କଂଗ୍ରେସକୁ ଉଚିତ୍ ଜବାବ ଦେବେ ସାଧ୍ୱୀ ପ୍ରଜ୍ଞା: ମୋଦି

ନୂଆଦିଲ୍ଲୀ(ଏଜେନ୍ସି): ମାଲେଗାଁଓ ବିସ୍ଫୋରଣ ଘଟଣାର ଅଭିଯୁକ୍ତ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ ବିଜେପି ଭୋପାଳ ଲୋକସଭା ଆସନରୁ ପ୍ରାର୍ଥୀ କରିବା ନେଇ ବିରୋଧୀଙ୍କ ପ୍ରଶ୍ନର ଜବାବ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାତୀୟ ଗଣମାଧ୍ୟମ ଟାଇମ୍ସ ନାଓକୁ ସାକ୍ଷାତକାର ଦେବାବେଳେ ମୋଦି କହିଛନ୍ତି ସାଧ୍ୱୀ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି । ଯେଉଁମାନେ ସାଧ୍ୱୀଙ୍କୁ ବିରୋଧ କରୁଛନ୍ତି ସେମାନଙ୍କ ଦଳର ଏଫରି ବହୁ ନେତା ଅଛନ୍ତି ଯେଉଁମାନେ ବିଭିନ୍ନ ଆପରାଧିକ ମାମଲାରେ ଜାମିନ୍ରେ ରହିଛନ୍ତି । ଆଗ ସେମାନଙ୍କ ନେତା ନିର୍ବାଚନରେ ପ୍ରାର୍ଥୀ ହେବା ଠିକ୍ କି ଭୁଲ୍ ସେସମ୍ପର୍କରେ ଜବାବ ରଖନ୍ତୁ ବୋଲି ମୋଦି କହିଛନ୍ତି । ସାଧ୍ୱୀ ପ୍ରଜ୍ଞାଙ୍କୁ ବିଜେପି ପ୍ରାର୍ଥୀ କରିଛି, ଏହା କଂଗ୍ରେସକୁ ଉଚିତ୍ ଜବାବ ହେବ ବୋଲି ସେ କହିଛନ୍ତି ।
ମୋଦିଙ୍କ କହିବାନୁସାରେ ଦେଶରେ ଗୋଟିଏ ପରିବାରର ଏକାଧିକ ନେତା ଦୁର୍ନୀତି ମାମଲାରେ ଜାମିନରେ ରହି ମଧ୍ୟ ନିର୍ବାଚନ ଲଢୁଛନ୍ତି, ସେହିପରି ୧୯୮୪ ଶିଖ୍ ଦଙ୍ଗା ଘଟଣାରେ ଅଭିଯୁକ୍ତମାନେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଛନ୍ତି, କଂଗ୍ରେସ ସରକାର ବେଳେ କ୍ୟାବିନେଟ୍ ମନ୍ତ୍ରୀ ମଧ୍ୟ ହୋଇଛନ୍ତି । ସେମାନେ ଯଦି ନିର୍ବାଚନ ଲଢିପାରିବେ, ସାମ୍ବିଧାନିକ ପଦ ପଦବୀରେ ରହି ପାରିବେ ତାହେଲେ ସାଧ୍ୱୀ ପ୍ରଜ୍ଞା କାହିଁକି ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏଥିସହ ଆମେଥି ଓ ରାଏବରେଲି ସାଂସଦ ଦୁର୍ନୀତି କରି ଜାମିନ୍ରେ ଅଛନ୍ତି, ସେମାନେ କିଭଳି ନିର୍ବାଚନ ଲଢୁଛନ୍ତି ବୋଲି ମୋଦି ପ୍ରଶ୍ନ କରିଛନ୍ତି । ମୋଦି ସିଧାସଳଖ କଂଗ୍ରେସକୁ ଟାର୍ଗେଟ୍ କରି କହିଛନ୍ତି ଯେ, କଂଗ୍ରେସ ମିଛ ଓ ଗୁଜବ ଖବର ତିଆରି କରିବାରେ ମାହିର । ଗୁଜରାଟରେ ସେ ମୁଖ୍ୟମନ୍ତ୍ରୀ ଥିବା ବେଳେ କଂଗ୍ରେସ ଏମିତି ଅନେକ ମିଛ ଖବର ତାଙ୍କ ବିରୋଧରେ ଓ ତାଙ୍କ ଦଳ ବିରୋଧରେ ତିଆରି କରିଛି । ମାତ୍ର କଂଗ୍ରେସ ନିଜ ଚେଷ୍ଟାରେ ସଫଳ ହୋଇପାରିନାହିଁ । ସୂଚନାଯୋଗ୍ୟ, ଚଳିତ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ଭୋପାଳ ଲୋକସଭା ଆସନରୁ ବିଜେପି ସାଧ୍ୱୀ ପ୍ରଜ୍ଞାଙ୍କୁ ପ୍ରାର୍ଥୀ କରିବା ପରେ ବିରୋଧୀ ଏହାକୁ ସମାଲୋଚନା କରିଛନ୍ତି । ବିସ୍ଫୋରଣ ଘଟଣାର ଭଳି ଅଭିଯୁକ୍ତ ତଥା ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ରହିଥିବା ବ୍ୟକ୍ତିଙ୍କୁ ବିଜେପି ଟିକଟ ଦେଇ ନୈତିକତା ହରାଇଛି ବୋଲି ବିରୋଧୀ କଂଗ୍ରେସ ଦାବି କରିଆସୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ