ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପରଷ୍ପରଙ୍କୁ ହତ୍ୟା ଉଦ୍ୟମ ଘଟଣା: ୩ ଅଭିଯୁକ୍ତ ଗଲେ ଜେଲ
ଦିଗପହଣ୍ଡି(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ବଡ଼ପଦା ଗ୍ରାମର ସୀମାଞ୍ଚଳ ଦଳାଇ(୨୮),ଅଭି ଦଳାଇ(୬୨) ଏବଂ ବାଇଗଣବାଡ଼ିପଲ୍ଲୀ ଗ୍ରାମର କାହ୍ନୁଚରଣ ଦଳାଇ (୩୧) ଙ୍କୁ କେ.ନୂଆଗାଁ ଆଇଆଇସି ବିଶ୍ୱଜିତ ନାୟକ ହତ୍ୟା ଉଦ୍ୟମ ଘଟଣାରେ ଗିରଫ କରି ଗୁରୁବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛନ୍ତି। ଥାନା ମାମଲା ନଂ.୩୨୦/୨୬ ଏବଂ ୩୨୧/୨୬ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ମାନଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ବୁଧବାର ସକାଳ ପ୍ରାୟ ୯ ଟାରେ ବଡ଼ପଦା ଗ୍ରାମର ସୀମାଞ୍ଚଳ ଦଳାଇ ଏବଂ ସନ୍ତୋଷ ଦଳାଇ ଗାଁ ମଣ୍ଡପରେ ବସିଥିବା ବେଳେ ବ୍ୟକ୍ତିଗତ ଶତ୍ରୁତା କୁ କେନ୍ଦ୍ରକରି ଅଭି ଦଳାଇ ହାତରେ ଠେଙ୍ଗା ଧରି ସେଠାକୁ ଆସି ସୀମାଞ୍ଚଳ ଙ୍କୁ ଅଶ୍ଳିଳ ଭାଷାରେ ଗାଳି କରି ମୋ ନାଁ ରେ କାହିଁକି ବଦନାମ କରୁଛୁ କହିଥିଲେ।ସୀମାଞ୍ଚଳ ପ୍ରତିବାଦ କରିବାରୁ ତୋତେ ଆଜି ଜୀବନରେ ମାରିଦେବୁ କହି ଅଭି ଧରିଥିବା ଠେଙ୍ଗାରେ ତାଙ୍କ ମୁଣ୍ଡ ଫଟାଇ ଦେଇଥିଲେ। କାହ୍ନୁ ତାଙ୍କୁ ତଳେ ପକାଇ ଲାତ ଗୋଇଠା ମାରିଥିଲେ। ସମ୍ପର୍କୀୟ ଲୋକେ ତାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ। ଚିକିତ୍ସା ହୋଇ ଫେରିବା ପରେ ସୀମାଞ୍ଚଳ କେ.ନୂଆଗାଁ ଥାନାରେ ଏତଲା ଦେଇଥିଲେ।ଏତଲାକୁ ଭିତ୍ତିକରି ପୋଲିସ ଅଭିଯୁକ୍ତ ମାନଙ୍କ ନାଁ ରେ ମକଦ୍ଦମା ରୁଜୁ କରିଥିଲେ। ସେହିପରି ଘଟଣାଦିନ ବାଇଗଣବାଡ଼ି ପଲ୍ଲୀ ଗ୍ରାମର କାହ୍ନୁ ଅଭି ଙ୍କ ଘରକୁ କାମ କରିବାକୁ ଆସିଥିଲେ।ସକାଳ ପ୍ରାୟ ୧୦ ଟାରେ ସେ ଘରକୁ ଫେରୁଥିବାବେଳେ ଶଙ୍କର ଦଳାଇ ଏବଂ ସୀମାଞ୍ଚଳ ଦଳାଇ ତାଙ୍କୁ ରାସ୍ତାରେ ଅଟକାଇ ମାଡ଼ ମାରୁଥିଲେ। ଅଭି ସେଠାକୁ ଯାଇ ଛଡ଼ାଇବାରୁ ଉଭୟେ ଅଭି ଙ୍କୁ ନିସ୍ତୁକ ମାଡ଼ ମାରି ତଳେ ପକାଇ ଦେଇଥିଲେ।ଅଭି ଙ୍କ ପରିବାର ଲୋକେ ଏବଂ ସମ୍ପର୍କୀୟ ତୋଫାନ ସେଠାକୁ ଦୌଡି ଯାଇ ଅଭି ଙ୍କୁ ଉଦ୍ଧାର କରିବା ବେଳେ ସୀମାଞ୍ଚଳ ଏକ ଠେଙ୍ଗା ରେ ମାଡ଼ ମାରି ତୋଫାନ ଙ୍କ ମୁଣ୍ଡ ଫଟାଇ ଦେଇଥିଲେ। ତୋଫାନ ଙ୍କୁ ଗୁରୁତର ଅବସ୍ଥାରେ ବମୋକେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା। ଏନେଇ ଅଭି କେ.ନୂଆଗାଁ ଥାନାରେ ପହଞ୍ଚି ଏତଲା ଦେଇଥିଲେ।ପୋଲିସ ଏନେଇ ଅଭିଯୁକ୍ତ ମାନଙ୍କ ନାଁ ରେ ପୃଥକ୍ ମକଦ୍ଦମା ରୁଜୁ କରିଥିଲେ।ତଦନ୍ତକାରୀ ଅଧିକାରୀ ଆଇଆଇସି ଗୁରୁବାର ଭୋର ପ୍ରାୟ ସାଢେ ୫ ଟାରେ ଅଭିଯୁକ୍ତ ମାନଙ୍କ ଗାଁ ରେ ଚଢାଉ କରି ଗିରଫ କରିଥିଲେ।ପୋଲିସ ଅଭିଯୁକ୍ତ ମାନଙ୍କ ନିକଟରୁ ମରଣାନ୍ତକ ଆକ୍ରମଣରେ ବ୍ୟବହୃତ ଠେଙ୍ଗା ଜବତ କରିଥିବା ଜଣାପଡିଛି।


