କୋରୁଅ ଗ୍ରାମରେ ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ କୋରୁଅ ପଂଚାୟତର କୋରୁଅ ଗ୍ରାମରେ ସୋମବାର ଜଣେ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଡ୍ରାଇଭର ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସତ ହେଉଥିବା ଜଣାଯାଇଛି । ଗାରୋଇ ଫାଣ୍ଡି ଅଧୀକାରୀ ସୁଶାନ୍ତ ପଣ୍ଡାଙ୍କ ସୂଚନା ମୁତାବକ ମୃତ ଡ୍ରାଇଭର ଜଣକ ହେଲେ ମୟୁରଭଞ ଜିଲ୍ଲା ରାଇରଙ୍ଗପୁର ଥାନା ଅନ୍ତର୍ଗତ ମୂଷାବଣୀ ଗ୍ରାମର ରାଜେନ୍ଦ୍ର ସେଠୀ(୩୭) । ଅନ୍ୟ ଗୁରୁତରଙ୍କର କୌଣସି ସୂଚନା ଫାଣ୍ଡି ଅଧୀକରୀଙ୍କ ପାଖରେ ନଥିବା ସେ ପ୍ରକାଶ କରିଛନ୍ତି । ଏସଂକ୍ରାନ୍ତରେ କୌଣସି ଅଭିଯୋଗ ହୋଇ ନଥିବା ବେଳେ ମୃତକ ଜଣକ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଜଣାଯାଇଛି । ପ୍ରକାଶଯୋଗ୍ୟ ଯେ ଉକ୍ତ ୨ ଡ୍ରାଇଭର କୋରୁଅ ଗ୍ରାମର ନକୁଳ ବିଶ୍ୱାଳଙ୍କର ଗାଡି ଚାଳକ ଅଟନ୍ତି । ବିଶ୍ୱାଳ ପାରାଦୀପରେ ରହୁଥିବା ବେଳେ ଗାଁକୁ ଆସିଥିଲେ । ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ ଉଭୟ ରବିବାର ରାତିରେ ଖାଇ ଶୋଇଥିଲେ । ସକାଳୁ ନ ଉଠିବାରୁ ନକୁଳ ବିଶ୍ୱାଳଙ୍କ ପରିବାର ଲୋକ ଶୋଇବା ଘରର କବାଟ ବାଡେଇଥିଲେ । କବାଟ ନ ଖୋଲିବାରୁ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ କବାଟ ତଡା ଯାଇଥିଲା । ୨ଜଣ ମୁର୍ମୂଷ ଅବସ୍ଥାରେ ପଡିଥିଲେ । ପ୍ରଥମେ ଉଭୟକୁ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଜଣକୁ ମୃତ ଘୋଷଣା କରାଯାଇଥିଲା । ଗୁରୁତର ହୋଇଥିବା ଅନ୍ୟ ଡ୍ରାଇଭରକୁ କଟକ ସ୍ଥାନାନ୍ତର କରାଯାଇଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଉଭୟ ଖାଇ ଶୋଇଥିବା ବେଳେ କିପରି ୨ଜଣ ଏକ ସଙ୍ଗରେ ଅସୁସ୍ଥ ହେଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରଛି । କେଉଁ କାରଣରୁ ଉଭୟ ଅସୁସ୍ଥ ହେଲେ ତାହା ତଦନ୍ତ ସାପେକ୍ଷ ବୋଲି ସ୍ଥାନୀୟ ଅଂଚଳବାସୀ ମତବ୍ୟକ୍ତ କରିଛନ୍ତି । ମୃତକଙ୍କ ପରିବାର କେହି ଆସି ନଥିବାରୁ ଥାନାରେ କୌଣସି ଅଭିଯୋଗ କରାଯାଇନାହିଁ । ଏସଂର୍ପକରେ ନକୁଳ ବିଶ୍ୱାଳଙ୍କ ମତାମତ ନେବା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ