ନାଉଗାଁ ବ୍ଲକରେ ସୂଚନା ଅଧିକାର ଆଇନରେମିଳୁନାହିଁ ତଥ୍ୟ
ନାଉଗାଁ -:ଦୁର୍ନିତୀକୁ ମୁଳତ୍ପୋଟନ କରିବା ଉର୍ଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ୨୦୦୫ ମସିହାରେ ସୂଚନା ଅଧିକାର ଆଇନ ପ୍ରଣୟନ କରାଯାଇଛି । ଯେଉଁ ଆଇନ ବଳରେ ଜନସାଧାରଣମାନେ ସରକାର ବା ବେସରକାରୀ ଦପ୍ତରରୁ ଜାଣିବାକୁ ଚାହୁଁ ଥିବା ତଥ୍ୟ ନିର୍ଭୂଲ ଓ ସଠିକ ଭାବେ ଧାର୍ଯ୍ୟ ସମୟ ମଧ୍ୟରେ ପାଇବେ । କିନ୍ତୁ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଏହି ଆଇନକୁ ମାନୁ ନଥିବା ସୂଚନା ଅଧିକାରୀ କର୍ମୀ ରାଜେଶ କୁମାର ପ୍ରଧାନ ଅଭିଯୋଗ କରିଛନ୍ତି । ସୂଚନା ମୁତାବକ, ନାଉଗାଁ ବ୍ଳକରେ ୨୦୧୯ ମସିହାରେ ରାଜ୍ୟ ସରକାରଙ୍କ ଆମ ଗାଁ,ଆମ ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ସଠିକ ତଥ୍ୟ ଜାଣିବା ପାଇଁ ନାଉଗାଁ ବ୍ଲକ ଘୋଡାଂଶ ପଂଚାୟତର ସୂଚନା ଅଧିକାର କର୍ମୀ ରାଜେଶ କୁମାର ପ୍ରଧାନ ସୂଚନା ଅଧିକାର ଆଇନ ବଳରେ ଡାକଯୋଗେ ୨୦୧୯ ଡିସେମ୍ବର ୨୧ରେ ନାଉଗାଁ ପଂଚାୟତ ସମିତି କାର୍ଯ୍ୟାଳୟର ଜନ ସୂଚନା ଅଧିକାରୀଙ୍କ ନିକଟରୁ ତଥ୍ୟ ପାଇଁ ଦରଖାସ୍ତ ଆବେଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ନାଉଗାଁ ବ୍ଲକ ପାଇଁ କେତୋଟି ପ୍ରକଳ୍ପ ଅନୁମୋଦନ ହୋଇଛି, କେଉଁ ପଂଚାୟତ ଓ କେଉଁ ଗ୍ରାମକୁ କେତୋଟି ପ୍ରକଳ୍ପ ରହିଛି ଓ ପ୍ରତି ପ୍ରକଳ୍ପର ଅନୁଦାନ କେତେ,ପ୍ରକଳ୍ପର କାର୍ଯ୍ୟାଦେଶ ଗୁଡିକ କାହା କାହା ନାମରେ ରହିଛି,କେତୋଟି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇଛି, କାର୍ଯ୍ୟାରମ୍ଭ ପ୍ରକଳ୍ପର ଫଟୋ ଓ କାର୍ଯ୍ୟ ଚାଲିଥିବା ପ୍ରକଳ୍ପ ଆଦି ଫଟୋର ନକଲ ଦେବା ପାଇଁ ଆବେଦନ ପତ୍ରରେ ଦର୍ଶାଇଥିଲେ । କିନ୍ତୁ ପଂଚାୟତ ସମିତି କାର୍ଯ୍ୟାଳୟର ଜନ ସୂଚନା ଅଧିକାରୀଙ୍କ ପକ୍ଷରୁ ଧାର୍ଯ୍ୟ ସମୟ ମଧ୍ୟରେ ଏହି ସଂକ୍ରାନ୍ତରେ କୌଣସି ତଥ୍ୟ ବା ଉତର ଶ୍ରୀ ପ୍ରଧାନଙ୍କୁ ଯୋଗାଇ ଦିଆଯାଇନଥିଲା । ଫଳରେ ଶ୍ରୀ ପ୍ରଧାନ ନାଉଗାଁ ପଂଚାୟତ ସମିତି କାର୍ଯ୍ୟାଳୟର ଜନ ସୂଚନା ଅଧିକାରୀଙ୍କ ପ୍ରଥମ ଅପିଲ କର୍ତୃପକ୍ଷଙ୍କ ନିକଟକୁ ପେବୃଆରୀ ୫ରେ ଡାକଯୋଗେ ଦରଖାସ୍ତ ଫର୍ମ ପ୍ରେରଣ କରିଥିବା ଜଣାଯାଇଛି । ଏପରିକି ଏହି ଆଇନ ବଳରେ ତଥ୍ୟ ପ୍ରଦାନ କରାଗଲେ ଅନେକ ଦୁର୍ନୀତି ଧରା ପଡିବା ଭୟରେ ବ୍ଲକ ଜନ ସୂଚନା ଅଧିକାରୀ ଆବେଦନ ଫର୍ମ ଗୁଡିକୁ ଦୀର୍ଘଦିନ ଧରି ଚାପି ରଖୁଥିବା ଆବେଦନକାରୀ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି । ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ଆଣିବା ପାଇଁ ଉକ୍ତ ଆଇନ ପ୍ରଣୟନ କରାଯାଇଥିଲେ ମଧ୍ୟ ବ୍ଳକ ପ୍ରଶାସନ ପକ୍ଷରୁ ସଠିକ ସମୟରେ ତଥ୍ୟ ପ୍ରଦାନ ନ କରିବା ପଛର କାରଣ କ’ଣ ହୋଇପାରେ ତାହା ଜଣାପଡୁନାହିଁ ।ଜନ ସୂଚନା ଅଧିକାର ଆଇନ କାହା ଉର୍ଦ୍ଦେଶ୍ୟରେ ପ୍ରଣୟନ କରାଯାଇଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ସଂର୍ପକରେ ନାଉଗାଁ ବ୍ଲକ ଜନ ସୂଚନା ଅଧିକାରୀଙ୍କ ମତାମତ ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ ।


