ଜଗତସିଂହପୁରରେ ବିଜୟର ବାନା ଉଡାଇଲେ ଅମରେନ୍ଦ୍ର ଦାସ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଚଳିତ ସାଧାରଣ ନିର୍ବାଚନରେ ଜଗତସିଂହପୁର ବିଧାନସଭା ଆସନ ପରିବର୍ତନ ନାରାରେ ବିଜେପି ଖାତାକୁ ଯାଇଛି । ବିଜେପିର ବିଧାୟକ ପ୍ରାର୍ଥୀ ଅମରେନ୍ଦ୍ର ଦାସ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲିଙ୍କୁ ୨୨୧୩୮ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ଜଗତସିଂହପୁର ନିର୍ବାଚନମଣ୍ଡଳୀରେ ରେକର୍ଡ ସୃଷ୍ଟି କରିଛନ୍ତି । ବିଜେପିର ଅମରେନ୍ଦ୍ର ଦାସ ୯୨୫୫୫ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡିର ପ୍ରଶାନ୍ତ ମୁଦୁଲି ୭୦୪୧୭ ଖଣ୍ଡ ଭୋଟ ପାଇଛନ୍ତି । ଅମରେନ୍ଦ୍ର ଛାତ୍ର ରାଜନୀତିରୁ ନିଜ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ । ଦୀର୍ଘ ବର୍ଷ ଛାତ୍ର ରାଜନୀତି ସହିତ ଜଡିତ ହୋଇ ଜଗତସିଂହପୁରର ପୂର୍ବତନ ବିଧାୟକ ସ୍ୱର୍ଗତ ବିଷ୍ଣୁ ଦାସଙ୍କ ଏକାନ୍ତ ଅନୁଗତ ହୋଇ ରାଜନୀତିରେ ପାଦ ଥାପିଥିଲେ । ଦୀର୍ଘ ବର୍ଷ ବିଜେଡି ଦଳକୁ ସଂଗଠନ କରି ରଖିବାରେ ସକ୍ଷମ ହୋଇଥିଲେ । ୨୦୧୯ ନିର୍ବାଚନ ସମୟରେ ଜଗତସିଂହପୁର ଆସନ ପାଇଁ ଅମରେନ୍ଦ୍ର ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ଦାବିଦାର ରହିଥିବା ବେଳେ ଦଳ ତାଙ୍କୁ ଅଣଦେଖା କରି ବାଲିକୁଦା -ଏରସମାର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ପ୍ରାର୍ଥୀ କରିଥିଲେ । ପ୍ରଶାନ୍ତଙ୍କ ପ୍ରାର୍ଥୀତ୍ୱକୁ ନେଇ ଅମରେନ୍ଦ୍ର ସେନା ଜୋରଦାର ବିରୋଧ କରିଥିଲେ । ଯାହାଫଳରେ ବିଜେଡିର ଉପର ନେତୃମଣ୍ଡଳୀ ଅମରେନ୍ଦ୍ରଙ୍କୁ ବୁଝାସୁଝା କରିବା ସହିତ ଜିଲ୍ଲା ବିଜେଡି ସଭାପତି ଦାୟିତ୍ୱରେ ଥଇଥାନ କରିଥିଲେ । ପରେ କାଜୁ ନିଗମ ଅଧ୍ୟକ୍ଷ ପଦରେ ଅବସ୍ଥାପିତ କରିଥିଲେ । ଠିକ୍ ନିର୍ବାଚନର ବର୍ଷକ ପରେ ଅମରେନ୍ଦ୍ର ଜଗତସିଂହପୁର ନିର୍ବାଚନମଣ୍ଡଳୀରେ ସମାନ୍ତରାଳ ଭାବେ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ସହିତ ବିଜେଡି ଦଳର କାର୍ଯ୍ୟକ୍ରମ କରି ଲୋକ ସଂର୍ପକକୁ ବୃଦ୍ଧି କରାଇଥିଲେ । ହେଲେ ଚଳିତ ନିର୍ବାଚନ ପାଇଁ ଅମରେନ୍ଦ୍ର ବିଜେଡି ଟିକେଟ ଲବିରେ ରହିଥିବା ବେଳେ ଦଳ ଅମରେନ୍ଦ୍ରକୁ ନିରାଶ କରି ପୁନର୍ବାର ପ୍ରଶାନ୍ତ ମୁଦୁଲିଙ୍କୁ ଟିକଟ ଦେଇଥିଲା । ଏହାକୁ ଅମରେନ୍ଦ୍ର ଓ ତାଙ୍କ ସମର୍ଥକମାନେ ସହଜରେ ଗ୍ରହଣ ନ କରି ବିଜେଡି ଦଳ ଛାଡି ବିଜେପିରେ ଯୋଗ ଦେଇ ବିଜେପି ଦଳ ଟିକେଟରେ ନିର୍ବାଚନ ଲଢିଥିଲେ । ଅନ୍ୟପଟରେ କଂଗ୍ରେସ ଦଳ ଛାଡି ବିଜେଡିରେ ଯୋଗ ଦେଇଥିବା ପୂର୍ବତନ ବିଧାୟକ ଚିରଂଜିବ ବିଶ୍ୱାଳ ଓ ପ୍ରଶାନ୍ତ ମୁଦୁଲି ପ୍ରଚାର ଜୋରଦାର କରିଥିଲେ । ହେଲେ ମାଟିର ପୁଅ ହିସାବରେ ଲୋକେ ବ୍ୟକ୍ତିଗତ ଭାବେ ଅମରେନ୍ଦ୍ରଙ୍କୁ ଭଲ ପାଇବା ସହିତ ପରିବର୍ତନ ନାରାରେ ଭୋଟ ଦେଇ ଅମରେନ୍ଦ୍ରଙ୍କୁ ବିଜୟୀ କରିଥିଲେ । ଏହି ବିଜୟ ଧାରା ନେଇ ବିଜେପି ଶିବିରରେ ଖୁସିର ମହଲ ସୃଷ୍ଟି ହୋଇଥିବା ବେଳେ ବିଜେଡି ଶିବିରରେ ନୈରାଶ୍ୟ ଭାବ ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ