ମୋବାଇଲ୍ ଫୋନ୍ ପ୍ରତି ସାବଧାନ
ଦଶରଥ ହେମ୍ବ୍ରମ୍
ଯେତେବେଳେ ମାନବ ସମାଜରେ ମୋବାଇଲ୍ ଫୋନ୍ ଉପଲବ୍ଧ ନଥିଲା ସେତେବେଳେ ଏ ମଣିଷ ହାତ ଲେଖା ଚିଠିକୁ ଅତ୍ୟାବଶ୍ୟକ ମନେକରି ଗୁରୁତ୍ୱ ଦେଇଆସୁଥିଲା । କିନ୍ତୁ ମୋବାଇଲ୍ ଫୋନ୍ ଯେତେବେଳେ ମାନବ ସମାଜକୁ ଆସିଲା ସେତେବେଳେ ସମସ୍ତଙ୍କ ପାଇଁ ଏହା ଏକ ଅତ୍ୟାବଶ୍ୟକ ସାମଗ୍ରୀରେ ପରିଣତ ହେଲା । ଏହା କେବଳ କଥାବାର୍ତ୍ତା ମଧ୍ୟରେ ସୀମିତ ନାହିଁ, ବରଂ ଏହାର ବ୍ୟବହାରର ବ୍ୟାପକତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯୋଗାଯୋଗର ପରିଧିରୁ ବାହାରି ବିଭିନ୍ନ ଜରୁରିକାଳୀନ ଓ ଅତ୍ୟାବଶ୍ୟକ ସେବା ଦେବାରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ନେଇଛି । ତେବେ ଏହାକୁ ମୋଟୋରୋଲା କମ୍ପାନିର କର୍ମଚାରୀ ଡ. ମାର୍ଟିନ୍ କୁପର୍ ଏପ୍ରିଲ ୩, ୧୯୭୩ରେ ଉଦ୍ଭାବନ କରିଥିବାରୁ ତାଙ୍କୁ ସେଲ୍ ଫୋନର ଜନକ କୁହାଗଲା । ବର୍ତ୍ତମାନର ମୋବାଇଲ୍ ଫୋନ୍ ଏବଂ ସେତେବେଳର ମୋବାଇଲ୍ ଫୋନ୍ ଲୁକ୍ ଏବଂ ସାଇଜ୍ରେ ଆକାଶ-ପାତାଳର ଫରକ । ଏମିତିକି ସେତେବେଳର ସେଲ୍ଫୋନ୍ ୧୦ ଘଣ୍ଟା ରିଚାର୍ଜ କରିଲେ ମାତ୍ର ୨୫ ମିନିଟ୍ କଥାବାର୍ତ୍ତା କରିହେଉଥିଲା । କିନ୍ତୁ ବର୍ତ୍ତମାନ ସମୟରେ ତାହା ଅତି ସହଜସାଧ୍ୟ । ତେବେ ଉଦ୍ଭାବନର ୧୦ ବର୍ଷ ପରେ ମୋବାଇଲ୍ ଫୋନ୍ ମାର୍କେଟକୁ ଆସିଥିଲା । ଆମେରିକାରେ ହିଁ ଏହା ପ୍ରଥମେ ଉପଲବ୍ଧ ହୋଇଥିଲା । ସେତେବେଳେ ଏହାର ଦାମ୍ ୩, ୯୯୫ ଆମେରିକୀୟ ଡଲାର୍ ଏବଂ ଓଜନ ପାଖାପାଖି ୧ କେଜି ଥିଲା । ଦୀର୍ଘ ୫୦ ବର୍ଷ ପୂର୍ବେ ମାନବ ଜଗତକୁ ମାର୍ଟିନ୍ କୁପର୍ ଦେଇଥିବା ଏହି ଅମୂଲ୍ୟ ଉପହାର ଏବେ ମୋଟୋରୋଲା ନୁହେଁ, ଟପ୍-ଏଣ୍ଡ ଆଇ-ଫୋନ୍ରେ ପରିବର୍ତ୍ତିତ ହୋଇଗଲାଣି ।ମଣିଷ ପାଇଁ ମୋବାଇଲ୍ ଫୋନ୍ ଭାରି ମାରାତ୍ମକ ଜିନିଷ କହିବା ଅସ୍ୱୀକାର କରିହେବନାହିଁ । କାରଣ, ମୋବାଇଲ୍ ଫୋନ୍ ଯେତିକି ଭଲ ତା’ଠୁ କେତେ ଗୁଣରେ ଯେ ଖରାପ, ତାହା ତର୍ଜମା କରି ଫଳାଫଳ ବାହାର କରିବାକୁ କାହାରି ପାଖରେ ହୁଏତ ସମୟ ନଥିବ । ଯାହାବି ହେଉ, ଏହାରି ବଳରେ ମଣିଷମାନେ ଦୁନିଆରେ କିଏ ଲୋକପ୍ରିୟତା ହାସଲ କରି ଚର୍ଚ୍ଚାକୁ ଆସୁଛି ତ, କିଏ ପୁଣି ଅପମାନ ପରିସରକୁ ଯାଉଛି? ସେମିତି କିଏ ଗରିବରୁ କୋଟିପତି ହେଉଛି ତ, କିଏ ପୁଣି କୋଟିପତିରୁ ଭିକାରୀ? ପରେ ଆତ୍ମହତ୍ୟା ପାଇଁ ମଧ୍ୟ ବାଧ୍ୟ ହେଉଛି । ଏମିତି ଦୁନିଆ ଲୋକଙ୍କର ଦୁନିଆ ଅଭିଯୋଗ ଥିବା ବେଳେ ବାପା-ମାଆଙ୍କର ଓ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସନ୍ଦେହ, ସେମିତି ଭାଇ ଭଉଣୀଙ୍କ ମଧ୍ୟରେ ଅଯଥା ଝଗଡ଼ା ଏବଂ ପିଲାମାନଙ୍କର ପାଠପଢ଼ା ପରି ଅନେକ ସମସ୍ୟା ଭିତରେ ମୋବାଇଲ୍ ଫୋନ୍ ବିରୋଧୀ ହୋଇ ଛିଡ଼ାହୋଇଛି । ସମୟ ଓ ପରିସ୍ଥିତି ଅନୁଯାୟୀ ଏହା କେତେବେଳେ ଅଭିଶପ୍ତ ତ କେତେବେଳେ ବରଦାନକାରୀ ଭାବେ କାର୍ଯ୍ୟ କରିଥାଏ । ଯଦି ଆଜି ଆତ୍ମ-ବିକାଶର କଥା ଉଠେ, ତେବେ ମୋବାଇଲ୍ ଫୋନ୍ ଦ୍ୱାରା ଏହା ସମ୍ଭବପର ମନେହୁଏ । ତଥାପି, ମୋବାଇଲ୍ ଫୋନ୍ ପ୍ରତି ସମସ୍ତଙ୍କୁ ସାବଧାନ ରହିବାକୁ ପଡ଼ିବ, ନହେଲେ ଏହାଦ୍ୱାରା ଜୀବନ ଦୁର୍ବିସହ ହେବାକୁ ଗୋଟିଏ ସେକଣ୍ଡ ବି ଲାଗିବ ନାହିଁ । ପ୍ରତ୍ୟେକ ଶତାବ୍ଦୀରେ କିଛି ନା କିଛି ବୈଷୟିକ ସଙ୍ଘର୍ଷର ପ୍ରତିଫଳିତ ହେଇଛି । ତେବେ ଏକବିଂଶ ଶତାବ୍ଦୀରେ ଏହାର ଶ୍ରେୟ ମୋବାଇଲକୁ ଦିଆଯାଇପାରେ । କାରଣ, ରାଷ୍ଟ୍ର ବିକାଶ କରିବା ସହ ନୂଆସବୁ ସ୍ୱପ୍ନ ମଣିଷ ଦେଖିଲା, କିନ୍ତୁ ଦେଶ ଯେତିକି ଅଗ୍ରଗତି ହୋଇଛି ସେତିକି ମଧ୍ୟ ବିପଦର ସାମ୍ନା କରିବାକୁ ପଡୁଛି । ମୋବାଇଲ୍ ଫୋନ୍ ମଣିଷର ଏକ ଅବିଚ୍ଛେଦ୍ୟ ଅଙ୍ଗ, ଏହାକୁ କେହି ଏଡ଼ାଇ ଦେଇପାରିବେ ନାହିଁ । କାର୍ଯ୍ୟ, ଉତ୍ପାଦକତା, ମନୋରଞ୍ଜନ ଏବଂ ଯୋଗାଯୋଗରେ ଏହାର ଏକ ମୁଖ୍ୟ ଭୂମିକା ରହିଛି । ଅଫିସରେ କାମ କରିବା ହେଉ, ଶୋଇବା ସମୟ ହେଉ, ଯାତ୍ରା ସମୟ ହେଉ, ଘର କାମ ହେଉ, ସାଙ୍ଗସାଥି କିମ୍ବା ବାନ୍ଧୁବାନ୍ଧବଙ୍କୁ ଅପେକ୍ଷା କରିବା ସମୟ ହେଉ, ସକାଳେ ଉଠିବା କିମ୍ବା ଗାଡ଼ି ଚଳାଇବା ହେଉ, ଏମିତିକି ରାସ୍ତାରେ ଚାଲିବା ସମୟରେ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ଅତିକ୍ରମ କରିବା ବେଳରେ ମୋବାଇଲ୍ର ବ୍ୟବହାର ମଣିଷ ଛାଡ଼ିପାରୁନାହିଁ । ଯେଉଁଥିପାଇଁ ମଣିଷ ଦୁର୍ଘଟଣାରେ ଶିକାର ହେଇ ମୂଲ୍ୟବାନ ଜୀବନକୁ ହରେଇ ଦେଉଛି । ଆୟୁଷ ନ ସରିବା ପୂର୍ବରୁ ଏଭଳି ଦୁଃଖଦ ଖବର ଅନ୍ୟମାନଙ୍କୁ ମର୍ମାହତ କରିଦେଉଛି । ସେଥିପାଇଁ ଅନାବଶ୍ୟକ ମୋବାଇଲ୍ ଫୋନ୍ ବ୍ୟବହାର ଠାରୁ ଦୂରେଇ ରହିଲେ ସୁସ୍ଥ ଜୀବନଯାପନ ଅତି ସହଜରେ କରିହେବ । ମନୋରଞ୍ଜନର ଅନେକ ଉତ୍ସ ଅଛି କିନ୍ତୁ ସମୟ ସହିତ ତା’ର ଦୃଷ୍ଟିଭଙ୍ଗୀ ବଦଳି ଚାଲିଛି । ଯେମିତି ମୋବାଇଲ୍ ଫୋନ୍ ଆସିଲା ପରେ ପ୍ରତ୍ୟେକ ବ୍ୟକ୍ତି ନିଜେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ତିଆରି କରି ସୋସିଆଲ ମିଡ଼ିଆରେ ସେୟାର କରୁଛି, ସେଥିରୁ ଅନେକ ଖୁସି ପାଉଛି । ଆଗରୁ ବହି, ଟିଭି, ରେଡିଓ ମନୋରଞ୍ଜନର ମାଧ୍ୟମ ଥିଲା ଏବଂ ନିଜ ଖୁସିକୁ ସେଥିରେ ସାଉଁଟି ହେଉଥିଲା । କିନ୍ତୁ ସେସବୁ ଭୁଲି ମୋବାଇଲ୍ ଫୋନ୍ ପ୍ରତି ସମସ୍ତଙ୍କର ଆଦର ବଢ଼ିଯାଇଛି । କଥାବାର୍ତ୍ତା ହେବା ସଙ୍ଗେସଙ୍ଗେ ଘରର ବିଦ୍ୟୁତ୍ ବିଲ୍ ପଇଠ, ରାସନ କିଣିବା, ବ୍ୟାଙ୍କ ଆକାଉଣ୍ଟ ପରିଚାଳନା, ଖବର, ମନୋରଂଜନ- ସବୁଥିରେ ନିର୍ଭରଶୀଳତା ସହିତ ବିଶ୍ୱାସ ମଧ୍ୟ ବଢ଼ିଯାଇଛି । ମାତ୍ରାଧିକ ନିର୍ଭରଶୀଳତା ଏବେ ଲାଭ ଅପେକ୍ଷା କ୍ଷତିକୁ ବହୁଗୁଣିତ କରିସାରିଲାଣି, ଯାହା ଜାଣିଲେ ମୁଣ୍ଡ ଟିଣ ହେବା ସାର ହେବ । ତେବେ ଆସନ୍ତୁ, ଜାଣିବା ମୋବାଇଲ୍ ଫୋନ୍ ମାନବ ସମାଜକୁ କଣସବୁ କ୍ଷତି ପହାଉଛି । ପ୍ରଥମତଃ, ଆତଙ୍କବାଦୀମାନେ ମୋବାଇଲ୍ ଫୋନ୍ ଜରିଆରେ ସାରାଦେଶର ତଥ୍ୟକୁ ହାତେଇବାରେ ସକ୍ଷମ ହେଉଛନ୍ତି । କେବଳ ସେତିକି ନୁହେଁ, ପାକିସ୍ତାନୀ ଗୁଇନ୍ଦା ଓ ଆତଙ୍କୀ ଏଜେଣ୍ଟ ଦେଶରେ ଜାଲ ବିଛାଇବା କ୍ଷେତ୍ରରେ ମୋବାଇଲ୍ ଫୋନ୍କୁ ଭରପୂର ବ୍ୟବହାର କରୁଛନ୍ତି । ହଜାର ହଜାର ବେନାମୀ ସିମ୍ ବ୍ୟବହାର କରି ହ୍ୱାଟ୍ସଆପ୍ ଆକାଉଣ୍ଟ୍ ଓଟିପି, ଟ୍ୱିଟର(ଏକ୍ସ), ଫେସ୍ବୁକ, ଇନ୍ଷ୍ଟା, ଟେଲିଗ୍ରାମ ଆକାଉଣ୍ଟ୍ରୁ ଓଟିପି ହାତେଇ ଅପରାଧର ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି । ଦ୍ୱିତୀୟତଃ, ରାସ୍ତାରେ ଗାଡ଼ି ଚଳାଇବା ସମୟରେ ଚାଳକ କାନରେ ମୋବାଇଲ୍ ଫୋନ୍ ଦେଇ କଥା ହେବା ସଡ଼କ ଦୁର୍ଘଟଣାର ମୁଖ୍ୟ କାରଣ । ରାଜ୍ୟରେ ହେଉଥିବା ୧୧% ସଡ଼କ ଦୁର୍ଘଟଣା କେବଳ ମୋବାଇଲ୍ ଫୋନ୍ ଜନିତ ବୋଲି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତୃତୀୟତଃ, ମୋବାଇଲ୍ ଫୋନ୍ରେ ଫଟୋ ଉଠାଇବା ଓ ଏହାକୁ ସାମାଜିକ ଗଣମାଧ୍ୟମରେ ଛାଡ଼ିବା ଖାଲି ନିଶା ନୁହେଁ, ଏନେଇ ପ୍ରତିଯୋଗିତା ମଧ୍ୟ ଚାଲିଛି । କିନ୍ତୁ ଅଜାଣତରେ ସେହି ପୋଷ୍ଟ୍ କାଳ ସାଜୁଛି । ଯାହାଫଳରେ ଚିତ୍ର ଓ ଚରିତ୍ରକୁ କଳଙ୍କିତ କରାଯାଉଛି । ଚତୁର୍ଥରେ, ମୋବାଇଲ୍ ଫୋନ୍ର ପ୍ରବେଶ ଏବେ କଲେଜ ସୀମା ଡ଼େଇଁ କ୍ଲାସ୍ରୁମ୍ରେ ବି ପଶିଗଲାଣି । ପିଲାଙ୍କ ପାଠପଢ଼ା ବସ୍ତାନିରେ ମଧ୍ୟ ମୋବାଇଲ୍ ଫୋନ୍ ଯୋଡ଼ା ହେଲାଣି । ଏହାରି ଜରିଆରେ ଫେସବୁକ୍, ଇନ୍ଷ୍ଟା ଓ ଅନ୍ୟ ଡେଟିଙ୍ଗ ସାଇଟ୍ରେ ଯୋଡ଼ି କିଏ କେତେବେଳେ ବିପଦକୁ ଆଡ଼କୁ ଟାଣିହୋଇଯାଉଛି । ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡ଼ିଓ ନେଣଦେଣ କରି ବ୍ଲାକ୍ମେଲିଂ ପରେ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରାଯାଉଛି । ଏଭଳି ଅପରାଧ ଏବେ ବହୁତ ଘଟୁଛି । ପଞ୍ଚମରେ, ସାଇବର ଠକ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଛନ୍ତି । ମୋବାଇଲ୍ ଫୋନ୍ ମାଧ୍ୟମରେ ବିଶ୍ୱକୁ କବ୍ଜା କରି ବସିଲେଣି । କ୍ରେଡିଟ୍ କାଡ଼୍ର୍, ଲୋନ୍ ଆପ୍, ନ୍ୟୁଡ଼୍ କଲ, ଫେକ୍ କଲ୍ ମାଧ୍ୟମରେ ଲୋକଙ୍କୁ ମାତ୍ରାଧିକ ଲୁଟି ଚାଲିଛନ୍ତି । ପୁଞ୍ଜି ନିବେଶ, କ୍ରେଡିଟ୍ କାର୍ଡ଼, ବୀମା, ବିଦ୍ୟୁତ୍ ବିଲ୍ ପୈଠ, ଅନ୍ଲାଇନ୍ ସପିଙ୍ଗ୍, ଟ୍ରାଭେଲ ଟିକେଟ୍ ମାଧ୍ୟମରେ ମଧ୍ୟ ଲୋକମାନେ ଏହାର ବହୁଳ ବ୍ୟବହାର କରୁଛନ୍ତି । ଗତ ୫ ବର୍ଷ ଭିତରେ ରାଜ୍ୟରେ ପାଖାପାଖି ୫୫,୫୦୦ ସାଇବର ଠକେଇ ଅଭିଯୋଗ ହୋଇଥିବା ବେଳେ ୨୦୧୮ରୁ ୨୦୨୩ ମଧ୍ୟରେ ସାଇବର ଅପରାଧୀ ରାଜ୍ୟରୁ ୧୪୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଲୁଟି ନେଇଥିବା ନ୍ୟାସନାଲ ସାଇବର କ୍ରାଇମ ରିପୋର୍ଟିଙ୍ଗ ପୋର୍ଟାଲ(ଏନସିଆରପି)ରୁ ଜଣାପଡ଼ିଛି । ଶେଷରେ, ଅପରାଧ ଘଟାଇ କିଭଳି ପୁଲିସ ଓ ଗୁଇନ୍ଦାକୁ ଚକ୍ମା ଦେବେ ସେଥିପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳକୁ ଆପଣାଇ ଅପରାଧର ନକ୍ସା ପ୍ରସ୍ତୁତ କରୁଛନ୍ତି ଅପରାଧୀ । ହତ୍ୟା, ନିଶା କାରବାର, ବନ୍ଧୁକ ଚୋରା ଚାଲାଣ, ସିନ୍ଧିଚୋରୀ, ଡକାୟତି ଆଦି ଘଟାଇବା ପୂର୍ବରୁ ହ୍ୱାଟସ୍ଆପ୍ କିମ୍ବା ବିଭିନ୍ନ ଚାଟିଂ ଆପ୍ରେ କଥାବାର୍ତ୍ତା କରି ଅପରାଧ କରୁଛନ୍ତି । ସେହିଭଳି ମୋବାଇଲ୍ କୋଡ୍ ବ୍ୟବହାର କରି କନ୍ଧମାଳ, କୋରାପୁଟ, ରାୟଗଡ଼ା, ବୌଦ୍ଧ, ମାଲକାନଗିରି ଓ ଅନୁଗୁଳ ଜିଲ୍ଲାରୁ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ କରିବାରେ ମାଫିଆମାନେ ସଫଳ ହେଉଛନ୍ତି । ଏପଟେ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆସୁଥିଲା ହେରୋଇନ୍ କାରବାରକୁ ନିୟନ୍ତ୍ରଣ କରିବାରେ ମୁଖ୍ୟ ଅସ୍ତ୍ର ହେଲା ମୋବାଇଲ୍ ଫୋନ୍ । ତଥ୍ୟ ମୁତାବକ ପ୍ରତି ଶହେ ଅପରାଧ ମଧ୍ୟରୁ ୯୦%ରୁ ଅଧିକ ମାମଲାରେ ମୋବାଇଲ୍ ଫୋନ୍କୁ ପ୍ରମୁଖ ଉପକରଣ ଭାବେ ଅପରାଧୀମାନେ ବ୍ୟବହାର କରୁଛନ୍ତି । ତେଣୁ ଏସବୁକୁ ପୁଙ୍ଖାନୁପୁଙ୍ଖ ବିଚାର କରି ଦେଖିଲେ ମୋବାଇଲ୍ ଫୋନ୍କୁ ଏପରି ଅପବ୍ୟବହାର କରିବାଦ୍ୱାରା ମାନବ ସଭ୍ୟତା ଆଜି ଅରାଜକତା ପରିସ୍ଥିତିର ସମ୍ମୁଖୀନ ହେଇଛି । କିଛିଦିନ ହେବ ମୋବାଇଲ୍ ଫୋନ୍ ନେଇ ସମଗ୍ର ରାଜ୍ୟରେ ଭୟର ବାତାବରଣ ସୃଷ୍ଟି ହେଇଛି । +୯୨ରେ କଲ ଆସୁଛି ମୋବାଇଲ୍କୁ । ଏହା କିନ୍ତୁ ପାକିସ୍ଥାନରେ ସମ୍ପୃକ୍ତି ସାଇବର ଆପରାଧୀଙ୍କ ଟଙ୍କା ଲୁଟିବାର ଏକ ପ୍ରକାର ଯୋଜନା ବୋଲି ଗୃହବିଭାଗ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ କରାଯାଉଛି । ଏହି ନମ୍ବରରେ କାହାକୁ କଲ ଆସିଲେ, କେହି ନଉଠାଇବା ପାଇଁ ମଧ୍ୟ ସତର୍କ ସୂଚନା ଦିଆଯାଇଛି । ତେଣୁ ମୋବାଇଲ୍ ଫୋନ୍ ପ୍ରତି ସାବଧାନ ରହିବା ସଙ୍ଗେସଙ୍ଗେ ଯେତିକି ଆବଶ୍ୟକ ସେତିକି ମୋବାଇଲ୍ ଫୋନ୍ର ବ୍ୟବହାର କରି ଅନାବଶ୍ୟକ ବ୍ୟବହାର ଠାରୁ ଦୂରେଇ ରହିବା ଏକାନ୍ତ କାମ୍ୟ ।