ଓଡ଼ିଶା ବନ୍ଦ ସମର୍ଥନରେ ରାଜରାସ୍ତାକୁ ଓହ୍ଲାଇଲେ ଇଣ୍ଡିଆ ମେଣ୍ଟ ନେତା ଓ କର୍ମୀ

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲ୍ଲାର ମୋହନା, ଆର. ଉଦୟଗିରି, ନୂଆଗଡ, ରାୟଗଡ, ଗୋଷାଣୀ, ଗୁମ୍ମା ଆଦି ବ୍ଲକ ଅଞ୍ଚଳରେ ଆଜି  ଗୁରୁବାର ଇଣ୍ଡିଆ ମେଣ୍ଟ ପକ୍ଷରୁ ଆହ୍ୱାନ ଦିଆଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦକୁ ସମର୍ଥନ ମିଳିଥିବା ଦେଖାଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ ପାଇଁ ଆହ୍ୱାନ ରହିଥିବା ବେଳେ ପାରଳା ସହର ସମେତ ସମଗ୍ର ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ ଦୋକାନବଜାର ବନ୍ଦ ରହିଥିଲା ଏବଂ ବସ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଥିଲା। ବନ୍ଦ ସମର୍ଥନରେ ଇଣ୍ଡିଆ ମେଣ୍ଟର ନେତା ଓ କର୍ମୀମାନେ ରାସ୍ତାକୁ ଓହ୍ଲାଇ ବିଭିନ୍ନ ସ୍ଥାନରେ ପିକେଟିଂ କରିଥିଲେ। ଦୋକାନୀ ଓ ବ୍ୟବସାୟୀମାନଙ୍କୁ ଦୋକାନ ବନ୍ଦ ରଖିବା ପାଇଁ ଅନୁରୋଧ କରାଯାଇଥିଲା। ବନ୍ଦକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବା ନେଇ ପୂର୍ବରୁ ଇଣ୍ଡିଆ ମେଣ୍ଟ ପକ୍ଷରୁ ଆହ୍ୱାନ ଦିଆଯାଇଥିଲା। ଏହି ବନ୍ଦର ପ୍ରମୁଖ ଦାବି ମଧ୍ୟରେ MMDR ସଂଶୋଧିତ ଆଇନ ପ୍ରତ୍ୟାହାର, SIR ପ୍ରସଙ୍ଗରେ ନିର୍ବାଚନ କମିଶନ ସମ୍ବନ୍ଧୀୟ ଦାବି, ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଏବଂ ବନ୍ୟା ପ୍ରଭାବିତଙ୍କୁ ପର୍ଯ୍ୟାପ୍ତ ରିଲିଫ୍ ଓ ପୁନର୍ବାସ ଯୋଗାଇବା ଭଳି ବିଷୟ ରହିଛି। ପାରଳାଖେମୁଣ୍ଡି ସହରରେ ବନ୍ଦ ସମୟରେ ପୁଲିସ ପକ୍ଷରୁ ମଧ୍ୟ ଆଇନଶୃଙ୍ଖଳା ରକ୍ଷା ଉପରେ ନଜର ରଖାଯାଇଥିଲା। ସହରର ମୁଖ୍ୟ ରାସ୍ତା ଓ ବ୍ୟବସାୟିକ ଅଞ୍ଚଳରେ ପିକେଟିଂ ଯୋଗୁଁ ସାଧାରଣ ଜୀବନଯାପନ କିଛି ସମୟ ପାଇଁ ପ୍ରଭାବିତ ହୋଇଥିଲା। ଇଣ୍ଡିଆ ମେଣ୍ଟ ନେତାମାନେ କହିଥିଲେ ଯେ, ଜନସ୍ୱାର୍ଥ, ଗଣତନ୍ତ୍ର ଓ ରାଜ୍ୟର ଅଧିକାର ସମ୍ବନ୍ଧୀୟ ଦାବିକୁ ନେଇ ଏହି ବନ୍ଦ ଡାକରା ଦିଆଯାଇଛି। ପାରଳାଖେମୁଣ୍ଡିରେ ବନ୍ଦକୁ ସଫଳ କରିବା ପାଇଁ ଦଳୀୟ ନେତା ଓ କର୍ମୀମାନେ ଏକଜୁଟ ହୋଇଥିବା ଦେଖାଯାଇଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ