ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଅତ୍ୟାବଶ୍ୟକୀୟ ସାମଗ୍ରୀର ବଜାର ଦର ନିୟନ୍ତ୍ରଣ କରିବାକୁ ସମାଜବାଦୀ ପାର୍ଟିର ଦାବି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଗାମୀ ଦୁଇ ତିନିଦିନ ଭିତରେ ବଙ୍ଗୋପସାଗରରେ ଲଘୁଚାପ ଜନିତ ବାତ୍ୟା ସୃଷ୍ଟି ହେବା ସହିତ ଉପକୂଳ ଓଡ଼ିଶାରେ ଦୁଇଦିନ ଧରି ପ୍ରବଳ ବର୍ଷା ସାଙ୍ଗକୁ ୬୦/୭୦ କିଲୋମିଟର ବେଗରେ ପବନ ବହିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି । ବାତ୍ୟା ଆଶଙ୍କା ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଲୋକମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ବାତ୍ୟା ହେବା ଶୁଣିବା ଦିନଠାରୁ ଅତ୍ୟାବଶ୍ୟକୀୟ ସାମଗ୍ରୀର ବଜାର ଦର ପ୍ରତିଦିନ ବଢିବାରେ ଲାଗିଛି । ବାତ୍ୟା ସମୟରେ ଲୋକମାନେ ଅଧିକ ମାତ୍ରାରେ ଚାଉଳ, ଡାଲି, ଅଟା, ଚା, ଚିନି, ଆଳୁ ଓ ପିଆଜ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ ବାଜରରେ ଭିଡ଼ ଜମାଉଛନ୍ତି । କଳାବଜାରୀ ଏବଂ ମହଜୁଦକାରୀମାନେ ଏହାର ଫାଇଦା ନେଇ ଖାଉଟିଙ୍କୁ ଲୁଟିବାରେ ଲାଗିଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ଅତ୍ୟାବଶ୍ୟକୀୟ ସାମଗ୍ରୀର ବଜାର ଦର ନିୟନ୍ତ୍ରଣ କରିବାକୁ ସମାଜବାଦୀ ପାର୍ଟି ଦାବି କରିଛି ।ସମାଜବାଦୀ ପାର୍ଟି ସଭାପତି ରବି ବେହେରା ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ଯେ, ରାଜ୍ୟ ଖାଉଟି ଓ ଯୋଗାଣ ବିଭାଗ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ବଜାର ଦରକୁ ନିୟନ୍ତ୍ରଣ ଭିତରେ ରଖିବାକୁ ପଦକ୍ଷେପ ନେବା ଉଚିତ୍ । ତୁରନ୍ତ ବିଭାଗୀୟ କମିଶନର ଏକ ଉଚ୍ଚସ୍ତରୀୟ ବୈଠକ ଡାକି ପରିସ୍ଥିତିର ସମୀକ୍ଷା କରିବା ସଙ୍ଗେ ସଙ୍ଗେ ବ୍ୟବସାୟୀ ମହାସଂଘ, ପନିପରିବା ବ୍ୟବସାୟୀ ସଂଘ ସହିତ ଆଲୋଚନା କରି ବଜାର ଦର ସ୍ଥିର ରଖିବାକୁ ଶ୍ରୀ ବେହେରା ଦାବି କରିଛନ୍ତି । ବିଭିନ୍ନ ଜିଲ୍ଲାପାଳମାନେ ଅତ୍ୟାବଶ୍ୟକୀୟ ସାମଗ୍ରୀର କଳାବଜାରୀ ଓ ହୋର୍ଡିଂକୁ ନିୟନ୍ତ୍ରଣ କରିବା ପାଇଁ ସରକାର ତୁରନ୍ତ ନିର୍ଦ୍ଦେଶ ଦେବାକୁ ଏହି ଉଚ୍ଚସ୍ତରୀୟ ବୈଠକରେ ପଦକ୍ଷେପ ନେବାକୁ ଶ୍ରୀ ବେହେରା ଏହି ପ୍ରେସ୍ ବିଜ୍ଞପ୍ତି ଜରିଆରେ ସରକାରଙ୍କ ହସ୍ତକ୍ଷେପ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ