ପ୍ରଶାସନର ଅଜବ ନୀତି ରାତି ୮ଟା ପରେ ଚାହା ଦୋକାନ ବନ୍ଦ, ମଦ୍ୟପାନ ଦୋକାନ ଖୋଲା

ହିଞ୍ଜିଳିକାଟୁ,(ସୁଧାନିଧି ଚୌଧୁରୀ): ଗଞ୍ଜାମ ଜିଲ୍ଲାରେ ନିର୍ବାଚନ ହିଂସା କୁ ପ୍ରତିରୋଧ କରିବା ପାଇଁ ଜୁନ ୫ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ସମସ୍ତ ଏନ୍ଏସି, ପୈାରାଞ୍ଚଳ ଓ ବ୍ଳକ ଅଞ୍ଚଳରେ ପ୍ରତ୍ୟହ ରାତ୍ରି ୮ଟା ପରେ ଔଷଧ ଦୋକାନ ବ୍ୟତୀତ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦର ରଖିବାକୁ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ନିର୍ଦ୍ଦେଶ ଦେଇଛନ୍ତି।‌ ଏହି ପରିପ୍ରେକ୍ଷୀରେ ହିଞ୍ଜିଳି ଥାନା ପୁଲିସ ପ୍ରଶାସନ ପକ୍ଷରୁ ସନ୍ଧ୍ୟା ୭ଟାରୁ ସ୍ଥାନୀୟ ସହରରେ ପାଟ୍ରୋଲି° ଆରମ୍ଭ କରାଯିବା ସହ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକୁ ବନ୍ଦ କରିବା ପାଇଁଁ ଦୋକାନ ମାଲିକ ମାନଙ୍କୁ ପରାମର୍ଶ ଦିଆଯାଉଥିବା ଦେଖିବାକୁ ମିଳିଛି। ଏସପିଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ଏବଂ ପୁଲିସ ଭୟରେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକ ମାନେ ନିଜ ନିଜ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ କରି ଦେଉଥିବା ଦେଖିବାକୁ ମିଳିଛି। ହିଞ୍ଜିଳିକାଟୁ ସହରରେ ଅବସ୍ଥିତ ଔଷଧ ଦୋକାନକୁ ବାଦ୍ ଦେଇ ସମସ୍ତ ପାନ ଦୋକାନ, ହୋଟେଲ, ରେଷ୍ଟୁରାଣ୍ଟ, ତେଜରାତି ଦୋକାନ ସମେତ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ବନ୍ଦ କରାଯାଉଛି। କିନ୍ତୁ ବାସ୍ତବରେ ହିଂସାକାଣ୍ଡ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡିତ ମଦ୍ୟପାନ ଦୋକାନ ଗୁଡିକ ପୂର୍ବପରି ରାତ୍ର ୧୦ ଠାରୁ ସାଢେ ୧୦ ଘଣ୍ଟା ପର୍ଯ୍ୟନ୍ତ ଖୋଲା ରହିବା ସହ ବ୍ୟବସାୟ କାରବାର କରାଯାଉଥିବା ଦେଖିବାକୁ ମିଳୁଛି। କିଛି ମଦ୍ୟପ ଶ୍ରେଣୀର ବ୍ୟକ୍ତି ବିଶେଷ ମଦ୍ୟପାନ କରି ଛୋଟବଡ ହିଂସାକାଣ୍ଡ ଘଟଣାରେ ଲିପ୍ତ ରହୁଥିବା ଦେଖିବାକୁ ମିଳୁଛି। ଦିନ ତମାମ ପ୍ରଚଣ୍ଡ ରୌଦ୍ରତାପରେ ବ୍ୟବସାୟ ହେଉନାହିଁ। ସନ୍ଧ୍ୟା ବେଳକୁ କିଛିଟା ବେପାର ବଣିଜ ଆରମ୍ଭ ହେବାବେଳେ ପ୍ରଶାସନର ନିର୍ଦ୍ଦେଶ ମୁତାବକ ବନ୍ଦ କରିବାକୁ ପଡୁଛି ବୋଲି ବହୁ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକ ମାନେ କ୍ଷୋଭର ସହ କହିଛନ୍ତି। ଏପରିକି ରାତି ୮ଟା ପରେ ହୋଟେଲ ଗୁଡିକରେ ବ୍ୟବସାୟ ଆରମ୍ଭ ହେବାକୁ ବସିଥିବା ବେଳେ ବନ୍ଦ କରିବାକୁ ପଡୁଛି। ଯଦ୍ୱାରା ହୋଟେଲ ବେପାର ସମ୍ପୁର୍ଣ୍ଣ ବାଧାପ୍ରାପ୍ତ ହେବା ସହ ହୋଟେଲ ମାଲିକ ମାନେ କ୍ଷତିଗ୍ରସ୍ତ ହେଉଥିବା କହିଛନ୍ତି।‌ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ହିଂସାକାଣ୍ଡ ଘଟଣାରେ ଜଡିତ ମଦ ଦୋକାନ ଗୁଡିକ ରାତ୍ରି ୧୦ ଘଣ୍ଟା ପର୍ଯ୍ୟନ୍ତ ଖୋଲା ରଖି ବ୍ୟବସାୟ କରୁଥିବା ବେଳେ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ବନ୍ଦ କରାଯିବା କେତେଦୂର ଯୁକ୍ତିଯୁକ୍ତ ବୋଲି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି। ଅନ୍ୟପକ୍ଷରେ ସରକାର ମଦରୁ ପ୍ରଚୁର ରାଜସ୍ବ ପାଉଥିବାରୁ ଜାଣିଶୁଣି ନିରବ ସାଜିବା ଏବଂ ମଦ ଦୋକାନ ପାଇଁ ନିୟମ କାର୍ଯ୍ୟକାରୀ କରାଯାଉନାହିଁ ବୋଲି ବହୁ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକ ମାନେ କହିଛନ୍ତି। ଏ ଦିଗରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ