ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀରେ ବିଜେପିର ବିଜୟ ସଂକଳ୍ପ ସମାବେଶ

ବାଲେଶ୍ୱର, (ସରୋଜ ପଣ୍ଡା):ସଦର ନିର୍ବାଚନମଣ୍ଡଳୀରେ ବିଜେପି ପକ୍ଷରୁ ଓଲନ୍ଦା ସାରଗାଁ ପଂଚାୟତର ହାଟ ପଡିଆରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗଦେଇ ଓଡ଼ିଶା ପାଇଁ ମୋଦିଙ୍କ ଗ୍ୟାରେଂଟି ସମ୍ପର୍କରେ ଆଲୋଚନା କରିଥିଲେ । ଦୁଇଟି ପଦ୍ମ, ଦୁଇଗୁଣ ବିକାଶ ହେଉଛି ଓଡିଶାରେ ପ୍ରଗତିର ବାର୍ତ୍ତା । ମୋଦିଙ୍କ ତୃତୀୟ ପାଳି ସରକାରରେ ବାଲେଶ୍ୱର ଲୋକସଭାକୁ ମଧ୍ୟ ସାମିଲ କରିବା ପାଇଁ ସେ ସ୍ଥାନୀୟ ଲୋକଙ୍କୁ ଆହ୍ୱାନ ଦେଇଥିଲେ । ବିଜୁ ଜନତା ଦଳ ଶାସନରେ ଓଡ଼ିଶାର ବିକାଶ ପଛେଇ ପଡିଛି । ରାଜ୍ୟରେ ବିଜେପି ସରକାରକୁ ଆସିଲେ ମୋଦି ଓଡ଼ିଶାକୁ ସବୁ କ୍ଷେତ୍ରରେ ଏକ ନମ୍ବର କରିବେ ବୋଲି ଶ୍ରୀ ବୈଷ୍ଣବ କହିଥିଲେ । ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମରେ ବାଲେଶ୍ୱର ଜିଲ୍ଲାରେ ରେଳର ବିକାଶ ନିମନ୍ତେ ବ୍ୟାପକ ଯୋଜନା ହାତକୁ ନିଆଯାଇଛି । ଓଡିଶାରୁ ୩ଟି ବନ୍ଦେ ଭାରତ ଟ୍ରେନ ଚଳାଚଳ ଆରମ୍ଭ ହୋଇଥିବା ବେଳେ ଆଗାମୀ ଦିନରେ ବାଲେଶ୍ୱରରୁ ବନ୍ଦେ ମେଟ୍ରୋ ଟ୍ରେନ ଚଳାଚଳ କରିବ ବୋଲି ଶ୍ରୀ ବୈଷ୍ଣବ ସୂଚନା ଦେଇଥିଲେ । ଏହି ସମାବେଶରେ ବାଲେଶ୍ୱର ସାଂସଦ ତଥା ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଯୋଗଦେଇ ମୋଦି ଯୁଗରେ ବିକାଶ ପରିଭାଷା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସମଗ୍ର ବିଶ୍ୱରେ ଦେଶର ସୁନାମକୁ ସର୍ବାଗ୍ରେ ରଖିଥିବା ଦେଶର ଲୋକପ୍ରିୟ ନେତା ଭାବେ ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ଆଗାମୀ ୫ବର୍ଷ ପାଇଁ ଖାଦ୍ୟ ସୁରକ୍ଷାର ଗ୍ୟାରେଂଟି ଦେଇଛନ୍ତି ମୋଦି । ଦେଶ ସହିତ ଆମ ରାଜ୍ୟ ଏପରିକି ଆମ ଅଂଚଳର ବିକାଶକୁ ନୂତନ ସୋପାନରେ ପହଂଚାଇବା ଲକ୍ଷ୍ୟରେ ମୋଦିଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ କରାଇବାକୁ ବିପୁଳ ସଂଖ୍ୟାରେ ମତଦାନ କରିବାକୁ ଶ୍ରୀ ଷଡଙ୍ଗୀ ଆହ୍ୱାନ ଦେଇଥିଲେ । ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ପ୍ରାର୍ଥୀ ମାନସ କୁମାର ଦତ୍ତ ଏଥିରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତର ସଂକଳ୍ପ ଆଧାରରେ ବିକଶିତ ବାଲେଶ୍ୱର ଗଠନର ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ । ଏଥିପାଇଁ ଜନସାଧାରଣ ବିଜେପିକୁ ନିଶ୍ଚିତ ସମର୍ଥନ ଦେବେ ବୋଲି ଶ୍ରୀ ଦତ୍ତ ଆଶା ପ୍ରକାଶ କରିଥିଲେ । ଦୀର୍ଘ ୨୫ ବର୍ଷ ଧରି ରାଜ୍ୟରେ ପରିଚାଳିତ ବିଜେଡି ସରକାରର ବିକାଶ ନାରା ବିଫଳ ସାବ୍ୟସ୍ତ ହୋଇଥିବାରୁ ଲୋକେ କେନ୍ଦ୍ର ସହିତ ଓଡିଶାରେ ମଧ୍ୟ ବିଜେପି ସରକାର ପ୍ରତିଷ୍ଠା ପାଇଁ ମନ ବଳେଇ ସାରିଛନ୍ତି । ଆସନ୍ତା ଜୁନ ୧ ତାରିଖରେ ବିପୁଳ ସଂଖ୍ୟାରେ ମତଦାନ ସହ ଉଭୟ ସାଂସଦ ଓ ବିଧାୟକ, ଦୁଇଟି ଯାକ ଆସନ ପାଇଁ ପଦ୍ମ ଫୁଲ ଚିହ୍ନରେ ଭୋଟ ଦେବାକୁ ଶ୍ରୀ ଦତ ସମସ୍ତଙ୍କୁ ନିବେଦନ କରିଥିଲେ ।ତେବେ ଶ୍ରୀ ବୈଷ୍ଣବଙ୍କ ବାଲେଶ୍ୱର ଗସ୍ତର ଦ୍ୱିତୀୟ ଦିବସରେ ସକାଳେ ପ୍ରଥମେ ପୌରାଂଚଳର ୧ନଂ ଓ ୨ନଂ ୱାର୍ଡରେ ଘରକୁ ଘର ବୁଲି ଦଳୀୟ ପ୍ରାର୍ଥୀଙ୍କ ନିମନ୍ତେ ପ୍ରଚାର କରିଥିଲେ । ସ୍ଥାନୀୟ ଅଂଚଳବାସୀଙ୍କୁ ଭେଟି ସେ ଆଲୋଚନା କରିଥିଲେ । ଏହି ଅବସରରେ ତାଙ୍କ ସହିତ ଥିବା ବାଲେଶ୍ୱର ଲୋକସଭା ପ୍ରାର୍ଥୀ ଶ୍ରୀ ଷଡଙ୍ଗୀ ଓ ସଦର ବିଧାନସଭା ପ୍ରାର୍ଥୀ ଶ୍ରୀ ଦତ୍ତଙ୍କ ପାଇଁ ଶ୍ରୀ ବେଷ୍ଣବ ସମର୍ଥନ ମାଗିଥିଲେ । ପରେ ପ୍ରସିଦ୍ଧ ବାଣେଶ୍ୱର ମହାଦେବଙ୍କ ପୀଠରେ ପହଂଚି ତିନି ନେତା ପୂଜାର୍ଚ୍ଚନା କରିଥିଲେ । ସାଷ୍ଟାଙ୍ଗ ପ୍ରଣିପାତ ସହ ସେମାନେ ମାହାଦେବଙ୍କ ଆର୍ଶିବାଦ କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ