ଲାଞ୍ଚନେବା ଅଭିଯୋଗରେ ମନିଷ ସିଶୋଡିଆଙ୍କ ଓଏସଡି ଗୋପାଳ କୃଷ୍ଣ ଗିରଫ
ନୂଆଦିଲ୍ଲୀ:- ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିଶୋଡିଆଙ୍କ ଓଏସଡି(ସ୍ବତନ୍ତ୍ର କର୍ତ୍ତବ୍ୟ ଅଧିକାରୀ) ଗୋପାଳ କୃଷ୍ଣ ମାଧବଙ୍କୁ ଗିରଫ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ବା (ସିବିଆଇ) । ଏହା ସହିତ ସିବିଆଇ ଅଧିକାରୀମାନେ କହିଛନ୍ତି ଯେ, ଜିଏସଟି ସମ୍ପର୍କିତ ମାମଲାରେ ଗୋପାଳ ଜଣେ ବ୍ୟକ୍ତିଙ୍କଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ତାଙ୍କୁ ଗୁରୁବାର ବିଳମ୍ବିତ ରାତିରେ ଗିରଫ କରାଯାଇଛି । ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ ମନିଷ ସିଶୋଡିଆ ଟ୍ବିଟ୍ କରି ଲେଖିଛନ୍ତି, ମୁଁ ଜାଣିବାକୁ ପାଇଲି ଯେ ସିବିଆଇ ଜଣେ ଜିଏସଟି ଇନ୍ସପେକ୍ଟରଙ୍କୁ ଲାଞ୍ଚ ନେବା ସମୟରେ ଗିରଫ କରିଛି। ସେହି ଅଧିକାରୀ ଜଣକ ମୋ କ।ର୍ଯ୍ୟ।ଳୟରେ ଓଏସଡି ଭାବେ ମୁତୟନ ଥିଲେ। ସିବିଆଇ ସମ୍ପୃକ୍ତ ଅଧିକାରୀଙ୍କୁ ତୁରନ୍ତ କଠୋରରୁ ଅତି କଠୋର ଦଣ୍ଡ ଦେବା ଉଚିତ । ଏଭଳି ଅନେକ ଭ୍ରଷ୍ଟାଚାରୀ ଅଧିକାରୀଙ୍କୁ ଗତ ୫ ବର୍ଷ ଭିତରେ ମୁଁ ଧରାଇଛି । ମିଳିଥିବା ସୂଚନାଅନୁସାରେ ଗିରଫ ଅଧିକାରୀଙ୍କୁ ପଚରାଉଚରା ଲାଗି ସିବିଆଇ ମୁଖ୍ୟାଳୟକୁ ନିଆଯାଇଛି । ଏହି ମାମଲାରେ ସିଶୋଡିଆଙ୍କର କୌଣସି ଭୂମିକା ସାମ୍ନାକୁ ଆସିନାହିଁ ।


