ପବିତ୍ର ଚନ୍ଦନ ପୂର୍ଣ୍ଣିମା, ବୁଦ୍ଧ ଜୟନ୍ତୀ ଓ ଗୁରୁ ପୂର୍ଣ୍ଣିମା

ଦଶରଥ ହେମ୍ବ୍ରମ୍‌
ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ପୂର୍ଣ୍ଣମୀ ହେଉଛି ଓଡିଆ ମାସର ଶେଷ ଦିନ ଏବଂ ବାରମାସ ମଧ୍ୟରୁ ବୈଶାଖ ମାସଟି ଆଦ୍ୟ ମାସ ଭାବରେ ଗଣନା କରାଯାଏ । ଚୈତ୍ରପୂର୍ଣ୍ଣମୀ ପରଦିନଠାରୁ ଆରମ୍ଭ ହୋଇ ବୈଶାଖ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି ପ୍ରଥମ ମାସର ଅବଧି, ଏହି ମାସର ଶେଷ ଦିନଟି ହେଉଛି ପବିତ୍ର ଚନ୍ଦନ ପୂର୍ଣ୍ଣିମା । ଏହି ଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଚନ୍ଦନ ଯାତ୍ରା ଅନୁଷ୍ଠିତ ହୁଏ । ଧର୍ମଶାସ୍ତ୍ର ଅନୁସାରେ, ବୈଶାଖ ଶୁକ୍ଳ ତୃତୀୟା (ଅକ୍ଷୟ ତୃତୀୟା)ଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ (ସ୍ନାନ ପୂର୍ଣ୍ଣିମାର ପୂର୍ବଦିନ) ପର୍ଯ୍ୟନ୍ତ ମୋଟ ୪୨ ଦିନ ଧରି ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହା ଅକ୍ଷୟ ତୃତୀୟାଠାରୁ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ ୨୧ ଦିନ ଧରି ନରେନ୍ଦ୍ର ପୁଷ୍କରିଣୀରେ ବାହାର ଚନ୍ଦନ ଯାତ୍ରା ରୂପରେ ଓ ପରବର୍ତ୍ତୀ ୨୧ ଦିନ ବ୍ୟାପୀ ଶ୍ରୀମନ୍ଦିରରେ ଭିତରେ ଚନ୍ଦନ ଯାତ୍ରା ପାଳିତ ହୋଇଥାଏ । ଏହି ଦିନଠାରୁ ଅର୍ଥାତ ବୈଶାଖ ଶୁକ୍ଳ ତୃତୀୟାଠାରୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ବିଭିନ୍ନ ଦାନଧର୍ମ ପୂଜାର୍ଚ୍ଚନା କରାଯାଏ । ଗୃହ ନିର୍ମାଣ, ଗୃହ ପ୍ରତିଷ୍ଠା, ମନ୍ଦିର ପ୍ରତିଷ୍ଠା, ନିର୍ବନ୍ଧ, ଶ୍ରୀଜଗନ୍ନାଥଙ୍କ ରଥଗଢ଼ା ଆରମ୍ଭ ଓ ଚନ୍ଦନ ଯାତ୍ରାର ଆରମ୍ଭ ଏହିଦିନଠାରୁ ହୋଇଥିବାରୁ ଏହା ଏକ ପାରମ୍ପାରିକ ଗଣ ମହୋଉତ୍ସବ ମଧ୍ୟ କୁହାଯାଏ । ବର୍ଷସାରା ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଶ୍ରୀକ୍ଷେତ୍ରରେ ବିଭିନ୍ନ ଲୀଳାଖେଳ ଲାଗି ରହିଥିବାରୁ କୁହାଯାଏ ଯେ, ବାର ମାସରେ ଅନୁଷ୍ଠିତ ହୁଏ ତେର ଯାତ ।ଚନ୍ଦନ ପୂର୍ଣ୍ଣିମାକୁ ବୌଦ୍ଧ ଗଣନାନୁସାରେ ଭଗବାନ ଗୌତମ ବୁଦ୍ଧଙ୍କ ଜନ୍ମ ଜୟନ୍ତୀ ଭାବେ ଏହି ଦିନ ପାଳନ କରାଯାଏ । ଏହି ଦିନରେ ବୌଦ୍ଧ ଧର୍ମର ପ୍ରତିଷ୍ଠାତା ଗୌତମ ବୁଦ୍ଧ ଜନ୍ମଗ୍ରହଣ କରିଥିଲେ ତେଣୁ ଏହି ଦିନକୁ ବୌଦ୍ଧ ପୂର୍ଣ୍ଣିମା କୁହାଯାଏ । ବୌଦ୍ଧ ଧର୍ମାବଲମ୍ବୀମାନେ ପ୍ରତ୍ୟେକ ପୂର୍ଣ୍ଣିମାରେ ପ୍ରାର୍ଥନା ଓ ଧ୍ୟାନ ବ୍ୟତୀତ ସ୍ୱତନ୍ତ୍ର ଉପାସନା, ଆରାଧନା, ସାଧନା ଆଦି ଆଚରଣବିଧି ପାଇଁ ଉପବାସ ରହିଥାନ୍ତି । ବର୍ଷର ବାରଟିଯାକ ପୂର୍ଣ୍ଣିମା ତିଥି ସେମାନଙ୍କ ପାଇଁ ଏହା ଅତ୍ୟନ୍ତ ପବିତ୍ର । ଏହି ପବିତ୍ର ତିଥିରେ ବୁଦ୍ଧତ୍ୱ ପ୍ରାପ୍ତ ଓ ନିର୍ବାଣ (ମୋକ୍ଷ) ପ୍ରାପ୍ତ ହୋଇଥିଲେ । ତାଙ୍କର ଶୀଳ, ସମାଧି, ପ୍ରଜ୍ଞା ଏବଂ ସତ୍ୟ, ଅହିଂସା ଓ କରୁଣାର ବାଣୀ ରାଷ୍ଟ୍ର, ଧର୍ମ ନିର୍ବିଶେଷରେ ସମସ୍ତଙ୍କୁ ପ୍ରଭାବିତ କରିଥିବାବେଳେ ବୌଦ୍ଧଧର୍ମର ସିଦ୍ଧାନ୍ତ ଓଡ଼ିଶାର ଧର୍ମ, ସଂସ୍କୃତି, ସାହିତ୍ୟ ଓ ଆଚାରବ୍ୟବହାର କ୍ଷେତ୍ରରେ ପ୍ରୟୋଗ ହୋଇଆସିଅଛି । ପବିତ୍ର ପୂର୍ଣ୍ଣମୀ ଅବସରରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ବୌଦ୍ଧ ଧର୍ମାବଲମ୍ବୀମାନେ ବୁଦ୍ଧ ପୂର୍ଣ୍ଣିମାରେ ଧଉଳିଗିରି ଓ ଭୁବନେଶ୍ୱରର ବୌଦ୍ଧ ବିହାରଠାରେ ବୁଦ୍ଧ ଜୟନ୍ତୀ ପାଳନ ପାଇଁ ଏକତ୍ରିତ ହୁଅନ୍ତି ଏବଂ ନିର୍ବାଣ ବା ମୋକ୍ଷରେ ଚିର ଶାନ୍ତି ଓ ପରମ ଆନନ୍ଦ ପାଇଥାନ୍ତି ଜଣେ ସାଧକ । ନିରବତା ଓ ନିସ୍ତବ୍‌ଧତା ଧ୍ୟାନ ପାଇଁ ଏକାନ୍ତ ଆବଶ୍ୟକ ଯାହାକି ବୌଦ୍ଧ ସାଧନାର ମୂଳଭିତ୍ତି । ସେହିପରି ପବିତ୍ର ବୈଶାଖ ପୂର୍ଣ୍ଣିମା ତିଥିରେ ସାନ୍ତାଳି ଭାଷାର ମହାନ ସାରସ୍ୱତ ସାଧକ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ଜୟନ୍ତୀ ମଧ୍ୟ । ଏହି ଦିନକୁ ପବିତ୍ର ଗୁରୁ ପୂର୍ଣ୍ଣିମା କୁହାଯାଏ । ମାନବ ରୂପରେ ଇଶ୍ୱରଙ୍କ ଏକ ଭିନ୍ନ ଅବତାର ହୋଇଥିବାରୁ ତାଙ୍କ ଜନ୍ମ ଜୟନ୍ତୀକୁ ତାରିଖ ପରିବର୍ତ୍ତେ ପବିତ୍ର ଗୁରୁ ପୂର୍ଣ୍ଣିମାରେ ପାଳନ କରାଯାଉଛି ।ଭାଷାକୁ ନେଇ ପ୍ରତ୍ୟେକ ଜାତି ପରିଚୟ ପାଇଥାଏ । ଏହା ଜାତିର ଗର୍ବ ଏବଂ ଗୌରବ ଆଣିଥାଏ । ସମଗ୍ର ବିଶ୍ୱରେ ତା’ର ଅସ୍ତିତ୍ୱ ଏବଂ ଅସ୍ମିତା ଜାହିର କରିଥାଏ । ତେବେ ଆଦିବାସୀବର୍ଗ ମଧ୍ୟରୁ ସାନ୍ତାଳ ଜାତିଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନ ପାଇଥିବା ବେଳେ ସାନ୍ତାଳୀ ଭାଷାରେ ଲେଖିବା କୌଣସି ଲିପି ନଥିଲା । ଫଳରେ ସାନ୍ତାଳମାନେ ସାମ୍ବିଧାନିକ ଅଧିକାରରୁ କିଛିବର୍ଷ ହେବ ବଞ୍ôଚତ ଥିଲେ । କିନ୍ତୁ ସାନ୍ତାଳ ସମାଜରେ ଜନ୍ମିତ ସେହି ମହାନ ସାରସ୍ୱତ ସାଧକଙ୍କ ଆପ୍ରାଣ ପ୍ରଚେଷ୍ଟା, ତ୍ୟାଗ ଏବଂ ସାଧନା ବଳରେ ୧୯୨୫ ମସିହାରେ ‘ଅଲଚିକି’ ଲିପି ଉଦ୍ଭାବନ ହୋଇ ସମଗ୍ର ଦେଶରେ ଇତିହାସ ସୃଷ୍ଟି ହୋଇପାରିଛି । ୧୯୦୫ ମସିହା ମଇ ମାସର ୫ ତାରିଖ ବୈଶାଖ ପୂର୍ଣ୍ଣିମାରେ ତାଙ୍କର ଜନ୍ମ । ପାର୍ଶୀ ସିଞ୍ଜ ଚାନ୍ଦ ନାମରେ ସେ ପରିଚିତ ଅର୍ଥାତ ସାନ୍ତାଳୀ ସାହିତ୍ୟର ସୂର୍ଯ୍ୟଦେବତା, ତେଣୁ ସାନ୍ତାଳ ସମାଜରେ ସାହିତ୍ୟ କ୍ଷେତ୍ରରେ ସୂର୍ଯ୍ୟଙ୍କ ଅବତାର ରଘୁନାଥ ମୁର୍ମୁଙ୍କୁ ବିଶ୍ୱାସ କରାଯାଏ । ଏଥିପାଇଁ ସାନ୍ତାଳ ଲୋକମାନେ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଭଗବାନ (ବଙ୍ଗା) ଭାବି ପବିତ୍ର ଗୁରୁ ପୂର୍ଣ୍ଣିମାରେ ପୂଜାର୍ଚ୍ଚନା କରିଥାନ୍ତି । ପଲ୍ଲୀରୁ ଦିଲ୍ଲୀ ଯାଏଁ ସାନ୍ତାଳ ସମେତ ଅନ୍ୟମାନେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଦୀପ, ଧୂପ ଏବଂ ଆଳତି ପ୍ରଦାନ କରିଥାନ୍ତି । ପୂଜାର୍ଚ୍ଚନା ସାରିବା ପରେ ସେ ଲେଖିଥିବା ତାଙ୍କର ଅମ୍ଳାନ କୃତିତ୍ୱ ‘ଲାକଚାର ସେରେଞ୍ଜ’ ସମସ୍ତେ ଏକାସାଙ୍ଗରେ ଗାନ କରିଥାନ୍ତି । ପବିତ୍ର ଜନ୍ମ ତିଥିରେ ପଣ୍ଡିତ ରଗୁନାଥ ମୁର୍ମୁଙ୍କ ଜୀବନୀ କାହାଣୀ ବିଷୟରେ ଆଲୋଚନା ହୁଏ । ପଣ୍ଡିତ ରଘୁନାଥ ମୁର୍ମୁଙ୍କର ଆହ୍ୱାନ ଥିଲା – ଅଲ୍ ମେନାଃ ତାମା ରଳ୍ ମେନାଃ ତାମା, ଧରମ ମେନାଃ ତାମା ଆମ ହଁ ମେନାମ୍‌, ଅଲ୍ ଏମ୍ ଆଦ୍ ଲେରେ ରଳ୍ ଏମ୍ ଆଦ୍‌ଲେ, ଧରମ୍ ଏମ୍ ଆଦ୍ ଲେରେ ଆମ୍ ହମ୍ ଆଦଃ । ଅର୍ଥାତ୍‌, ତୁମ ଲିପି ଅଛି, ତୁମ ଭାଷା ଅଛି, ତୁମ ଧର୍ମ ଅଛି, ତୁମେ ମଧ୍ୟ ରହିଛ । ଲିପି ହଜିଲେ, ତୁମ ଭାଷା ହଜିବ, ଧର୍ମ ହଜିଲେ, ତୁମେ ମଧ୍ୟ ହଜିଯିବ । ଭାଷା ଓ ଧର୍ମକୁ ନେଇ ତାଙ୍କର ଏହିପରି ବାଣୀ ସମସ୍ତଙ୍କୁ ଜାଗ୍ରତ ଏବଂ ସଚେତନ କରିବାରେ ସେ ସକ୍ଷମ ହୋଇପାରିଥିଲେ । ବାସ୍ତବରେ ତାଙ୍କର ଅମ୍ଳାନ କୃତିତ୍ୱସବୁ ସୁସ୍ଥ ସମାଜ ଗଠନ ଏବଂ ଉତ୍ତମ ମଣିଷ ହେବାର ବାର୍ତ୍ତାବହନ କରେ ଓ ଦିଗଦର୍ଶନ ଦିଏ ।
ସାନ୍ତାଳୀ ଭାଷା ଓ ଅଲଚିକି ଲିପିକୁ ଅଧିକ ପ୍ରଚାର ଓ ପ୍ରସାର ପାଇଁ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ରଚନା ପୁସ୍ତକ ଗୁଡିକ ହେଲା “ଞେଲ୍ ଜପ୍ସ ଲାଗିଦ୍ ଅଲ୍‌, ଅଲ୍ ଚେମେଦ୍‌, ପାର୍ସିପୋହା, ପାର୍ସି ଅପାଦ, ଏଲ୍‌ଖା ପତବ୍ (ଗଣିତ ପୁସ୍ତକ) ଏବଂ ରନଳ (ବ୍ୟାକରଣ) । ସେହିଭଳି ସାନ୍ତାଳ ଜାତିକୁ ଏକ ସୂତ୍ରରେ ବାନ୍ଧିରଖିବା ପାଇଁ ନାଟ୍ୟ ପୁସ୍ତକଗୁଡ଼ିକ ହେଲା ବିଦୁ ଚାନ୍ଦାନ, ଦାଳେଗେ ଧନ୍‌, ଖେର୍ୱାଳ ବୀର ଓ ସିଦ କାହ୍ନୁ ସାନ୍ତାଳ ହୁଲ୍ । ଏହା ବ୍ୟତୀତ ସାନ୍ତାଳୀ ସଂସ୍କୃତି, ପରମ୍ପରା ଓ ଇତିହାସକୁ ଉଜ୍ଜୀବିତ କରିବା ପୁସ୍ତକ ଗୁଡିକ ହେଲା ହର୍ ସେରେଞ୍ଜ, ବାହା ସେରେଞ୍ଜ, ବାଖେଣ ବିନ୍ତି ଏବଂ ହିତାଲ ଆଦି । ହିତାଲ ପୁସ୍ତକକୁ ସାନ୍ତାଳୀରେ ଧର୍ମଗ୍ରନ୍ଥ ବୋଲି ଗ୍ରହଣ କରାଯାଏ । ତାଙ୍କର ଏହି ମହାନ୍ ଅବଦାନକୁ ସ୍ୱୀକୃତି ଦେଇ ଓଡ଼ିଶା ସାହିତ୍ୟ ଏକାଡେମିରୁ ୧୯୭୮ରେ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲା । ଓଡିଶା ରାଜ୍ୟର ପଞ୍ଚମ ସରକାରୀ ଭେଷଜ ମହାବିଦ୍ୟାଳୟ ମଧ୍ୟ ତାଙ୍କ ନାମରେ ନାମିତ ହୋଇଛି । ସେହିପରି ପଶ୍ଚିମବଙ୍ଗ ସରକାର ମଧ୍ୟ ଦୁଇଟି ସରକାରୀ ମହାବିଦ୍ୟାଳୟକୁ ତାଙ୍କ ନାମରେ ନାମିତ କରିଛନ୍ତି ।
ପଣ୍ଡିତ ରଘୁନାଥ ମୁର୍ମୁ କେବଳ ସାନ୍ତାଳୀ ଭାଷାର ଲିପିକୁ ସୃଷ୍ଟି କରିନାହାନ୍ତି ବରଂ ତା’ର ପ୍ରଚାର ଓ ପ୍ରସାର ପାଇଁ ଆଜୀବନ ବ୍ରତୀ ଥିଲେ । ତାଙ୍କର ପ୍ରଚେଷ୍ଟାରେ ସମଗ୍ର ରାଜ୍ୟ ତଥା ଦେଶରେ ସାନ୍ତାଳୀ ଭାଷାର କାୟା ବିସ୍ତାର କରିଚାଲିଛି କହିଲେ ହୁଏତ ଭୁଲ ହେବନାହିଁ । ସେ ଥିଲେ ସାନ୍ତାଳୀ ଭାଷାର ମାର୍ଗଦର୍ଶକ, ସ୍ରଷ୍ଟା, ପ୍ରତିଷ୍ଠାତା ଓ ଅଲଚିକି ଲିପିର ଜନକ । ଆହୁରି ମଧ୍ୟ ସେ ଥିଲେ ସାନ୍ତାଳ ଜାତିର ସଂସ୍କୃତି, ଶିକ୍ଷା ଓ ସମାଜର ରକ୍ଷାକର୍ତ୍ତା ଏବଂ ଏକତାର ଜଣେ ଅମର ପ୍ରତୀକ ।
ସେହିପରି ମହିମା ଧର୍ମର ପ୍ରତିଷ୍ଠାତା ସନ୍ଥ କବି ଭୀମ ଭୋଇ ମଧ୍ୟ ବୈଶାଖ ପୂର୍ଣ୍ଣିମା ତିଥିରେ ସୋନପୁର ଜିଲ୍ଲା ବିରାମହାରାଜପୁର ଅନ୍ତର୍ଗତ ଜଟାସିଙ୍ଗ ଗ୍ରାମରେ ଏକ କନ୍ଧ ସାମ୍ପ୍ରଦାୟରେ ଜନ୍ମ ଗ୍ରହଣ କରିଥିଲେ । କୁହାଯାଏ, ଭୀମ ଭୋଇଙ୍କ ପିତାମାତା ଅଜଣା କିନ୍ତୁ ଗାଁ ମୁଣ୍ଡ ପୋଖରୀ ହୁଡ଼ା ନିକଟସ୍ଥ ତାଳବଣରୁ ସେହି ଗ୍ରାମର ସନ୍ତାନହୀନ କନ୍ଧ ଦମ୍ପତି ଗୁରୁବାରୀ ଓ ଦନାଇ ଭୋଇ ତାଙ୍କୁ ପାଇ ଲାଳନ-ପାଳନ କରିଥିଲେ । ବିଶ୍ୱର ଶ୍ରେଷ୍ଠ ଆଦିବାସୀ କବି ଭୀମ ଭୋଇଙ୍କ ନାମ ସର୍ବତ୍ର ପରିଚିତ । ଏକଧାରରେ ସେ ଥିଲେ କବି, ପଣ୍ଡିତ, ତତ୍ୱଦର୍ଶୀ, କର୍ମଯୋଗୀ, ସଂସ୍କାରକ, ବିପ୍ଳବୀ, ସଂଗଠକ, ଧର୍ମଯାଜକ, ମାନବବାଦୀ ଓ ସାମ୍ୟବାଦ ଚିନ୍ତାଧାରାର ମୂର୍ତ୍ତିମନ୍ତ ପ୍ରତୀକ । ସେହି ସମୟରେ ପ୍ରଚଳିତ ସମାଜରେ ଘୃଣ୍ୟ ଜାତିଭେଦ, ଅନ୍ଧବିଶ୍ୱାସ ଏବଂ କୁସଂସ୍କାର ବିରୋଧରେ ଲଢ଼େଇ କରି ସୁସ୍ଥ ସମାଜ ଗଠନ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ଇତିମଧ୍ୟରେ ୧୩୨ ଖଣ୍ଡ ପୁସ୍ତକ ରଚନା କରିଥିଲେ, ସବୁଯାକ କଣ୍ଠସ୍ଥ ଥିଲା କିନ୍ତୁ ଯେତେବେଳେ ଯେଉଁ ପୁସ୍ତକର, ଯେଉଁ ଅଧ୍ୟାୟର, ଯେଉଁ ପଦକୁ ବୋଲିବା ପାଇଁ କହିଲେ ଗୀତ ମାଧ୍ୟମରେ ଗାଇକି ସେ ଶୁଣାଇ ଦେଇଥିଲେ । ତନ୍ମଧ୍ୟରୁ ତାଙ୍କର ରଚିତ ଚିନ୍ତାମଣିକୁ ମହିମା ଧର୍ମର ବେଦ କହିଲେ ଅତ୍ୟୁକ୍ତି ହେବନାହିଁ । ଭୀମ ଭୋଇଙ୍କ ଯେଉଁ ମହିମାବାଣୀ ସମଗ୍ର ବିଶ୍ୱରେ ଆଲୋଡନା ସୃଷ୍ଟି କରିପାରିଛି, ତାହା ହିଁ ସକଳ ଧର୍ମର ଶ୍ରେଷ୍ଠ ସାହିତ୍ୟ ବୋଲି କୁହାଯିବ । ତେଣୁ ସନ୍ଥ କବି ଭୀମ ଭୋଇଙ୍କ ଉଦାରକଣ୍ଠର ବାଣୀ –
ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ, ଦେଖୁ ଦେଖୁ କେବା ସହୁ,
ମୋ ଜୀବନ ପଛେ ନର୍କେ ପଡିଥାଉ, ଜଗତ ଉଦ୍ଧାର ହେଉ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ