ବାରଣାସୀରୁ ନଲଢ଼ିବା ପ୍ରିୟଙ୍କାଙ୍କ ନିଜସ୍ୱ ନିଷ୍ପତ୍ତି
ନୂଆଦିଲ୍ଲୀ(ଏଜେନ୍ସି): ବାରଣାସୀ ଲୋକସଭା ଆସନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ, ଏହି ଆସନରୁ କାହିଁକି ପ୍ରିୟଙ୍କା ଲଢିନାହାନ୍ତି ତାକୁ ନେଇ କଂଗ୍ରେସ ସ୍ପଷ୍ଟୀକରଣ ରଖିଛି । ଏ ନେଇ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସାମ୍ ପିଟ୍ରୋଡା ସ୍ପଷ୍ଟୀକରଣ ଦେଇଛନ୍ତି । ପିଟ୍ରୋଡାଙ୍କ କହିବା ଅନୁସାରେ ବାରଣାସୀରୁ ନ ଲଢିବା ପ୍ରିୟଙ୍କାଙ୍କ ନିଜସ୍ୱ ନିଷ୍ପତ୍ତି ଥିଲା । କୌଣସି ଗୋଟିଏ ଲୋକସଭା ଆସନକୁ ଲକ୍ଷ୍ୟ ନକରି ଅନ୍ୟ ଆସନକୁ ଦୃଷ୍ଟି ଦେବା ପାଇଁ ପ୍ରିୟଙ୍କା ଏହି ନିଷ୍ପତ୍ତି ନେଇଛନ୍ତି । ଦଳ ତରଫରୁ ପ୍ରିୟଙ୍କାଙ୍କୁ ଅନ୍ୟ କାର୍ଯ୍ୟ ଦିଆଯାଇଥିବାରୁ ସେ ଏହି ଆସନରେ ଲଢିବାକୁ ମନା କରିଥିବା ପିଟ୍ରୋଡା କହିଛନ୍ତି । ଏହାସହ ପିଟ୍ରୋଟା କେନ୍ଦ୍ର ସରକାରଙ୍କୁ ମଧ୍ୟ କଡା ସମାଲୋଚନା କରିଛନ୍ତି । ଦୀର୍ଘ ୫ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଲୋକମାନଙ୍କୁ ମିଛ ପ୍ରତିଶ୍ରୁତି ଦେଇଆସିଛି । ଭାରତ ଏକ ଯୁବଗୋଷ୍ଠୀ ବହୁଳ ରାଷ୍ଟ୍ର ହୋଇଥିଲେ ମଧ୍ୟ ବେକାରୀ ଏକ ବଡ ସମସ୍ୟା ରହିଛି । କଂଗ୍ରେସ ସରକାରକୁ ଆସିଲେ ବେକାରୀ ସମସ୍ୟା କିପରି ଦୂର ହେବ ସେଥିପାଇଁ କାର୍ଯ୍ୟ କରିବ ।