ସମ୍ବିଧାନ ଓ ଧର୍ମ ନିରପେକ୍ଷତା ବିରୋଧୀ ନାଗରିକ ସଂଶୋଧନ ଆଇନ୍ (ସି.ଏ.ଏ), ବିରୋଧରେ ଭୁବନେଶ୍ୱରରେ ବିଶାଳ ସମାବେଶ

ଭୁବନେଶ୍ୱର,- : ଯେତେବେଳେ ସାରା ବିଶ୍ୱ ଅହିଂସା ଓ ଅସହଯୋଗ ଆନ୍ଦୋଳନର ମୂର୍ତ୍ତିମନ୍ତ ପ୍ର୍ରତୀକ ତଥା ସାରା ଭାରତବର୍ଷରେ ଜାତିର ଜନକ ରୂପେ ପରିଚିତ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପାଳନ କରୁଛି, ଯେତେବେଳେ ଖୋଦ ଭାରତ ସରକାରଙ୍କ ଦ୍ୱାରା ସମ୍ବିଧାନର ମୂଳଭିତ୍ତି ଗଣତନ୍ତ୍ର, ଧର୍ମନିରପେକ୍ଷତା, ବିବିଧତା ସଂସ୍କୃତି ଉପରେ ଆକ୍ରମଣ ବିରୋଧରେ ଏକାଠି ହୋଇଛନ୍ତି ସାଧାରଣ ଜନତା । ଓଡ଼ିଶାର ବିଭିନ୍ନ ବର୍ଗର ଜନସାଧାରଣ ଓ ସେମାନଙ୍କ ସ୍ୱରକୁ ପ୍ରତିନିଧିତ୍ୱ କରୁଥିବା ଛାତ୍ର, ଯୁବକ, ମହିଳା, ଶ୍ରମଜୀବୀ, ସାମାଜିକ ନ୍ୟାୟ, ମାନବାଧିକାର ଗଣ ସଂଗଠନ, ରାଜନୈତିକ ଦଳ, ଶିକ୍ଷାବିତ୍‌, ବୁଦ୍ଧିଜୀବୀ, କଳାକାର ଇତ୍ୟାଦି “ଆମେ ଭାରତବାସୀ’ ଛତ୍ର ତଳେ ଏକାଠି ହୋଇଛନ୍ତି । ଜାତି-ଧର୍ମ ଓ ସମ୍ପ୍ରଦାୟ ଆଧାରରେ ଦେଶକୁ ଭାଗ ଭାଗ କରିବା ପାଇଁ ଶାସକ ବିଜେପିର ଚକ୍ରାନ୍ତ ବିରୋଧରେ ଆବାଜ୍ ଉଠାଇ ଜାତୀୟ ପତାକା ଓ “ଜନଗଣ ମନ’ ଜାତୀୟ ସଙ୍ଗୀତ ଗାନ କରି ସମ୍ବିଧାନ ଓ ଧର୍ମ ନିରପେକ୍ଷତା ବିରୋଧୀ ନାଗରିକ ସଂଶୋଧନ ଆଇନ୍ (ସିଏଏ), ଜାତୀୟ ନାଗରିକ ପଞ୍ଜିକା (ଏନ୍‌.ଆର.ସି) ଓ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌.ପି.ଆର) ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ।
ମହାତ୍ମା ଗାନ୍ଧୀଙ୍କ ୭୨ତମ ଶହୀଦ ଦିବସ ୩୦ ଜାନୁୟାରୀ, ୨୦୨୦ରେ ରାଜଧାନୀ ଭୁବନେଶ୍ୱରରେ “ଆମେ ଭାରତବାସୀ’ ଆହ୍ୱାନରେ ସମ୍ବିଧାନ, ଗଣତନ୍ତ୍ର ଓ ଧର୍ମ ନିରପେକ୍ଷତାର ସୁରକ୍ଷା ପାଇଁ ଆୟୋଜିତ ହୋଇଛି ବିଶାଳ ଶୋଭାଯାତ୍ରା ଓ ଜନ ସମାବେଶ । ଏକାମ୍ର ହାଟ ତଥା ପ୍ରଦର୍ଶନୀ ପଡ଼ିଆ ନିକଟରୁ ସ୍ଲୋଗାନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଏକ ବିରାଟ ଶୋଭାଯାତ୍ରା ବାହାରି ମାଷ୍ଟର କ୍ୟାଣ୍ଟିନ ଛକ ଦେଇ ମହାତ୍ମା ଗାନ୍ଧୀ ମାର୍ଗରେ ପହଞ୍ôଚବା ପରେ ସେଠାରେ ଏକ ସମାବେଶ ଆୟୋଜନ କରାଯାଇଥିଲା । ଏକ ଆଠ ଜଣିଆ ସଭାପତି ମଣ୍ଡଳୀ ଯଥା : ପ୍ରଫେସର ସ୍ୱାଧୀନ ପଟ୍ଟନାୟକ, ପ୍ରଫେସର ଆଶା ହଂସ, ଭଜମନ ବେହେରା, ପ୍ରଫୁଲ୍ଲ ସାମନ୍ତରା, ଶେଖ୍ ଅବଦୁଲ ବାରି, ପ୍ରମିଳା ସ୍ୱାଇଁ, ସୁଧୀର ପଟ୍ଟନାୟକ ଏବଂ ରବି ଦାସ ସଭାପତିତ୍ୱରେ ତଥା ଏକ ୧୭ ଜଣିଆ କାର୍ଯ୍ୟକାରୀ-ପରିଚାଳନା କମିଟି ସହଯୋଗରେ ଆୟୋଜିତ ସମାବେଶରେ ସଭାପତି ମଣ୍ଡଳୀ ସଦସ୍ୟ ସୁଧୀର ପଟ୍ଟନାୟକ ପ୍ରଥମେ ସମ୍ବିଧାନର ମୁଖବନ୍ଧ ପାଠ କରିବା ପରେ ତାଙ୍କ ସହିତ ତାଳ ମିଳାଇ ଆବାଳ ବୃଦ୍ଧ ବନିତା ଶପଥ ଗ୍ରହଣ କରିଥିଲେ । ସୁରେଶ ପାଣିଗ୍ରାହୀଙ୍କ ପ୍ରାରମ୍ଭିକ ସୂଚନା ପରେ ସଭାରେ ଜାତି-ଧର୍ମ ର୍ନିବିଶେଷରେ ବିଭିନ୍ନ ବର୍ଗର ଜନସାଧାରଣଙ୍କ ସ୍ୱରକୁ ପ୍ରତିନିଧିତ୍ୱ କରୁଥିବା ଛାତ୍ର, ଯୁବକ, ମହିଳା, ଶ୍ରମଜୀବୀ, ସାମାଜିକ ନ୍ୟାୟ, ମାନବାଧିକାର ଗଣ ସଂଗଠନ, ରାଜନୈତିକ ଦଳ, ଶିକ୍ଷାବିତ୍‌, ବୁଦ୍ଧିଜୀବୀ, କଳାକାର ଇତ୍ୟାଦି ସେମାନଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ । ସମସ୍ତ ବକ୍ତାମାନେ ନାଗରିକ ସଂଶୋଧନ ଆଇନ୍‌କୁ ଏକ କଳା ଆଇନ୍ ଓ ଦେଶକୁ ଜାତି-ଧର୍ମ ନାଁରେ ଖଣ୍ଡ ବିଖଣ୍ଡିତ କରି ଏକ ଫାଶିଷ୍ଟ ଶାସନ ପ୍ରତିଷ୍ଠା ପାଇଁ ଗାନ୍ଧୀ ହତ୍ୟାକାରୀ ମୌଳବାଦୀ ସଂଘ ପରିବାରର ଯୋଜନାବଦ୍ଧ ଷଡ଼ଯନ୍ତ୍ରକୁ ତୀବ୍ର ନିନ୍ଦା କରିଥିଲେ । ଏହି କଳା ଆଇନ୍ ବଳରେ ସମ୍ବିଧାନର ମୌଳିକ ଅଧିକାରର ଧାରା ୧୪କୁ ଉଲଂଘନ କରାଯାଇଛି ବୋଲି ସେମାନେ ଅଭିଯୋଗ କରିଥିଲେ । “ଭାରତୀୟ ସମ୍ବିଧାନ ଓ ଜାତି-ଧର୍ମ ନିର୍ବିଶେଷରେ ଭାରତର ବିବିଧତା ଭରା ସଂସ୍କୃତି “ବସୁଧୈବ କୁଟୁମ୍ବକମ୍‌’ ବାର୍ତ୍ତା ପ୍ରଚାର କରୁଥିବା ବେଳେ ଆଫଗାନିସ୍ଥାନ, ପାକିସ୍ତାନ ଓ ବାଲାଂଦେଶରୁ ଆସିଥିବା ମୁସଲମାନମାନଙ୍କୁ ନାଗରିକତା ପ୍ରଦାନ ନକରିବା ଓ ପଡ଼ୋଶୀ ଶ୍ରୀଲଙ୍କା, ଭୁଟାନ, ମିଆଁମାର, ନେପାଳ ଇତ୍ୟାଦି ଦେଶକୁ ବାଦ୍ ଦିଆଯିବା କେଉଁ ନୀତିର ପରିଚୟ ବୋଲି ସେମାନେ ପ୍ରଶ୍ନ କରିଥିଲେ ଓ ଏହାକୁ ଏକ ବୈଷମ୍ୟମୂଳକ ନୀତି ବୋଲି ସମାଲୋଚନା କରିଥିଲେ । ସେହିପରି ଜାତୀୟ ନାଗରିକ ପଞ୍ଜିକା ବା ଏନ୍‌.ଆର.ସି. ନାଁରେ ସରକାର ଦେଶର ସାଧାରଣ, ମଧ୍ୟବିତ୍ତ, ଗରିବ ଜନସାଧାରଣ ବିଶେଷକରି ଆଦିବାସୀ ଓ ଦଳିତମାନଙ୍କ ସହିତ ଏକ ବିପଦପୂର୍ଣ୍ଣ ଖେଳ ଖେଳୁଛନ୍ତି ବୋଲି ବକ୍ତାମାନେ ଅଭିଯୋଗ କରିବା ସହିତ ଆସାମରେ ଏନ୍‌.ଆର.ସି. କାର୍ଯ୍ୟକାରୀ ହେବା ପରେ ସରକାରଙ୍କ ଅସତ୍ୟ ପ୍ରଚାରର ମୁଖା ଖୋଲିଦେଇଛି ବୋଲି ମନ୍ତବ୍ୟ ଦେଇଥିଲେ । ଆସାମରେ ଜାତୀୟ ନାଗରିକ ପଞ୍ଜିକା ବା ଏନ୍‌.ଆର.ସି. ନାଁରେ ସରକାର ଯେଉଁ ୧୯ ଲକ୍ଷ ନାଗରିକମାନଙ୍କୁ ବାଦ ଦେଇଥିଲେ, ସେମାନଙ୍କ ମଧ୍ୟରୁ ୧୩ ଲକ୍ଷ ହିନ୍ଦୁ, ୧ ଲକ୍ଷ ଆଦିବାସୀ ଓ ୫ ଲକ୍ଷ ମୁସଲମାନ ରହିଥିବା ବେଳେ ଦେଶରେ କୋଟି କୋଟି ମୁସଲମାନ ଅନୁପ୍ରବେଶକାରୀ ଅଛନ୍ତି ବୋଲି ବିଜେପି ଓ ଆର.ଏସ୍‌.ଏସ୍‌.ର ମିଥ୍ୟା ପ୍ରଚାରକୁ ବକ୍ତାମାନେ ତୀବ୍ର ସମାଲୋଚନା କରିଥିଲେ । ଅସଲରେ ନିଜର ଭୋଟ ବ୍ୟାଙ୍କକୁ ସୁଦୃଢ କରିବା ଓ ବିଜେପି ସରକାରଙ୍କ କର୍ପୋରେଟମାନଙ୍କ କଳାଧନକୁ ସୁରକ୍ଷା ଦେବାକୁ ନୋଟବନ୍ଦୀ, ଜିଏସ୍‌ଟି ଭଳି ପଦକ୍ଷେପ ଓ ଦେଶବ୍ୟାପୀ ଲାଗି ରହିଥିବା ଆର୍ଥିକ ମାନ୍ଦାବସ୍ଥା, ଆକାଶଛୁଆଁ ଦରଦାମ ବୃଦ୍ଧି, ବେକାରୀ, କୃଷକ ଆତ୍ମହତ୍ୟା ତଥା ଗତ ୬ ବର୍ଷର ଅପାରଗତା, ଶୋଷଣ ଓ ଲୁଣ୍ଠନକୁ ଘଣ୍ଟ ଘୋଡ଼ାଇବା ପାଇଁ ଏହା ଏକ ଫାଶିବାଦୀ ଚକ୍ରାନ୍ତ ବୋଲି ବକ୍ତାମାନେ ମତପୋଷଣ କରିଥିଲେ ।
ଦେଶବ୍ୟାପୀ ନାଗରିକ ସଂଶୋଧନ ଆଇନ୍ (ସିଏଏ), ଜାତୀୟ ନାଗରିକ ପଞ୍ଜିକା (ଏନ୍‌.ଆର.ସି.) ବିରୋଧରେ ପ୍ରତିବାଦ ଯୋଗୁ ବିବ୍ରତ ହୋଇ ବିଭିନ୍ନ ବିଜେପି ଶାସିତ ସରକାରମାନଙ୍କ ଲାଠି, ଗୁଳି, ଲୁହବୁହା ଗ୍ୟାସ, କର୍ଫ୍ୟୁ ଯୋଗୁ ଅଦ୍ୟାବଧି ଏହି ଆନ୍ଦୋଳନରେ ୨୮ ଜଣ ଆନ୍ଦୋଳନକାରୀ ଶହୀଦ ହୋଇଛନ୍ତି ଓ ହଜାର ହଜାର ଲୋକଙ୍କୁ ଗିରଫ କରି ବିଭିନ୍ନ ମିଛ ମକଦ୍ଦମାରେ ଛନ୍ଦି ଦିଆଯାଇଛି । ଏହିପରି ପ୍ରତିବାଦ ଦେଖି ଉଭୟ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ପାର୍ଲାମେଣ୍ଟ ଭିତରେ ଓ ବାହାରେ ଏନ୍‌ଆର.ସି ଓ ସିସିଏକୁ ନେଇ ବାରମ୍ବାର ମିଛ କହି ଚାଲିଛନ୍ତି । ଦେଶବ୍ୟାପୀ ଜନ ଆକ୍ରୋଶ ତଥା ବିରୋଧକୁ ଦେଖି ଅତ୍ୟନ୍ତ ଚତୁରତା ସହ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର), ଯାହା ପାଇଁ ତିନିପିଢିର ଜନ୍ମ ଓ ଜନ୍ମ ସ୍ଥାନ ପ୍ରମାଣ ପତ୍ରର ଆବଶ୍ୟକ, ତାକୁ ଲାଗୁ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଦେଶର ସମସ୍ତବର୍ଗର ଗରିବ ବିଶେଷକରି ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ, ଯାଯାବର ସମ୍ପ୍ରଦାୟ, ବସ୍ତିବାସିନ୍ଦା, ଉଠାଦୋକାନୀମାନଙ୍କୁ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର) ମାଧ୍ୟମରେ କାଠଗଡ଼ା ଓ ଲାଇନ୍‌ରେ ଛିଡ଼ାକରାଇ ଶୋଷଣ ଓ ଲୁଣ୍ଠନ କରିବା ପାଇଁ ସର୍ବାତ୍ମକ ଫାଶିବାଦୀ ଚକ୍ରାନ୍ତ ଆରମ୍ଭ ହୋଇଛି । କେନ୍ଦ୍ର ବିଜେପି ସରକାର ଗୋଟିଏ ପରେ ଗୋଟିଏ ଜନବିରୋଧୀ ପଦକ୍ଷେପ ନେଇ ଚାଲିଥିବା ବେଳେ ଓଡ଼ିଶା ସରକାର ସିସିଏକୁ ହଁ, ଏନ୍‌ଆରସିକୁ ନାଁ ଓ ଏନ୍‌ପିଆରକୁ ହଁ କହି ନିଜର ରାଜନୈତିକ ସ୍ୱାର୍ଥରେ ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଛନ୍ତି । ତେଣୁ ଲୋକଙ୍କ ସହିତ ଏ ଲୁଚକାଳି ଖେଳ ବନ୍ଦ କରି ଅନ୍ୟାନ୍ୟ ରାଜ୍ୟମାନଙ୍କ ଭଳି ସିସିଏ ଓ ଏନ୍‌ପିଆର ବିରୋଧରେ ଓଡ଼ିଶା ବିଧାନ ସଭାରେ ପ୍ରସ୍ତାବ ପାରିତ କରିବାକୁ ବକ୍ତାମାନେ ଦାବି କରିବା ସହିତ “ଆମେ ଭାରତବାସୀ’ ମଞ୍ଚ ପକ୍ଷରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଠିକ୍ ଅପରାହ୍ନ ୫.୧୭ ମିନିଟ୍‌ରେ, ଯେଉଁ ସମୟରେ ହିନ୍ଦୁ ମହାସଭା / ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସଦସ୍ୟ ନାଥୁରାମ ଗଡ଼ସେଙ୍କ ଦ୍ୱାରା ପ୍ରାର୍ଥନା ସଭାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା, ଠିକ୍ ସେହି ସମୟରେ ସମାବେଶରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଓ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ଏବଂ ନରେନ୍ଦ୍ର ମହାନ୍ତିଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ ପରେ ଓଡ଼ିଶାର ପୁରପଲ୍ଲୀରେ ନାଗରିକ ସଂଶୋଧନ ଆଇନ୍‌, ଜାତୀୟ ନାଗରିକ ପଞ୍ଜିକା ଓ ଜାତୀୟ ଜନସଂଖ୍ୟା ପଞ୍ଜିକା ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ସମାବେଶରେ ଆହ୍ୱାନ ଦିଆଯାଇ ସଭା ଶେଷ କରାଯାଇଥିଲା । ଏଥିରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟକ, ରାମକୃଷ୍ଣ ପଣ୍ଡା, ଜନାର୍ଦ୍ଦନ ପତି, ଉଦ୍ଧବ ଜେନା, ଯୁଧିଷ୍ଠିର ମହାପାତ୍ର, ଶିବରାମ, ଶ୍ରୀକାନ୍ତ ମହାନ୍ତି, ଜ୍ୟୋତିରଞ୍ଜନ ମହାପାତ୍ର, ସୁଦର୍ଶନ ପ୍ରଧାନ, ଶେଖ ଅବଦୁଲ ୱାଲି, ନିଶିକାନ୍ତ ମହାପାତ୍ର, ସାମାଜିକ ଆନ୍ଦୋଳନ-ମାନବାଧିକାର ଓ ଗଣସଂଗଠନ ସମୂୂହ ପକ୍ଷରୁ ସାଲ ମାର୍ଣ୍ଡିଂ, ତିରୁପତି ଗମାଙ୍ଗ, ଗୋହି ଗୋବିନ୍ଦ ବେସ୍ରା, ଆନ୍ନା କୁଜୁର, ଟୁନା ମଲ୍ଲିକ, ମାନସ ଜେନା, ଅଭିରାମ ମଲ୍ଲିକ, ସଂଗ୍ରାମ ମଲ୍ଲିକ, ସତୀଶ ମିଶ୍ର, ସଞ୍ଜୀବ ପତ୍ରୀ, ଅକ୍ଷୟ ମଲ୍ଲିକ, ଅଶୋକ ମଲ୍ଲିକ, ଇଂ ସସ୍ମିତା ବେହେରା, ସଂଗ୍ରାମ ମାଝୀ, ନିହାଲ ସିଂ, ଦେବରଞ୍ଜନ, ପ୍ରଦୀପ୍ତ ନାୟକ, ରାଧାକାନ୍ତ ସେଠି, ବିଶ୍ୱପ୍ରିୟ କାନୁନ୍‌ଗୋ, ରାଜା ସୁରେଶ, ହେନାରାଣୀ ବାରିକ, ବଟକୃଷ୍ଣ ସ୍ୱାଇଁ, ଶେଖ ସକିଲୁର ରହମନ, ଶେଖ ଅବଦୁଲ ବାରି, ମୌଲାନା ବାର୍କି, ମୁଫ୍‌ତି ଅବଦୁଲ ରେହମାନ, ମୌଲାନା ଫୟାଜ ଆଲାମ, ମୌଲାନା ମେହାର୍ଜ, ମୌଲାନା ସାହାବୁଦ୍ଦିନ ସାକାଫି, ବୁଦ୍ଧିଜୀବୀ ଶିକ୍ଷାବିତ୍‌ମାନଙ୍କ ମଧ୍ୟରୁ ବୀରେନ୍ଦ୍ର ନାୟକ, ବିଜୟ ବହିଦାର, ଅମୀୟ ମହାନ୍ତି, ତୁଷାରକାନ୍ତ ଶତପଥୀ, ଗୋଲଖ ବିହାରୀ ନାଥ, ଡଃ ଅଶ୍ୱିନୀ କୁମାର ମିଶ୍ର, କେଦାର ମିଶ୍ର, ଶ୍ରୀଯୁକ୍ତ ଦେବରାୟ ମହାପାତ୍ର, ମହିଳା ସଂଗଠନ ପକ୍ଷରୁ ତାପସୀ ପ୍ରହରାଜ, ପ୍ରମିଳା ବେହେରା, ପ୍ରମିଳା ସ୍ୱାଇଁ, ସ୍ୱାତୀ ମିଶ୍ର, ଛାତ୍ର ସଂଗଠନ ମାନଙ୍କ ପକ୍ଷରୁ ସଂଘମିତ୍ରା ଜେନା, ସିଦ୍ଧାର୍ଥ ରଥ, ସୁଜାତା ସାହାଣୀ, ଲିଟୁଲାଲ ସୁବୁଦ୍ଧି, ବିପ୍ଲବ ମିଶ୍ର, ଯୁବ ସଂଗଠକ ଅମୀୟ ପାଣ୍ଡବ, ଶ୍ରମିକ ସଂଗଠନ ମାନଙ୍କ ପକ୍ଷରୁ ମହେନ୍ଦ୍ର ପରିଡ଼ା, କିଶୋର ଜେନା, ସୌରୀବନ୍ଧୁ କର, ପୂର୍ଣ୍ଣଚନ୍ଦ୍ର ବେହେରା, ରାଜେନ୍ଦ୍ର ପ୍ରସାଦ ବାରିକ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ