ମୁଖ୍ୟମନ୍ତ୍ରୀଙ୍କୁ ବିଜେପିର ୫ଟି ପ୍ରଶ୍ନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶାରେ ବଢି ଚାଲିଥିବା ନାରୀ ନିର୍ଯ୍ୟାତନା, ଚିଟ୍‌ଫଣ୍ଡ ଜମାକାରୀଙ୍କ ଅର୍ଥ ଫେରସ୍ତ, ଓଡ଼ିଶାକୁ ଦାଦନମୁକ୍ତ ରାଜ୍ୟ କରାଇବା, ମାଇନିଂ ସ୍କାମରେ ଦୋଷୀଙ୍କୁ ଦଣ୍ଡିତ କରିବା ଓ ଆଦିବାସୀ ବିରୋଧୀ ମନୋଭାବକୁ ନେଇ ଭାରତୀୟ ଜନତା ପାର୍ଟି ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୫ଟି ପ୍ରଶ୍ନ ପଚରା ଯାଇଛି । ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଫଦନସିଂ କୁଲାସ୍ତେ ଯୋଗଦେଇ ଏହି ପ୍ରଶ୍ନ ପଚାରିଛନ୍ତି । ବେବିନା, ପିହୁ, ପରୀ, ମାଧବୀଲତା ଓ ସସ୍ମିତାଙ୍କ ପ୍ରତି ହୋଇଥିବା ଅତ୍ୟାଚାରର ତଦନ୍ତରେ ଏପର୍ଯ୍ୟନ୍ତ କେହି ଦୋଷୀ ସାବ୍ୟସ୍ତ ହେଲେନାହିଁ । ଯେଉଁ ନେତାମାନଙ୍କ ନାମରେ ଏହି ନାରୀ ନିର୍ଯ୍ୟାତନା ଅଭିଯୋଗ ରହିଛି, ସେମାନଙ୍କୁ ନିର୍ବାଚନରେ ଲଢିବା ପାଇଁ ଟିକେଟ ପ୍ରଦାନ କରାଯାଇଛି । ନାରୀ ନିର୍ଯ୍ୟାତନାକାରୀଙ୍କୁ କେବେ ଦଣ୍ଡ ଦିଆଯିବ, ସେ କଥା ନବୀନ ଉତ୍ତର ଦିଅନ୍ତୁ ବୋଲି ଶ୍ରୀ କୁଲାସ୍ତେ କହିଛନ୍ତି । ସେହିପରି ୩୪୨ଟି ଚିଟ୍‌ଫଣ୍ଡ କମ୍ପାନୀ ଦ୍ୱାରା ୨ କୋଟି ୬୦ଲକ୍ଷ ଓଡ଼ିଆଙ୍କ ଠାରୁ ୪୫୦୦ କୋଟି ଟଙ୍କା ଚିଟ୍‌ଫଣ୍ଡ ଦ୍ୱାରା ଲୁଟ୍ କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ଜମାକାରୀମାନେ ଟଙ୍କାଟିଏ ପାଇଲେ ନାହିଁ । ବରଂ ତଦନ୍ତ କମିଶନ ନାମରେ ଓଡ଼ିଆଙ୍କୁ ଭୁଆଁ ବୁଲାଗଲା । ଚିଟ୍‌ଫଣ୍ଡ ଜମାକାରୀଙ୍କୁ କେବେ ଅର୍ଥ ମିଳିବ, ସେଥିନେଇ ନବୀନ ସ୍ପଷ୍ଟିକରଣ ଦିଅନ୍ତୁ ବୋଲି କୁଲାସ୍ତେ କହିଥିଲେ । ରାଜ୍ୟରେ ଦେଢକୋଟି ଦାଦନ ଅନ୍ୟ ରାଜ୍ୟରେ ଖଟୁଥିବା ବେଳେ ଓଡ଼ିଶାକୁ ଏବେ ଦାଦନ ରାଜ୍ୟ ବୋଲି କୁହାଯାଉଛି । ଦେଢକୋଟି ଦାଦନରେ ନବୀନ କେମିତି ନମ୍ବର ୱାନ ହେଲେ ମୁଖ୍ୟମନ୍ତ୍ରୀ ତାର ଉତ୍ତର ରଖନ୍ତୁ । ଓଡ଼ିଶାରେ ମାଇନିଂ ସ୍କାମ କୋଟି କୋଟି ଟଙ୍କାର ହୋଇଥିବା ବେଳେ ଶାହା କମିଶନ ତୁରନ୍ତ ଦୋଷୀଙ୍କୁ ଦଣ୍ଡିତ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏପର୍ଯ୍ୟନ୍ତ ମାଇନିଂ ସ୍କାମରେ ଜଡ଼ିତ ଥିବା ମାଫିଆଙ୍କୁ ଗିରଫ କରାଗଲା ନାହିଁ କିମ୍ବା ସେମାନଙ୍କ ଠାରୁ ଅର୍ଥ ଆଦାୟ କରାଗଲା ନାହିଁ । ଏହାର କାରଣ ମୁଖ୍ୟମନ୍ତ୍ରୀ ରଖନ୍ତୁ । ଓଡ଼ିଶାରେ ଅର୍ଦ୍ଧାଧିକ ଲୋକସଂଖ୍ୟା ଆଦିବାସୀ ହୋଇଥିବା ବେଳେ ବିଜେଡ଼ି ସରକାର ଆଦିବାସୀ ମାରଣ ନୀତି ଗ୍ରହଣ କରିଛି । ଆଦିବାସୀମାନଙ୍କ ଜଳ, ଜମି ଓ ଜଙ୍ଗଲକୁ ଲୁଟ୍ କରୁଛି ସରକାର । ସେମାନଙ୍କ ଜମିକୁ ମାଫିଆମାନଙ୍କୁ ବିକ୍ରି କରିବା ପାଇଁ ସରକାର ଆଇନ ଆଣିଥିଲେ । କିନ୍ତୁ ବିରୋଧ ଫଳରେ ସେଥିରୁ ସାମୟିକ ଭାବରେ ଓହରି ଯାଇଛନ୍ତି । ଯାଜପୁର କଳିଙ୍ଗ ନଗରଠାରେ ଜମି ଅଧିଗ୍ରହଣକୁ ନେଇ ପୋଲିସ୍ ଗୁଳିରେ ମୃତ୍ୟୁବରଣ କରିଥିବା ଆଦିବାସୀମାନଙ୍କୁ ଏପର୍ଯ୍ୟନ୍ତ ନ୍ୟାୟ ମିଳିଲା ନାହିଁ । ଆଦିବାସୀ ମାରଣ ନୀତିରୁ ସରକାର କେବେ ଓହରିବେ ତାହା ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ କୁଲାସ୍ତେ କହିଥିଲେ ।ଏହି ସାମ୍ବାଦିକ ସମ୍ମିଳନୀରେ ୟୁ.ପି ରାଜ୍ୟସଭା ସଦସ୍ୟ ମିଥିଳେଶ କୁମାର, ବିଜେପି ନେତା ପିୟୁସ ମହାନ୍ତି, ବିଜେପି ରାଜ୍ୟ ପ୍ରବକ୍ତା ପ୍ରକାଶ ରଥ, ହିତେଶ ମହାପାତ୍ର ଓ ପାତଞ୍ଜଳି କରଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ