ବିଜେପି ଦଳ ପକ୍ଷରୁ ବିଜୟ ସଂକଳ୍ପ ଯାତ୍ରା
ଡେଲାଙ୍ଗ (ଜୁଗାବ୍ଦ ନ୍ୟୁଜ୍):ଡେଲାଙ୍ଗରେ ବିଜେପି ଦଳ ପକ୍ଷରୁ ବିଜୟ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ବିଶେଷ କରି ଦେଶ ଓ ରାଜ୍ୟ ଚଳେଇବାକୁ ହେଲେ ଡବଲ ଇଞ୍ଜିନ୍ ଦରକାର ବୋଲି କହିଥିଲେ । ଏହା ସହିତ ବିଜେପିର ବିଧାନସଭା ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ, ପୁରୀ ଲୋକସଭା ପ୍ରାର୍ଥୀ ଡ. ସମ୍ବିତ ପାତ୍ରଙ୍କୁ ପଦ୍ମଫୁଲ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଉପସ୍ଥିତ ଜନସାଧାରଣଙ୍କୁ ନିବେଦନ କରିଥିଲେ । ଶନିବାର ଅପରାହ୍ନରେ ହେଲିପ୍ୟାଡରେ ଆସି ଡେଲାଙ୍ଗ ବିଦ୍ୟୁତ କାର୍ଯ୍ୟାଳୟ ପାଖ ପଡିଆରେ ଓହ୍ଳାଇଥିଲେ । ସେଠାରେ ଅପେକ୍ଷାରତ ସୁରଥ ପାଇକରାୟ, ଦୁର୍ଗାଚରଣ ରାଉତରାୟଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ବାଇକ୍ ଶୋଭାଯାତ୍ରା କରି ଶ୍ରୀ ପ୍ରଧାନଙ୍କୁ ସଭାସ୍ଥଳକୁ ପାଛୋଟି ଆଣିଥିଲେ । ଡେଲାଙ୍ଗ ବଜାର ଦେଇ ବିଜେପି କର୍ମୀ ଆସିବା ସମୟରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ନାରାବାଜି ଦେଇଥିଲେ । ଡେଲାଙ୍ଗ କଲେଜ ନିକଟରେ ଥିବା ବାଣପୁର ମଠଠାରେ ଅନୁଷ୍ଠିତ ସଭାରେ ଜିଲ୍ଲା ବିଜେପି ଉପସଭାପତି ଜନ୍ମେଜୟ ଜେନା ଅତିଥି ପରିଚୟ ଓ ସଂଯୋଜନା କରିଥିଲେ । ଏସଡିପିଓ ଦେବଦତ୍ତ ବରାଳ ଓ ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଜଂନ ପଟ୍ଟନାୟକ ସଦଳବଳେ ସଭାସ୍ଥଳରେ ଉପସ୍ଥିତ ରହିଥିଲେ ।