ପୋଲିସର ଦ୍ୱାରା ୩ ମନ୍ଦିର ଚୋରିର ପର୍ଦାଫାଶ

କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) : ପୋଲିସ ପକ୍ଷରୁ ପାର୍ବଣ ପୂର୍ବରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଅପରେସନ “ଦମନ”ରେ କାକଟପୁର ଥାନା ହାଟ୍ରିକ୍ ସଫଳତା ହାସଲ କରିଛି । ମାତ୍ର ଏକ ମାସ ମଧ୍ୟରେ ତିନୋଟି ବଡ ମନ୍ଦିର ଚୋରି ଘଟଣାର ପର୍ଦାଫାଶ କରି ୪ ଜଣ କୁଖ୍ୟାତ ଅପରାଧୀଙ୍କୁ ଗିରଫ କରି ଜେଲ ପଠାଇଛି । ଏହି ସଫଳତା ପାଇଁ ଥାନା ଅଧିକାରୀ ବସନ୍ତ ସାହୁ ଏବଂ ତାଙ୍କ ଟିମକୁ ସବୁ ମହଲରୁ ପ୍ରଶଂସା ମିଳୁଛି ।ସୂଚନା ଅନୁଯାୟୀ ସେପ୍ଟେମ୍ବର ୨୯ ମଧ୍ୟରାତ୍ରିରେ କାକଟପୁର ଥାନା ଅଧୀନ ଚକିଆ ମଠ ବାସୁଦେବ ମନ୍ଦିର ଏବଂ କୁଣ୍ଢେଶ୍ୱର ମଠର ତାଲା ଭାଙ୍ଗି ଦୁର୍ବୃତ୍ତ ପିତ୍ତଳ ଘଣ୍ଟି, ଥାଳି, ଢାଳ, ଗିନା, ଗରା, ଗ୍ଲାସ ଭଳି ପୂଜା ସାମଗ୍ରୀ ଚୋରି କରି ନେଇଥିଲେ। ଏ ନେଇ ଘନଶ୍ୟାମ ରଥ ଅକ୍ଟୋବର ୨ ତାରିଖ ଅପରାହ୍ନ ୩ଟାରେ ଅଭିଯୋଗ କରିବା ପରେ କାକଟପୁର ଥାନାରେ କେସ ନମ୍ବର ୩୫୭/୨୦୨୬ ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ଦାୟିତ୍ୱ ସହକାରୀ ଉପ ନିରୀକ୍ଷକ ଜୟନ୍ତୀ ସାହୁଙ୍କୁ ଦିଆଯାଇଥିଲା। ଏହି ଘଟଣା ଭିତରେ ଏକ ବଡ ତଥ୍ୟ ସାମ୍ନାକୁ ଆସିଛି। ଗତ ଫେବୃଆରୀ ମାସରୁ ଅସ୍ତରଙ୍ଗ ଥାନା ଅଧୀନରେ ଅନେକ ମନ୍ଦିର ରୁ ଚୋରି ଘଟଣା ଘଟିଛି। ଦାନ ବାକ୍ସ, ପିତ୍ତଳ ବାସନ, ଅଳଙ୍କାର ଚୋରି ହେଉଛି। ହେଲେ ଅସ୍ତରଙ୍ଗ ପୋଲିସ ମାମଲା ରୁଜୁ କରି ଥିବା ବେଳେ ଦୁର୍ବୃତ୍ତଙ୍କୁ ଧରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଯାହାକୁ ନେଇ ପୁରୀ ଏସ୍ପି ଙ୍କ ନିକଟରେ ଅସ୍ତରଙ୍ଗ ବଜାର କମିଟି ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ମାସ ମାସ ବିତିଥିଲେ ମଧ୍ୟ ଅସ୍ତରଙ୍ଗ ପୋଲିସ କୌଣସି ଚୋରି ଘଟଣା ରେ ଦୁର୍ବୁତ୍ତ ଙ୍କୁ ଧରିବାରେ ବିଫଳ।ମାସ ଧରି ମାମଲା ପଡି ରହିଛି, ଗୋଟିଏ ବି ବଡ ଗିରଫ ହୋଇ ନାହିଁ। ଏପରିକି ଅସ୍ତରଙ୍ଗ ଥାନା କେସ ନମ୍ବର ୨୬୦ ର ୱାଣ୍ଟେଡ ଅପରାଧୀଙ୍କୁ ମଧ୍ୟ ଅସ୍ତରଙ୍ଗ ପୋଲିସ ଧରି ପାରି ନଥିବା ବେଳେ ସେହି ଅପରାଧୀଙ୍କୁ କାକଟପୁର ପୋଲିସ ଧରି ନିଜର ଦକ୍ଷତା ପ୍ରମାଣ କରିଛି। ଏହା ଦୁଇ ଥାନାର କାର୍ଯ୍ୟଦକ୍ଷତାର ଫରକକୁ ସ୍ପଷ୍ଟ କରୁଛି। ଅନ୍ୟ ପଟେ କାକଟପୁର ପୋଲିସ ଗୁପ୍ତ ସୂଚନା ଓ ବୈଷୟିକ ତଦନ୍ତ ଆଧାରରେ ଅକ୍ଟୋବର ୩ରେ ବଡ ଚଢାଉ କରି ବୋଇତକୁଦ ଗ୍ରାମର ମଙ୍ଗୁ ପ୍ରସାଦ ଦାସ (୨୮), ପୁରୀ ହରଚଣ୍ଡୀ ସାହିର କାହ୍ନା ଭୋଇ (୨୯), ଶ୍ରୀରାମପୁରର ପାପୁନି ଦାସ (୨୩)ଏବଂ ଚୋରି ମାଲ କିଣୁଥିବା ବାଜପୁରର ଅର୍ଜୁନ ସାହୁ(୪୦)ଙ୍କୁ ଗିରଫ କରିଛି। ସେମାନଙ୍କ ପାଖରୁ ଭଙ୍ଗା ତାଲା, ପିତ୍ତଳ ଘଣ୍ଟି, ଥାଳି, ଢାଳ, ଗିନା, ଗରା, ଗ୍ଲାସ ସବୁ ପିତଳ ସାମଗ୍ରୀ ଜବତ ହୋଇଛି। ଏମାନେ କାକଟପୁର କେସ ୩୫୬ ଓ ଅସ୍ତରଙ୍ଗ କେସ ୨୬୦ରେ ଅପରାଧୀ ଥିଲେ। ପାର୍ବଣରେ ଫାଙ୍କା ମନ୍ଦିରକୁ ଟାର୍ଗେଟ କରିବା ଏମାନଙ୍କ ମୋଡସ ଲକ୍ଷ୍ୟ ।ଦିନରେ ମନ୍ଦିର ଦର୍ଶନ କରିବା, ରାତିରେ ଚୋରି କରିବା। ଅସ୍ତରଙ୍ଗ ପୋଲିସ ଯେଉଁଠି ବିଫଳ ହୋଇଛି, ସେଠି କାକଟପୁର ପୋଲିସର ଏଭଳି ସଫଳତା ପାଇଁ ସାଧାରଣ ଲୋକ ଖୁସି ବ୍ୟକ୍ତ କରିଛନ୍ତି। ଥାନା ଅଧିକାରୀ ବସନ୍ତ ସାହୁଙ୍କ ଦିନ ରାତି ପରିଶ୍ରମ, ରାତି ପାଟ୍ରୋଲିଂ ବୃଦ୍ଧି ଓ ଗୁପ୍ତ ସୂଚନା ତନ୍ତ୍ର ଯୋଗୁଁ ଏହା ସମ୍ଭବ ହୋଇଛି। ସମସ୍ତଙ୍କୁ କୋର୍ଟ ଚାଲାଣ କରି ଜେଲ ପଠାଯାଇଛି। ଅପରେସନ “ଦମନ” ଆହୁରି ଜୋରଦାର ହେବ ବୋଲି ପୋଲିସ କହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ