ମୋ ମାମୁଁ ଘର ପୋଡିନି

ଦିପ୍ତିମୟୀ ନାୟକ
ପୁରୁଣା ଦିନର ପୁରୁଣା ସ୍ମୃତି ଗୁଡିକ ଯେତେବେଳେ ମନେ ପଡ଼ିଯାଏ ସେତେବେଳେ ମୁହଁରେ ଏକ ସ୍ମିତହସ ଆସିଯାଏ | ଖାସ କରି ସେହି ଛୋଟ ବେଳର ସ୍ମୃତି | ସେହି ସ୍ମୃତି ଗୁଡିକ ମଧ୍ୟରୁ ଆଉ ଏକ ସ୍ମୃତି ହେଉଛି ମୋ ମାମୁଁ ଘର ପୋଡିନି | କିନ୍ତୁ କାଳେ ମୋ ମାମୁଁ ଘର ପୋଡିଯିବ ସେହି ଭୟରେ ସେହି ଅସନା ପାଣିକୁ ବି ମୁଁ ଚାଖିଛି ଆଉ ମୋ ମାମୁଁ ଘରକୁ ଆଜି ସୁରକ୍ଷିତ ରଖିଛି | ତେବେ ଆପଣ ଜାଣିଥିବେ ପିଲାଟିଏ ଯେତେବେଳେ ଖେଳ କୁଦରେ ଲାଗିଯାଏ ସେତେବେଳେ ତା ସହ ଖେଳିବାକୁ ସାହି ପଡିଶାର ସାଙ୍ଗସାଥି ମିଳିଯାଏ | ସାଙ୍ଗ ସାଥି ମିଳିଗଲା ପରେ ପ୍ରତ୍ୟେକ ପିଲା ଖେଳ କୁଦରେ ଲାଗିଯାଆନ୍ତି ଆଉ ମୁଁ ଯେତେବେଳେ ଛୋଟ ଥିଲି ସେତେବେଳେ ବିଭିନ୍ନ ପ୍ରକାର ଖେଳ ଖେଳିଛି | ଆଉ ସେହି ଖେଳ ଗୁଡିକ ମଧ୍ୟରୁ ମୋତେ ବାଲି ଖେଳ ଖେଳିବାକୁ ଖୁବ ଭଲ ଲାଗେ | ସେଥିପାଇଁ ମା’ର ଲୁଗା ପିନ୍ଧି ମିଛି ମିଛିକା ବୋହୂ ହେବା ଘରର ସବୁ କାମ କରିବା ସମସ୍ତଙ୍କୁ ଚା’ ପାଣି ଦେବା | ଗୁରୁଜନଙ୍କୁ ମୁଣ୍ଡିଆ ମାରିବା | କଣ୍ଢେଇକୁ ସାଙ୍ଗର କଣ୍ଢେଇ ସହ ବାହା କରିବା | କଣ୍ଢେଇକୁ ବାହା ଦେବାବେଳେ ମା’ର ଭଙ୍ଗା କାନଫୁଲ , ମଙ୍ଗଳସୂତ୍ରକୁ କଣ୍ଢେଇ କାନରେ ବେକରେ ପକେଇବା | କଣ୍ଢେଇ ଶାଶୁ ଘରକୁ ଗଲାବେଳେ ସାଙ୍ଗରେ ବିସ୍କୁଟ, ମିକ୍ସର ନେଇଯିବା | ଶାଶୁ ହେବା ଭୂମିକା ନେବା | ଏବଂ ସବୁ ସାଙ୍ଗଙ୍କ ଭିନ୍ନ ଭିନ୍ନ ଭୂମିକା ମଧ୍ୟ ଖୁବ ନିଆରା ଥିଲା | ଏ ଦୁନିଆ ଫିଲ୍ମ ଦୁନିଆ ଠାରୁ ଟିକେ ଅଲଗା ଦୁନିଆ ଥିଲା | କିନ୍ତୁ ଏହି ବାଲି ଖେଳରେ ବି ଦିନେ ମୋ ମାମୁଁ ଘର ପୋଡିଯିବାର ଭୟ ରହିଥିଲା | ପତ୍ରକୁ ଟଙ୍କା କରି ଅନ୍ୟଜଣେ ସାଙ୍ଗକୁ ଦୋକାନୀ କରି ତା ଦୋକାନରୁ ଚାଉଳ ବଦଳରେ ବାଲି, ଡାଲି ବଦଳରେ ଗୋଡି, ମସଲା ବଦଳରେ ଇଟା ଗୁଣ୍ଡ, ପରିବା ବଦଳରେ ବିଭିନ୍ନ ଗଛର ଫଳ, ଚା’ ବଦଳରେ ଚିକିଟା ମାଟିର ପାଣିକୁ ଅନେକ ଥର ରୋଷେଇ କରି ସେହି ମିଛି ମିଛିକା ଭାତ ତରକାରୀକୁ ଚାଖିଛି, ସେହି କ୍ଷୀର ଚା’ ଭଳି ଦିଶୁଥୁବା ଅପରିଷ୍କାର ପାଣିକୁ ସାଙ୍ଗ ସାଙ୍ଗେ ମିଶି ଚାଖିଛି କେବଳ ମୋ ମାମୁଁ ଘରର ମଙ୍ଗଳ ଚାହିଁଛି | ଆଜି ଯେତେବେଳେ ସେହି ପୁରୁଣା ଦିନ ଗୁଡିକ ମନେ ପଡୁଛି ମୁହଁରେ ଏକ ସ୍ମିତ ହସ ଆସିଯାଉଛି | ଯେଉଁ ପାଣିକୁ ମୁଁ ଅପରିଷ୍କାର ଏବେ କହୁଛି ସେହି ପାଣିକୁ ମୁଁ ବହୁତ ଥର ଚାଖିଛି | କାହିଁକି ନା ସେତେବେଳେ ସାଙ୍ଗମାନେ କୁହନ୍ତି ଏହି ରୋଷେଇ ଆମେମାନେ କରିଛେ ଯଦି ଏହାକୁ ଆମେମାନେ ନ ଚାଖିବା ଆମ ମାମୁଁ ଘର ପୋଡିଯିବ | ଆଉ ସେହି ଭୟରେ ସବୁ ସାଙ୍ଗ ଆଙ୍ଗୁଠିର ଟିପରେ ଟିପେ ଟିପେ ପାଣି ଚାଖିଛୁ ଏବେ ପରସ୍ପର ସହ ଯେତେବେଳେ ଭେଟ ହୋଇଯାଉ ଆରେ ତୋ ମାମୁଁ ଘର ପୋଡିଛି ନା ସୁରକ୍ଷିତ ଅଛି କହି ହସାହସି ହୋଇଯାଉ | ବାସ୍ତବରେ ଛୋଟବେଳେ ଛୋଟ ପିଲାଙ୍କ ବାଲି ଖେଳ ଭାରି ନିଆରା ଥାଏ କିନ୍ତୁ ଆଜିର ପିଲା କଣ ଆଉ ବାଲି ଖେଳ କଣ ଜାଣିଛି ନା କିଏ କାହା ପିଲାକୁ ବାଲି ଖେଳ ପାଇଁ ଛାଡ଼ୁଛନ୍ତି | ସମୟ ବଦଳିବା ସହ ବାଲି ଖେଳ ହଜିଗଲା | ପିଲାଙ୍କ ଖେଳ ଆଉ ବାଲିରେ ନୁହେଁ ମୋବାଇଲ ଗେମରେ ହେଉଛି | ବାଲି ଖେଳରେ ଆଖି ଖରାପ ହେବାର ଭୟ ନଥିଲା କିନ୍ତୁ ଏବେକା ପିଲା ମୋବାଇଲର ବହୁଳ ବ୍ୟବହାର କରି କରି ନିଜ ଦୃଷ୍ଟିଶକ୍ତି କମେଇ ସାରିଲାଣି | ସେତେବେଳେ ସେହି ଖେଳ ଗୁଡିକ ପିଲା ଖେଳିବା ସହ ଅନେକ ସାଙ୍ଗସାଥିଙ୍କୁ ପାଖରେ ପାଉଥିଲା ମନ ଆଉ ମସ୍ତିଷ୍କ ସ୍ଥିର ରହୁଥିଲା କିନ୍ତୁ ଏବେ ମୋବାଇଲ ସଂସ୍ପର୍ଶରେ ଆସି ଚିଡଚିଡାପଣ ରଖିଛି | ଟିକେ ଟିକେ କଥାରେ ବିରକ୍ତି ହେବାର ଭାବ ରଖି ଏକାନ୍ତରେ ରହିବାକୁ ବେଶ ଆଗ୍ରହ ପ୍ରକାଶ କରୁଛି | ମା’ର ପଣତ କାନି ବଦଳରେ ନିଜ ବିଛଣାକୁ ବେଶ ଭଲ ପାଇଛି | ଅଳସୁଆମୀକୁ ଆପଣେଇ ଆଜିର ଛୁଆ ଛୋଟ ବେଳର ଖେଳକୁ ଭୁଲିଛି | ମାନସିକ ଅଶାନ୍ତି ଭିତରେ ପିଲାର ଜିଦ୍ଦି ଆଗରେ ଆଧୁନିକ ଯୁଗର ବାପା ମା ହାର ମାନିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ