ପାଣି ସମସ୍ୟାର ସମାଧାନକୁ ନେଇ ନାରାୟଣପୁର ଠାରେ ୩୨୬(କ) ଜାତୀୟ ରାଜପଥ ଅବରୋଧ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଖରା ଆରମ୍ଭଠାରୁ ହି ପାନୀୟଜଳ ଜଳ ସମସ୍ୟା ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ପ୍ରାୟ ସବୁ ଗ୍ରାମରେ ଦେଖାଦେଇଛି କିନ୍ତୁ ବର୍ତ୍ତମାନ ସୁଦ୍ଧା ସମାଧାନର ବାଟ ବହାରିପରୁନାହି । କିଛି ଦିନ ପୂର୍ବେ ଅର୍ଥାତ୍ ନିର୍ବାଚନ ମତଦାନ ଦିନ ରାୟଗଡ଼ ପଞ୍ଚାୟତର ଲକ୍ଷ୍ମୀପୁର କଲୋନୀରେ ପାନୀୟ ସମସ୍ୟା ପାଇଁ ଭୋଟ ବର୍ଜନ କରିଥିବା ବେଳେ ଆଜି ପୁଣି ନାରାୟଣପୁର ଗ୍ରାମର ସରପଞ୍ଚ ବିଷ୍ପନାଥ ଶବର ଓ ସମିତି ସଭ୍ୟଙ୍କ ସମେତ ଗ୍ରାମର ଶତାଧିକ ମହିଳା ଓ ପୁରୁଷମାନେ ରାସ୍ତାକୁ ଓହ୍ଲାଇ ୩୨୬(କ) ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଗ୍ରାମବାସୀ ଓ ସରପଞ୍ଚ ବିଡିଓ, ତହସିଲଦାର, ପାନୀୟଜଳ ଯୋଗାଣ ଅଧିକାରୀ ଆଦି ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ | ହେଲେ ସମସ୍ୟାର ଆଜି ଯାଏ ସମାଧାନ ହୋଇପାରୁନ ଥିବା ବେଳେ ଲୋକ ପ୍ରତିନିଧି କିମ୍ବା ବିଭାଗୀୟ ଅଧିକାରୀ ଆନ୍ତରିକତା ଦେଖାଉନଥିବା ସାଧାରଣରେ ଅଭିଯୋଗ ହୋଇଛି। ପ୍ରକାଶ ଯେ, ନାରାୟଣପୁର ଗ୍ରାମର ଜନସଂଖ୍ୟା ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ଥିବାବେଳେ ଗ୍ରାମ ନିକଟରେ ଥିବା ବୋମିକା ଠାରୁ ପାଇପରେ ଜଳ ଉଠାଇ ଯୋଗାଇ ଦିଆଯାଉଛି | ଏହାରି ଉପରେ ଗ୍ରାମବାସୀ ନିର୍ଭରଶୀଳ କିନ୍ତୁ ବୋମିକା ନିକଟରୁ ଯେଉଁ ପାଇପ୍ ଯୋଗେ ପାଣି ଉଠାଯାଉଛି ସେହି ପାଇପ୍ ପ୍ଲାଷ୍ଟିକ ପାଇପ୍ ହୋଇଥିବା ହେତୁ ଫଟି ଅନେକ ଜାଗାରେ ଲିକ୍ କରି ଯାଉଛି ତେଣୁ ଅନେକ ଦିନ ହେବ ପାନୀୟଜଳ ଯୋଗାଣ ବନ୍ଦ ରହିଥ‌ିବା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମହିଳା ମାଠିଆ ଧରି ନଳକୂପ ପାଖରେ ଧାଡ଼ି ଲଗାଉଛନ୍ତି ଓ ଆଜି ପାଣି ଆସିବ କାଲି ଆସିବ ବୋଲି ଅପେକ୍ଷା କରି କରି ପରିଶେଷରେ ଆଜି ଗରା, ମାଠିଆ ଆଦି ରାସ୍ତା ମଝିରେ ରଖି ଧାରଣା ଦେଇଥିବା ଦେଖିବାକୁ ମିଳିଛି । ସକାଳ ଆଠଟାରୁ ଗ୍ରାମର ମହିଳା ପୁରୁଷ ମାନେ ରାସ୍ତା ଅବରୋଧ କରିଥିଲେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀ ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ପହଞ୍ଚି ନଥିବା ଦେଖିବାକୁ ମିଳିଛି। ଫଳରେ ଅନେକ ଯାନବାହାନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହେଉଛି ଓ ଅନେକ ଲୋକ ନାହିନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ତେବେ ନାରାୟଣପୁର ଗ୍ରାମର ସମସ୍ୟାର ସମାଧାନ କେବେହେବ ଦେଖିବାକୁ ବାକି ରହିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ