ଓଜନ କମାଏ ବିଟଲୁଣ
ବିଟଲୁଣ ଖାଦ୍ୟର ସ୍ୱାଦ ଦୁଇ ଗୁଣ କରିଦେଇଥାଏ । ଖାସ କରି ଜଳଖିଆରେ ବିଟଲୁଣ ପକାଇଦେଲେ ବେଶ ସୁଆଦିଆ ଲାଗିଥାଏ । ଏହା କେବଳ ସ୍ୱାଦ ବଢ଼ାଇନଥାଏ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁ ଉପକାରୀ । ପ୍ରତିଦିନ ଏକ ନିଶ୍ଚିତ ମାତ୍ରାରେ ଏହାର ବ୍ୟବହାର କରାଗଲେ ଅନେକ ରୋଗ ହେବାର ଆଶଙ୍କା ଦୂର ହୋଇଥାଏ । ବିଟଲୁଣକୁ ଖାଦ୍ୟରେ କିମ୍ବା ସାଲାଡରେ ନିୟମିତ ଖାଇବା ଉଚିତ । କାରଣ ଏହାର ଅନେକ ଫାଇଦା ରହିଛି । ଆସନ୍ତୁ ଜାଣିବା ବିଟଲୁଣ ଖାଇବାର ଉପକାରିତା ସମ୍ପର୍କରେ ।
ବିଟଲୁଣ ଖାଇବା ଦ୍ୱାରା ଆଣ୍ଠୁଗଣ୍ଠି ଦରଜରୁ ମୁକ୍ତି ମିଳେ । ଏଥିପାଇଁ ଏକ ସୂତା କପଡ଼ାରେ କିଛି ବିଟଲୁଣ ନେଇ ଏକ ପୁଟୁଳା କରି ଏହାକୁ କଡ଼େଇ କିମ୍ବା ତାୱାରେ ଗରମ କରନ୍ତୁ । ଏହା ପରେ ଆଣ୍ଠୁଗଣ୍ଠି ଉପରେ ସେକ ଦିଅନ୍ତୁ । ଏପରି ପ୍ରତ୍ୟେକ ଦିନ ୩ରୁ ୪ ଥର କରନ୍ତୁ । ଦେଖିବେ କେମିତି ଆରାମ ଲାଗିବ ।
ବିଟଲୁଣକୁ ପାଣି ସହ ଖାଇଲେ ପେଟର ପାଚନ କ୍ରିୟା ସୁଧୁରିଥାଏ । ଖାଇବାରେ ବିଟଲୁଣର ବ୍ୟବହାର କଲେ ଗ୍ୟାସ ସମସ୍ୟାରୁ ମୁକ୍ତି ମିଳେ ଓ ହଜମ ଭଲ ହୁଏ ।
ବିଟଲୁଣକୁ ସର୍ଦ୍ଦି, କାଶ, ଆଜମା ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ । ଗରମ ପାଣିରେ ପର୍ଯ୍ୟାପ୍ତ ପରିମାଣର ଲୁଣ ମିଶାଇ ଏହାର ବାମ୍ଫ ନେବା ଦ୍ୱାରା କଫ ଶୀଘ୍ର ଭଲ ହୋଇଥାଏ ।
ବିଟଲୁଣ ଖାଦ୍ୟର ସ୍ୱାଦ ବଢ଼ାଇବା ସହ ମୋଟାପଣ ଦୂର କରିଥାଏ । ଏକ ଗ୍ଲାସ ପାଣିରେ ଏକ ଚାମଚ ଲେମ୍ବୁ ରସ ଓ ବିଟଲୁଣ ପକାଇ ଏହାର ଘୋଳ ପ୍ରସ୍ତୁତ କରନ୍ତୁ । ଶୋଷ ଲାଗିଲେ ଦିନ ସାରା ଏହି ଘୋଳକୁ ପିଅନ୍ତୁ । ନିୟମିତ ଭାବେ ଏପରି କରିବା ଦ୍ୱାରା ପେଟରେ ଚର୍ବି ଜମା ହୋଇନଥାଏ । ଫଳରେ ମୋଟାପଣରୁ ଧୀରେ ଧୀରେ ମୁକ୍ତି ମିଳିଥାଏ ।
ସାଧାରଣ ଲୁଣ ତୁଳନାରେ ବିଟଲୁଣରେ କମ୍ ମାତ୍ରାରେ ସୋଡିୟମ ରହିଛି । ଯାହା କୋଲେଷ୍ଟ୍ରଲ ହ୍ରାସ କରିଥାଏ । ଫଳରେ ଆପଣଙ୍କ ହୃଦୟ ସୁସ୍ଥ ରହିଥାଏ ।


