ନୋଭେଲ କରୋନା ଭୂତାଣୁ ମୁକାବିଲା ପାଇଁ ବିଭିନ୍ନ ରାଜ୍ୟର ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ
ଆଜି ଭିଡିଓ କନଫରେନ୍ସିଂ ଜରିଆରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସଚିବ ସୁଶ୍ରୀ ପ୍ରୀତି ସୁଦାନ ନୋଭେଲ କରୋନା ଭୂତାଣୁ ମୁକାବିଲା ଲାଗି ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ପ୍ରଦେଶ ପକ୍ଷରୁ କରାଯାଇଥିବା ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ଏଥିରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ସ୍ୱାସ୍ଥ୍ୟ ସଚିବଙ୍କ ସମେତ କେନ୍ଦ୍ର ସରକାରଙ୍କ ଜାହାଜ ଚଳାଚଳ, ବେସାମରିକ ବିମାନ ଚଳାଚଳ, ବୈଦେଶିକ ବ୍ୟାପାର, ପର୍ଯ୍ୟଟନ, ଗୃହ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ । ସ୍ୱାସ୍ଥ୍ୟ ସଚିବ କହିଥିଲେ ଯେ, କେନ୍ଦ୍ରୀୟ ସ୍ତରରେ ସମ୍ପୃକ୍ତ ମନ୍ତ୍ରଣାଳୟଗୁଡିକ ସହଯୋଗରେ ଅନେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଓ କ୍ୟାବିନେଟ ସଚିବ ପ୍ରତିଦିନ ସ୍ଥିତି ସମୀକ୍ଷା କରୁଛନ୍ତି । କରୋନା ଭୂତାଣୁ ସଂକ୍ରମଣକୁ ଆଖି ଆଗରେ ରଖି ଭିସା କଟକଣା ଓ ପରାମର୍ଶକୁ ସେ ଦୋହରାଇଥିଲେ । ଏ ସଂକ୍ରାନ୍ତରେ ସଚେତନତା ସୃଷ୍ଟି ଲାଗି ସେ ରାଜ୍ୟଗୁଡିକୁ ପରାମର୍ଶ ଦେଇଥିଲେ । ଅଧିକ ସତର୍କ ରହିବା ଲାଗି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡିକୁ କୁହାଯାଇଥିଲା । ଏହାଛଡା ସ୍ୱାସ୍ଥ୍ୟ ଏବଂ ଅନ୍ୟ ଏଜେନ୍ସିଗୁଡିକର ଓରିଏଂଟେସନ, ନିରାକରଣ ଓ ପରିଚାଳନା ପାଇଁ ପ୍ରୋଟକଲ ପାଳନ, ଆଗନ୍ତୁକଙ୍କ ଯାଂଚ, ନେପାଳ ସୀମାରେ ଯାତାୟାତ କରୁଥିବା ଲୋକଙ୍କୁ ସଚେତନ କରିବା ଆଦି ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ବିମାନ ବନ୍ଦରରେ ସ୍କ୍ରିନିଂ ପାଇଁ ଅତିରିକ୍ତ ମାନବ ସମ୍ବଳ ବୃଦ୍ଧି କରିବା, ରାଜ୍ୟଗୁଡିକ ପକ୍ଷରୁ ଆବଶ୍ୟକ ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟ ଲଜିଷ୍ଟିକ ସମର୍ଥନ ଯୋଗାଇଦେବା ପାଇଁ ସେ କହିଥିଲେ । କେରଳରେ ବର୍ତମାନ ୩ଜଣ କରୋନା ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନେ ସମସ୍ତେ ଛାତ୍ର ହୋଇଥିବା ବେଳେ ଚୀନର ଉହାନରୁ ଆସିଛନ୍ତି । ରାଜ୍ୟ ସରକାର ସମସ୍ତ ପ୍ରଶାସନିକ ସଂସ୍ଥାରେ ନିରିକ୍ଷଣ ଓ ସତର୍କତା କାର୍ଯ୍ୟ କରୁଛନ୍ତି । ସ୍ଥିତି ସମୀକ୍ଷା ଓ ଅନୁଧ୍ୟାନ ଲାଗି ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇଥିଲେ ଯେ, ଦିଲ୍ଲୀ, କୋଲକତା, ମୁମ୍ବାଇ, ଚେନ୍ନାଇ, କୋଚି, ବେଙ୍ଗାଲୁରୁ ଓ ହାଇଦ୍ରାବାଦ ବିମାନ ବନ୍ଦରରେ ଚୀନ, ସିଙ୍ଗାପୁର, ଥାଇଲାଣ୍ଡ ଓ ହଂକଂରୁ ଆସୁଥିବା ଯାତ୍ରୀଙ୍କ ସ୍କ୍ରିନିଂ ପାଇଁ ସ୍ୱତନ୍ତ୍ର ଦ୍ୱାରରେ ନିର୍ଦ୍ଧାରିତ ଏରୋବ୍ରିଜ ଉପଯୋଗ କରାଯିବ । ଫଳରେ ପ୍ରଭାବୀ ନିରାକରଣ ସମ୍ଭବ ହୋଇପାରିବ । ଏହି ଅବସରରେ ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇଥିଲେ ଯେ, ସମସ୍ତ ୨୧ଟି ବିମାନ ବନ୍ଦର, ଅନ୍ତର୍ଜାତୀୟ ବନ୍ଦର ଓ ସୀମାବର୍ତୀ ଅଂଚଳରେ ଯାତ୍ରୀଙ୍କ ସ୍କ୍ରିନିଂ କରାଯାଉଛି । ବର୍ତମାନ ସୁଦ୍ଧା ୮୧ଟି ବିମାନ ବନ୍ଦରରେ ୭୭୭ଟି ବିମାନରେ ଆସିଥିବା ୮୯୫୦୦ ଯାତ୍ରୀଙ୍କର ଯାଂଚ କରାଯାଇ ସାରିଛି । ମୋଟ ୪୫୪ଟି ନମୁନା ଯାଂଚ କରାଯାଇଥିବା ବେଳେ ଏଥିମଧ୍ୟରୁ ୩ଟି ନମୁନା ଭୂତାଣୁ ସଂକ୍ରମିତ ବୋଲି ଜଣାପଡିଛି । ୩୯୩୫ ଜଣ ଯାତ୍ରୀ ୨୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଗୋଷ୍ଠୀଗତ ନିରୀକ୍ଷଣରେ ରହିଛନ୍ତି ।