୧୫ ଲକ୍ଷ ଅନୁଦାନ କୁଆଡେ ସତ୍ୱେ: ଅସ୍ତରଙ୍ଗର ଐତିହାସିକ ପୋଖରୀ ଦଳ-ଦୁର୍ଗନ୍ଧମୟ
କାକଟପୁର/ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): ଅସ୍ତରଙ୍ଗ ବ୍ଲକ ଅସ୍ତରଙ୍ଗ ପଞ୍ଚାୟତର ୫ନଂ ୱାର୍ଡରେ ଥିବା ଶତାଧିକ ବର୍ଷର ପୁରାତନ ତଥା ସର୍ବବୃହତ ପୋଖରୀ ଆଜି ଦଳ ଓ ଦୁର୍ଗନ୍ଧର କେନ୍ଦ୍ର ପାଲଟିଛି । ଗାଁର ଜୀବନରେଖା କୁହାଯାଉଥିବା ଏହି ପୋଖରୀ ଉପରେ ଚତୁପାର୍ଶ୍ୱର ପାଖାପାଖି ୭୦ରୁ ଊର୍ଦ୍ଧ୍ୱ ପରିବାର ଗାଧୋଇବା, ବାସନ ମାଜିବା ଠାରୁ ଆରମ୍ଭ କରି ଦୈନନ୍ଦିନ କାମ ପାଇଁ ସମ୍ପୂର୍ଣ୍ଣ ନିର୍ଭରଶୀଳ। ହେଲେ ଆଜି ସେହି ପୋଖରୀ ହିଁ ତାଙ୍କ ପାଇଁ ମରଣଯନ୍ତା ପାଲଟିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଏହି ଐତିହାସିକ ପୋଖରୀର ଉନ୍ନତିକରଣ ପାଇଁ ଗତବର୍ଷ ୧୫ ଲକ୍ଷ ଟଙ୍କାର ସରକାରୀ ଅନୁଦାନ ମଞ୍ଜୁର ହୋଇଥିଲା ବୋଲି ଚର୍ଚ୍ଚା ହେଉଛି । ଟଙ୍କା ଆସିଲା ବୋଲି ଗ୍ରାମରେ ଲୋକେ ଜାଣିବାକୁ ପାଇଛନ୍ତି,କିନ୍ତୁ ବର୍ଷେ ବିତିଗଲା ପରେ ବି ପୋଖରୀର ଭାଗ୍ୟ ବଦଳିଲା ନାହିଁ। ଗୋଟିଏ କୋଦାଳ ଚାଲିଲାନି, ଗୋଟିଏ ମୁଠା ମାଟି ଉଠିଲାନି। ବରଂ ଦିନକୁ ଦିନ ଦଳ ବଢିବଢି ଏବେ ପୋଖରୀର ଛାତି ଘୋଡାଇ ଦେଇଛି। ପାଣି କଳା ପଡି ଗଲାଣି, ଦୁର୍ଗନ୍ଧରେ ପାଖ ମାଡି ହେଉନି। ଏହି ଦୂଷିତ ପାଣି ବ୍ୟବହାର କଲେ ଚର୍ମରୋଗ, ଡାଇରିଆ, ଜଣ୍ଡିସ୍ ଭଳି ମାରାତ୍ମକ ରୋଗ ବ୍ୟାପିବାର ଆଶଙ୍କା ସୃଷ୍ଟି ହୋଇଛି। ଗାଁର ଛୋଟ ପିଲାମାନେ ବାଧ୍ୟ ହୋଇ ସେହି ପୋଖରୀରେ କେତେବେଳେ ଗାଧୋଉଛନ୍ତି। “ଆଉ କେତେ ଦିନ ଏମିତି ରୋଗ ସହ ଲଢିବୁ? ଏ ସମ୍ପର୍କରେ ସ୍ଥାନୀୟ ବାସିନ୍ଦା ତଥା ସମାଜସେବୀ ପ୍ରମୋଦ କୁମାର ଦାସ ତୀବ୍ର ଅସନ୍ତୋଷ ପ୍ରକାଶ କରି କହିଛନ୍ତି, “୧୫ ଲକ୍ଷ ଟଙ୍କା ଆସିଲା ବୋଲି ସମସ୍ତେ ଶୁଣିଲେ। କିନ୍ତୁ ସେ ଟଙ୍କା ଗଲା କୁଆଡେ? ଫାଇଲ୍ କାହା ଟେବୁଲରେ ଅଟକିଲା? ପୋଖରୀ ନ ହେଲେ ଆମ ୭୦ ପରିବାର କୁଆଡେ ଯିବୁ? ଏହା ସିଧାସଳଖ ଲୋକଙ୍କ ଜୀବନ ସହ ଖେଳ। ଆମେ ବିଡିଓଙ୍କ ଠାରୁ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରୁଛୁ – ତୁରନ୍ତ ଏହାର ତଦନ୍ତ ହେଉ ଏବଂ ପୋଖରୀ କାମ ଆରମ୍ଭ ହେଉ।” ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବର୍ଷା ଦିନ ଆସିଲେ ଏହି ଦଳପୂର୍ଣ୍ଣ ପୋଖରୀର ଦୂଷିତ ପାଣି ଆଖପାଖ କୂଅ, ନଳକୂପରେ ମିଶିଯିବ। ସେତେବେଳେ ସମଗ୍ର ଅଞ୍ଚଳରେ ମହାମାରୀ ବ୍ୟାପିବାର ଭୟ ରହିଛି। ଏତେ ବଡ଼ ବିପଦ ସାମ୍ନାରେ ଥାଇ ବି ପଞ୍ଚାୟତ ଠାରୁ ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ କାହିଁକି ଚୁପ୍ ବସିଛନ୍ତି, ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ । ଗ୍ରାମବାସୀ ଚେତାବନୀ ଦେଇଛନ୍ତି ଯଦି ୭ ଦିନ ଭିତରେ କାମ ଆରମ୍ଭ ନହୁଏ, ତେବେ ସେମାନେ ରାସ୍ତାକୁ ଓହ୍ଲାଇବେ ।


