣ୍ଡିତ, ଉତ୍ସବ ଯେନା, ମଧୁଆ ଯେନା ପ୍ରମୁଖ ବନ୍ତ ତହସିଲ ଦାରଙ୍କୁ ଲିଖିତ ଅଭିଯୋଗ କରି ସମାଧାନ ଚାହିଁଛନ୍ତି । ଏଥିପ୍ରତି ରାଜସ୍ୱ ବିଭାଗର ଉଚ୍ଚ ଅଧିକାରୀ ମାନେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ