ଗଂଜାମ ଜିଲ୍ଲା ପରିଷଦ ସପ୍ତମ ସାଧାରଣ ଅଧିବେଶନ ବୈଠକ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌): ଗଂଜାମ ଜିଲ୍ଲା ପରିଷଦ ସପ୍ତମ ସାଧାରଣ ଅଧିବେଶନ ବୈଠକ ସ୍ଥାନୀୟ ଜିଲ୍ଲା ପରିଷଦ ଭବନର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପଲାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଓ ଜଙ୍ଗଲ ଓ ପରିବେଶ ସଂସଦୀୟ ବ୍ୟାପାର ବିଭାଗୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗ ଦେଇ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ସକାଶେ ପରାମର୍ଶ ଦେବା ସହ ସମସ୍ତ ବିଭାଗୀୟ ଅଧିକାରୀମାନେ ନିଜ ନିଜ ଭିତରେ ସମନ୍ୱୟ ରଖି କାର୍ଯ୍ୟ କରିବା ନିମନ୍ତେ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଯୋଗ ଦେଇ ଜିଲ୍ଲାର ସମସ୍ତ କାର୍ଯ୍ୟକ୍ରମ ସଠିକ୍ ଭାବେ କାର୍ଯ୍ୟକାରୀ କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ ସ୍ୱାଗତ ଭାଷଣ ଦେବା ସହ ଚାଲିଥିବା ବିିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ବୈଠକରେ କାଳିଆ ଯୋଜନାର ହିତାଧିକାରୀମାନଙ୍କୁ ତୁରନ୍ତ କାଳିଆ ଟଙ୍କା ପ୍ରଦାନ କରିବା ନିମନ୍ତେ ବହୁ ସଭ୍ୟ ହୋହାଲ୍ଲା କରିବା ସହ ଜିଲ୍ଲାରେ କିପରି ମାଣ୍ଡିଆ ଚାଷ କରିବାକୁ ଚାଷୀ ଆଗ୍ରହ ପ୍ରକାଶ କରିବେ ସେଥି ପାଇଁ ଚାଷୀଙ୍କୁ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଯୋଗାଇ ଦେବାକୁ ବୈଠକରେ ଆଲୋଚନା କରାଯାଇଥିଲା । ଜିଲ୍ଲାରେ ଚାଷୀମାନେ ଏଯାବତ୍ ଧାନ ବିକି ପାରିନାହାନ୍ତି, ଜିଲ୍ଲାର ଚାଷୀମାନେ କାହିଁକି ଆନ୍ଧ୍ରାକୁ ଧାନ ବିକ୍ରି କରୁଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଜନପ୍ରତିନିଧିମାନେ ପ୍ରଶ୍ନବାଣରେ ଘାଇଲା କରିଥିଲେ । ଜିଲ୍ଲାର କେତେକ ସ୍ଥାନରେ ଏପର୍ଯ୍ୟନ୍ତ ଧାନ ମଣ୍ଡି ଖୋଲାଯାଇନାହିଁ । ଏଣୁ ତୁରନ୍ତ ଜିଲ୍ଲାର ସମସ୍ତ ବର୍ଗର ଚାଷୀମାନଙ୍କ ଧାନ ସରକାରୀ ନିୟମ ଅନୁସାରେ କିଣିବାକୁ ବୈଠକରେ ବହୁ ସଭ୍ୟମାନେ ଏକ ସ୍ୱରରେ କହିଥିଲେ । ଜିଲ୍ଲାର ବିଭିନ୍ନ ଡ଼ାକ୍ତରଖାନାରେ ଖାଲି ପଡ଼ିଥିବା ଡ଼ାକ୍ତର ଏବଂ ବହୁ କର୍ମଚାରୀ ପଦବି ତୁରନ୍ତ ପୂରଣ କରିବା ନିମନ୍ତେ ଦାବି କରାଯାଇଥିଲା । ଛତ୍ରପୁର ବ୍ଲକ୍ ବଡ଼ପୁଟି ଗ୍ରାମରେ ପାନୀୟ ଜଳର ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକ୍ଷମ କରିବା ନିମନ୍ତେ ଛତ୍ରପୁର ବିଧାୟକ ଓ ବ୍ଲକ୍ ଅଧ୍ୟକ୍ଷ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ । ଏସମେତ ଛତ୍ରପୁର ଉପଖଣ୍ଡ ଚିକତ୍ସାଳୟର ବିଭିନ୍ନ ସମସ୍ୟା ଉପରେ ମଧ୍ୟ ଦୁହେଁ କହିଥିଲେ । ସୋରଡା ନିର୍ବାଚନ ମଣ୍ଡଳୀର ଆମ୍ବିଳିଆମ୍ବ ଗାଁରେ ବିଜୁ ସେତୁ ନିର୍ମାଣ କରିବା ନିମନ୍ତେ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା ଗୃହରେ ଅନୁରୋଧ କହିଥିଲେ । ତତ୍ ସହିତ ଉପଧ୍ୟାକ୍ଷା ଶ୍ରୀମତୀ ପଣ୍ଡା ତାଙ୍କ ନିମନ୍ତେ ଗାଡି ବୁଲିବାର ସୁବିଧା କରିବା ନିମନ୍ତେ ମଧ୍ୟ କହିଥିଲେ । ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା କାଳିଆ ଯୋଜନାର ହିତାଧିକାରୀ ମାନଙ୍କୁ ତୁରନ୍ତ କାଳିଆ ଟଙ୍କା ପ୍ରଦାନ କରିବା ସହ ଚିକିତ୍ସାଳୟ ଗୁଡିକରେ ଆବଶ୍ୟକ ଅନୁଯାୟୀ ଡାକ୍ତର ପଦବୀ ପୂରଣ କରିବା ନିମନ୍ତେ ଗୃହରେ ଦୃଷ୍ଟି ଆକର୍ଷଣ କରିଥିଲେ । ଗୋପାଳପୁର ବିଧାୟକ ଡଃ. ପ୍ରଦୀପ କୁମାର ପାଣିଗ୍ରାହୀ କାଳିଆ ଯୋଜନାର ହିତାଧିକାରୀ ମାନଙ୍କୁ ଖୁବ୍ ଶୀଘ୍ର ଟଙ୍କା ମିଳିବାର ବ୍ୟବସ୍ଥା କରିବାକୁ କହିବାସହ ପାନୀୟଜଳ ଏବଂ ବିଭିନ ବିଭିନ୍ନ ବିଭାଗର ଅଧୁରା କାମ ଉପରେ ଗୃହରେ ଦୃଷ୍ଟି ଆକର୍ଷଣ କରିଥିଲେ । କୃଷି ବିଭାଗର ପକ୍ଷରୁ ଆତ୍ମା ମାଧ୍ୟମରେ ବୀହନ ଦିଆଯାଉଥିବା ବେଳେ ସେମାନେ ଆତ୍ମତ୍ସାତ କରୁଥିବା କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଅଭିଯୋଗ କରିଥିଲେ । ଆସିକା ବ୍ଲକରେ କୃଷି ଉପରେ ସଚେତନତା କରାଯାଇନି ବୋଲି ବହୁ ସଭ୍ୟ ଅଭିଯୋଗ କରିଥିଲେ । ଆସିକା ଚିନିକଳ କୁ କାର୍ଯ୍ୟକ୍ଷମ କରାଯାଉବୋଲି ଅଂଚଳର ଜିଲ୍ଲାପରିଷଦ ସଭ୍ୟ ମାନେ କହିଥିଲେ । ଜିଲ୍ଲାରେ ବହୁ ଜମିଦଲାଲା ମାନେ ଜାଲିଆତି କରି କିଛି କର୍ମଚାରୀ ମାନଙ୍କୁ ହାତରେ କରି ବହୁ ଜମି ଗୁଡିକ ହାତେଇ ନେଇ କିଣାବିକା କରୁଥିବାର ଜଣାପଡିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସେମାନଙ୍କ ବିରୁଧରେ କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରାଯାଉନାହିଁ ବୋଲି ବହୁ ବିଧାୟକ ମାନେ ଅଭିଯୋଗ କରିଥିଲେ । ଏହାର ଜଳନ୍ତା ଉଦାହରଣ ବ୍ରହ୍ମପୁର ଗୋସାଣୀନୂଆଗାଁର ରବିନାରାୟଣ ପଣ୍ଡାଙ୍କ ୫ଏକର ଜମି ଯାହାର ମୁଲ୍ୟ ପ୍ରାୟ ୧୦୦କୋଟି ଟଙ୍କା କିଛି ଲୋକ ଚଞ୍ଚକତା କରି ନେଇଛନ୍ତି । ସେହିପରି ଏହି ବୈଠକରେ ମତ୍ସ୍ୟ ଓ ପଶୁପାଳନ, ଶିକ୍ଷା, ସାଧାରଣ ବଂଟନ, ସ୍ୱାସ୍ଥ୍ୟ, ସମାଜମଙ୍ଗଳ, ଗ୍ରାମ୍ୟ ଉନ୍ନୟନ, ପାନୀୟ ଜଳ ସମେତ ଅନ୍ୟାନ୍ୟ ବିଷୟରେ ଆଲୋଚନା ହୋଇଥିଲା । ପ୍ରାରମ୍ଭରେ ଆଜି ତପ୍ତପାଣି ଠାରେ ବସ୍ ଦୁର୍ଘଟଣାରେ ମୃତ ହୋଇଥିବା ବ୍ୟକ୍ତିଙ୍କର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଗତ ଉପନିର୍ବାଚନରେ ୧୯ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇଥିବା ପ୍ରମୋଦ କୁମାର ପ୍ରଧାନଙ୍କୁ ଜିଲ୍ଲାପାଳ ଶପଥ ପାଠ କରାଇଥିଲେ । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ରେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ଆସିକା ବିଧାୟିକା ମଂଜୁଳା ସ୍ୱାଇଁ, ଖଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ସୋରଡ଼ା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଗଂଜାମ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା, ଡିଆରଡିଏ ପିଡ଼ି ଇଂ. ସିର୍ଦ୍ଧାର୍ଥ ଶଙ୍କର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଏପିଡ଼ି (ବୈଷୟିକ) କୃଷ୍ଣଚନ୍ଦ୍ର ପଣ୍ଡା, ଛତ୍ରପୁର ବ୍ଲକ୍ ଅଧ୍ୟକ୍ଷ ଏମ୍‌. ଧନଞ୍ଜୟ ରେଡ୍ଡି , ଗଂଜାମ ବ୍ଲକ୍ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, କୁକୁଡାଖଣ୍ଡି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର, ଚିକିଟି ବିଧାୟିକାଙ୍କ ପ୍ରତିନିଧି ବି. କ୍ରିଷ୍ଣାମୂର୍ତ୍ତି, ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତ କୁମାର ମହାପାତ୍ର, ସମବାୟବିତ୍ ସୁଧୀର କୁମାର ରାଉତ. ୨୧ନଂ ଜିଲ୍ଲା ପରିଷଦ ସଭ୍ୟ ଏସ୍ କିଶୋର ରେଡ୍ଡୀଙ୍କ ସମେତ ଜିଲ୍ଲାସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ, ବ୍ଲକ୍ ଅଧ୍ୟ. ଅଧ୍ୟକ୍ଷା, ଜିଲ୍ଲା ପରିଷଦ ସଭ୍ୟ ,ସଭ୍ୟାମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ