ଏଥର ନିର୍ବାଚନରେ ବଦଳିଛି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ପ୍ରଚାର ଧାରା

ବାଲେଶ୍ୱର, (ସରୋଜ ପଣ୍ଡା):ଚଳିତ ନିର୍ବାଚନରେ ବିଭିନ୍ନ ଦଳ ପକ୍ଷରୁ ଘୋଷଣା କରାଯାଇଥିବା ପ୍ରାର୍ଥୀମାନେ ଭୋଟଭିକ୍ଷା ଓ ପ୍ରଚାର କାର୍ଯ୍ୟ ଜୋରଦାର କରିବାରେ ଲାଗିଛନ୍ତି। ପ୍ରତ୍ୟେକ ଦଳର ଉଭୟ ବିଧାନସଭା ଓ ଲୋକସଭା ଆସନ ପ୍ରାର୍ଥୀ ମିଳିତ ଭାବେ ଡୋର କ୍ୟାମ୍ପେନିଂ କରୁଛନ୍ତି। ନିର୍ବାଚନ ସଭାରେ ମିଳିତ ହୋଇ ଦୁଇ ପ୍ରାର୍ଥୀ ଦଳୀୟ ନୀତି ଆଦର୍ଶ, କାର୍ଯ୍ୟକାରୀ ଜନସେବାମୁଖୀ ଯୋଜନା ଓ ଭୋଟ ପାଇଲେ କ’ଣ କ’ଣ କରିବେ, ସେ ସମ୍ପର୍କରେ ପ୍ରତିଶ୍ରୁତିର ପାହାଡ଼ ଉଭା କରୁଛନ୍ତି। ତେବେ ଜଣକୁ ନୁହେଁ, ଉଭୟ ପ୍ରାର୍ଥୀଙ୍କୁ ଅଧିକ ଭୋଟରେ ବିଜୟ ପାଇଁ ସେମାନେ ନିବେଦନ କରୁଛନ୍ତି।ବିଗତ ନିର୍ବାଚନଗୁଡ଼ିକରେ ବି ଉଭୟ ପ୍ରାର୍ଥୀଙ୍କୁ ଜିତାଇବାକୁ ପ୍ରଚାର କରାଯାଉଥିଲା। ମାତ୍ର ୨୦୧୪ ମସିହା ନିର୍ବାଚନରୁ ଭୋଟରଙ୍କ ସମର୍ଥନ ଗୋଟିଏ ଦଳର ଦୁଇ ପ୍ରାର୍ଥୀଙ୍କୁ ଯାଇନଥିବା ଲକ୍ଷ୍ୟ କରାଯାଇଥିଲା। ଫଳରେ କେଉଁ ବିଧାନସଭା ମଣ୍ଡଳୀରେ ବିଧାୟକ ପ୍ରାର୍ଥୀଙ୍କୁ ଅଧିକ ଓ ସମ୍ପୃକ୍ତ ଦଳର ଲୋକସଭା ପ୍ରାର୍ଥୀଙ୍କୁ କମ ଭୋଟ ମିଳିଥିଲା। ସେହିଭଳି କେତେକ ମଣ୍ଡଳୀରେ ବିଧାନସଭା ପ୍ରାର୍ଥୀଙ୍କୁ କମ ଓ ସମ୍ପୃକ୍ତ ଦଳର ଲୋକସଭା ପ୍ରାର୍ଥୀଙ୍କୁ ଅଧିକ ଭୋଟ ମିଳିଥିଲା। ୨୦୧୯ ମସିହାରେ ବି ଅନୁରୂପ ସ୍ଥିତି ପରିଲକ୍ଷିତ ହୋଇଥିଲା। ଏହା ଦ୍ବାରା ଶାସକ ବିଜେଡି କିମ୍ବା ବିରୋଧୀ ବିଜେପିକୁ ଆଶା କରାଯାଉଥିବା ଆନୁପାତିକ ହାରରେ ଭୋଟ କିମ୍ବା ଆସନ ମିଳି ପାରିନଥିଲା। ଏହାକୁ ଦୃଷ୍ଟିରେ ରଖି ଏଥର ନିର୍ବାଚନରେ ପ୍ରାର୍ଥୀଙ୍କ ପ୍ରଚାର ଧାରାରେ କିଛିଟା ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି।ଏହି ପରିପ୍ରେକ୍ଷୀରେ ଚଳିତ ନିର୍ବାଚନ ପ୍ରଚାରରେ ବିଜେଡି ଯୋଡ଼ି ଶଙ୍ଖକୁ ଗୁରୁତ୍ବ ଦେଇଛି। ଉଭୟ ବିଧାନସଭା ଓ ଲୋକସଭା ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଦୁଇଥର ଭୋଟଦାନ ପାଇଁ ଦଳର ରାଜ୍ୟ ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବଦେନ ବି କରିଛନ୍ତି। ସେହିକ୍ରମରେ ଦଳୀୟ ପ୍ରାର୍ଥୀ ଓ ନେତାମାନେ ଇଭିଏମ ମେସିନରେ ଦୁଇଥର ଯାକ ଶଙ୍ଖ ଚିହ୍ନ ଟିପିବାକୁ ଭୋରଙ୍କୁ କହୁଛନ୍ତି। ଏମିତିକି ଭୋଟରଙ୍କୁ ବୁଝାଇବା ପାଇଁ ଦଳୀୟ କର୍ମୀଙ୍କୁ ମଧ୍ୟ ନି​‌େ​‌​‌ର୍ଦ୍ଦଶ ଦିଆଯାଇଛି। ସେହିଭଳି କେନ୍ଦ୍ର ଓ ରାଜ୍ୟରେ ଡବଲ ଇଂଜିନ ସରକାର ପାଇଁ ଏଥର ବିଜେପି ପକ୍ଷରୁ ବିଶେଷ ଗୁରୁତ୍ବ ଦିଆଯାଉଛି। ଦୁଇଥର ପଦ୍ମଫୁଲ ଚିହ୍ନରେ ସୁଇଚ ଟିପିବାକୁ ଦଳୀୟ ପ୍ରାର୍ଥୀ ଓ ନେତାମାନେ ନିବେଦନ କରୁଛନ୍ତି। ରାଜ୍ୟର ଉନ୍ନତି ତଥା ସ୍ବଚ୍ଛ ଶାସନ ପାଇଁ ବିଜେପିକୁ କ୍ଷମତାସୀନ କରିବାକୁ ଦଳର ପ୍ରାର୍ଥୀ, ନେତା ଓ କର୍ମୀମାନେ ସମସ୍ତଙ୍କୁ ନିବେଦନ କରୁଛନ୍ତି। ଅନୁରୂପ ଭାବେ ସ୍ବାଧୀନତା ପରଠାରୁ ଦେଶର ସୁଶାସନକୁ ମନେପକାଇ କଂଗ୍ରେସର ପ୍ରାର୍ଥୀ, ନେତା ଓ କର୍ମୀମାନେ ଉଭୟ ଲୋକସଭା ବିଧାନସଭା ଆସନ ପାଇଁ ମତଦାନ ପାଇଁ ଭୋଟରଙ୍କୁ କହୁଛନ୍ତି।ଏହିକ୍ରମରେ ଚଳିତ ନିର୍ବାଚନରେ ବାଲେଶ୍ବର ଲୋକସଭା ତଥା ଏହି ମଣ୍ଡଳୀ ଅନ୍ତର୍ଗତ ୭ ବିଧାନସଭା ଆସନର ପ୍ରମୁଖ ଦଳର ପ୍ରାର୍ଥୀଙ୍କ ପ୍ରତି ଆନୁପାତିକ ହାରରେ କେତେ ସମର୍ଥନ ରହିବ ତାହାକୁ ନେଇ ଉଠିଛି ପ୍ରଶ୍ନବାଚୀ। ୨୦୧୯ ସାଧାରଣ ନିର୍ବାଚନରେ ବାଲେଶ୍ବର ଲୋକସଭା ଆସନରେ ବିଜେପି ସର୍ବାଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ। ମାତ୍ର ସମ୍ପୃକ୍ତ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୭ ଗୋଟି ବିଧାନସଭା ଆସନରୁ ନୀଳଗିରି, ସଦର ଓ ବଡ଼ସାହି ପ୍ରଭୃତି ୩ ଟିରେ ଦଳୀୟ ପ୍ରାର୍ଥୀ ବିଜୟୀ ହୋଇଥିଲେ। ଅନ୍ୟପକ୍ଷରେ ରେମୁଣା, ବସ୍ତା, ଜଳେଶ୍ବର ଓ ଭୋଗରାଇରେ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ନିର୍ବାଚିତ ହୋଇଥିଲେ। ଏଥିରେ ବିଜେଡିର ବିଧାନସଭା ପ୍ରାର୍ଥୀମାନେ ପାଇଥିବା ଭୋଟ ହାରଠାରୁ ଦଳୀୟ ଲୋକସଭା ପ୍ରାର୍ଥୀ ରବୀନ୍ଦ୍ର କୁମାର ଜେନା କମ ଭୋଟ ପାଇଥିଲେ। ଅନ୍ୟପକ୍ଷରେ ଦଳୀୟ ବିଧାନସଭା ପ୍ରାର୍ଥୀଙ୍କ ଠାରୁ ଅଧିକ ଭୋଟ ପାଇ ବିଜେପି ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ନିର୍ବାଚିତ ହୋଇଥିଲେ।ଏଥର ନିର୍ବାଚନରେ ଭୋଟ ହାର ତାରତମ୍ୟ ଏଡ଼େଇବା ପାଇଁ ଉଭୟ ବିଜେପି ଓ ବିଜେଡି ଗୁରୁତ୍ବ ଦେଉଥିବା ବେଳେ ଫଳ ଦେଖିବାକୁ ଆସନ୍ତା ୪ ତାରିଖକୁ ଜିଲାବାସୀ ଅନାଇ ରହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ