ଖୋଜା ପଡୁଛି ଚାକିରୀଆ ବୋହୂ

ଦିପ୍ତିମୟୀ ନାୟକ
ଆଜିର ସମାଜରେ ଏମିତି କିଛି ଗାଁ ଗହଳି ଅଛି ଯେଉଁଠି ଝିଅଙ୍କ ଶିକ୍ଷା ପ୍ରତି ବିଶେଷ କେହି ଧ୍ୟାନ ଦିଅନ୍ତିନି କିନ୍ତୁ ପୁଅ ମାନଙ୍କ ଶିକ୍ଷାକୁ ନେଇ ଅନେକ ପରିବାର ବେଶ ଚିନ୍ତିତ ଥାଆନ୍ତି | କିଏ କହୁଥାଏ ମୋ ପୁଅ ଡାକ୍ତର ହେବ ଆଉ କିଏ କହୁଥାଏ ମୋ ପୁଅ ପୋଲିସ ହେବ ତ ପୁଣି କିଏ କହୁଥାଏ ମୋ ପୁଅ ବିଜନେସ କରିବ | କିନ୍ତୁ ଅନେକ ଲୋକଙ୍କ ପାଟିରୁ ଶୁଣିବାକୁ ମିଳୁନଥାଏ ମୋ ଝିଅ ପାଠ ପଢିବ | ମୋ ଝିଅ ଆଗକୁ ବଢିବ | ଭଲ ଚକିରୀଟିଏ କରିବ | କିନ୍ତୁ ଯେତେବେଳେ ପୁଅ ପାଇଁ ବୋହୂ ଖୋଜା ପଡେ ସେତେବେଳେ ସମସ୍ତଙ୍କୁ ସମସ୍ତଙ୍କ ଘରକୁ ଗୋଟେ ଚାକିରୀଆ ବୋହୂଟିଏ ଦରକାର ପଡିଥାଏ | ଝିଅକୁ ପାଠ ପଢ଼େଇଲେ ତ ସେହି ଝିଅ କାହା ଘରକୁ ଗୋଟେ ଚାକିରୀଆ ବୋହୂ ହୋଇକି ଯିବ ନଚେତ କେମିତି ଚାକିରୀଆ ବୋହୂ ହେବ | ଥରେ ଭାବନ୍ତୁ ଯେଉଁ ସମାଜ ଆଜି ଗୋଟେ ଚାକିରୀଆ ଝିଅକୁ ଖୋଜି ଚାକିରୀଆ ବୋହୂ କରିବାକୁ ଚାହୁଁଛି ସେହି ସମାଜର କିଛି ଲୋକ କାହିଁକି ଝିଅର ଶିକ୍ଷା ପ୍ରତି ଧ୍ୟାନ ଦିଅନ୍ତିନି | ଶିକ୍ଷାର ଉନ୍ନତି ହେଲେ ଦେଶର ଉନ୍ନତି ହେବ ଦେଶର ଉନ୍ନତି ହେଲେ ନିଜ ପରିବାର ଆର୍ଥିକ ସ୍ଥିତିରେ କିଛିଟା ସୁଧାର ଆସିପାରିବ | କିନ୍ତୁ ନା ଝିଅକୁ ପଢ଼େଇବେନି କିନ୍ତୁ ବୋହୂର ଚାକିରୀ ଖୋଜିବେ | ଝିଅକୁ ପଠେଇବେ ହାଣ୍ଡିଶାଳ ପାଠୁଆ ପୁଅ ପାଇଁ ବୋହୂ ଖୋଜିବେ ବାରଦୂଆର | ଝିଅକୁ ପଢାନ୍ତୁ ତାପରେ ଘରକୁ ଚାକିରୀଆ ବୋହୂ ଖୋଜନ୍ତୁ କାହିଁକି ନା ଆପଣ ଯେମିତି ଚାହାଁନ୍ତି ଚାକିରୀଆ ବୋହୂ ଆଉ କିଏ ମଧ୍ୟ ଚାହେଁ ତା ଘରକୁ ଗୋଟେ ଶିକ୍ଷିତ ବୋହୂ | ତେବେ ଝିଅଙ୍କ ପ୍ରତି ଅବହେଳା କରନ୍ତୁନି | ଯଦିଓ ଆଜିର ସମାଜରେ କିଛି ଅଶିକ୍ଷିତ ଝିଅ ଅଛନ୍ତି ଏଥିପାଇଁ ଦାୟୀ କେବଳ ଏହି ଶିକ୍ଷିତ ସମାଜ | ନିଜକୁ ଶିକ୍ଷିତ କହି ବାହାର ଦୁନିଆକୁ ଆଲୋକ ଦେଖେଇ କି ଲାଭ ଯଦି ନିଜ ଘର ଅନ୍ଧାର ରୂପକ ଶିକ୍ଷିତ ପରିବାର ଭିତରେ ଗୋଟେ ଝିଅଟିଏ ଅଶିକ୍ଷିତ ଥାଏ | ପୁଅଙ୍କୁ ଯେମିତି ସୁଯୋଗ ଦିଆଯାଉଛି ଝିଅଙ୍କୁ ମଧ୍ୟ ସମାନ ସୁଯୋଗ ଦିଆଯାଉ | ଝିଅଟିଏ ଅନେକ ସମୟରେ ବିଭିନ୍ନ ସମସ୍ୟା ଦେଇ ଗତି କରେ କେବଳ ତା ପରିବାର ମାନସମ୍ମାନ ଇଜ୍ଜତ କଥା ଭାବି ଭାବି ତେଣୁ ତା ପରିବାର ତାକୁ ଯେମିତି କୁହନ୍ତି ସେ ସେହି ହିସାବରେ କାର୍ଯ୍ୟ କରେ | କିନ୍ତୁ ଯେତେବେଳେ କୌଣସି ଝିଅର ବାହାଘର କଥା ଉଠେ ସେତେବେଳେ ସମସ୍ତଙ୍କ ମୁଣ୍ଡରେ ବୁଦ୍ଧି ଆସେ ଆମେ କାହିଁକି ଆମ ଝିଅକୁ ପାଠ ପଢ଼େଇଲେନି | ଆଜିକାଲି ଯିଏ ଝିଅ ଦେଖିବାକୁ ଆସୁଛି ସେ ସର୍ବପ୍ରଥମେ ଶିକ୍ଷାଗତ ଯୋଗ୍ୟତା କେତେ ବୋଲି ପଚାରୁଛି | ଆଉ ଶିକ୍ଷାଗତ ଯୋଗ୍ୟତା କମ ଥିଲେ ସେଇଠୁ ସେହି ପ୍ରସ୍ତାବ ଭାଙ୍ଗି ଯାଉଛି | ଆଖିରେ ଆଖିଏ ସ୍ୱପ୍ନ ରଖିଥିବା ଝିଅର ସ୍ୱପ୍ନ କେଇକ୍ଷଣୀରେ ଭାଙ୍ଗିଯାଏ | ବେଳେବେଳେ ଏମିତି ଅନେକ ଘଟଣା ଆଖି ସାମ୍ନାକୁ ଆସେ କିନ୍ତୁ କେହି ଏ ବିଷୟରେ ଆଲୋଚନା କରନ୍ତିନି | ଯାହାଫଳରେ ଅନେକ ଗାଁ ଗହଳିରେ ଆଜିବି ଅନେକ ଝିଅ ଅଶିକ୍ଷିତ ଅବିବାହିତ ଏବଂ ଅବହେଳିତ ଅବସ୍ଥାରେ ରହିଛନ୍ତି | ବିବାହ ପ୍ରସ୍ତାବ ଭାଙ୍ଗିବାର ପ୍ରମୁଖ କାରଣ ହେଉଛି ଶିକ୍ଷା |
ତେବେ ଅନେକ ସମୟରେ ମଧ୍ୟ ଆଉ ଗୋଟେ କଥା ନଜରକୁ ଆସେ ଗୋଟେ ଝିଅ ଯଦି ପାଠ ପଢିନଥାଏ କାହା ଘରକୁ ବୋହୂ ହୋଇକି ଯାଇଥାଏ ସେଠାରେ ସେ ନିର୍ଯ୍ୟାତନାର ଶିକାର ହୋଇଥାଏ | ବାରମ୍ବାର ବାପା ଭାଇ ମା ଭଉଣୀକୁ ଗାଳି ହେଉଥାଏ ଆଉ ସେ ନୀରବ ରହିକି କାନ୍ଦିବା ଜାଣିଥାଏ କିନ୍ତୁ ଆଜିର ଅନେକ ନାରୀ ଆଉ କାନ୍ଦୁ ନାହାନ୍ତି କିନ୍ତୁ ପରିବାରରେ ଅଶାନ୍ତି ଲାଗି ରହୁଛି | ଲଙ୍କା ପୋଡି ଠାରୁ ଆହୁରି ଭୟଙ୍କର ପାରିବାରିକ ହିଂସା ଦେଖାଯାଉଛି | ଝିଅର ପରିଚୟ ବଣମଲ୍ଲୀ ନୁହେଁ ଏକଥା କିଛି ଲୋକ ଯେତେ ଶୀଘ୍ର ବୁଝିବେ ହୁଏତ ଝିଅ ହିଁ ତାର ପ୍ରକୃତ ପରିଚୟ ପାଇବା ସହ ଆଉ କାହା ଘରର ବୋହୂ ହୋଇ ଗୋଟେ ଶାନ୍ତି ଶୃଙ୍ଖଳିତ ପରିବାର ଗଢିବାରେ ବେଶ ଯତ୍ନଶୀଳ ରହିବ | ଯେପର୍ଯ୍ୟନ୍ତ ଚାକିରୀଆ ବୋହୂ ଖୋଜା ପଡିବ ସେପର୍ଯ୍ୟନ୍ତ ଗୋଟିଏ ସ୍ୱର ରହିବ ନିଜ ଝିଅକୁ ଅଶିକ୍ଷିତ କରି ବୋହୂ ଖୋଜୁଛ ବୁଲିବୁଲି | ନିଜ ଝିଅକୁ ପଢ଼ାଅ ତାପରେ ଚାକିରୀଆ ଝିଅ ଦେଖି ଘରକୁ ଚାକିରୀଆ ବୋହୂଟିଏ ଆଣ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ