ଜନଦାବିରେ ସିଭିଲ୍ ସୋସାଇଟିର ଆନ୍ଦୋଳନ ନିଷ୍ପତ୍ତି
ବାଲେଶ୍ୱର-: ବାଲେଶ୍ୱର ସହରର ପ୍ରଥମ ଉଡ଼ନ୍ତାପୋଲର ତୁରନ୍ତ ମରାମତି, ଅଚଳ ହୋଇ ପଡ଼ିଥିବା ସିଟିବସ୍ ପ୍ରଚଳନ ଓ ବିଦ୍ୟୁତ୍ ଶୁଳ୍କ ବୃଦ୍ଧିକୁ ବିରୋଧକରି ସିଭିଲ୍ ସୋସାଇଟି ତରଫରୁ ବ୍ୟାପକ ଆନ୍ଦୋଳନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଶୁକ୍ରବାର ଦିନ ସନ୍ଧ୍ୟାରେ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସାଧାରଣ ସଂପାଦକ ମନୋଜ ନାୟକ ଆଲୋଚନାର ବିଷୟବସ୍ତୁ ଆଗତ କରି ଉପରୋକ୍ତ ୩ଟି ଜନଦାବିରେ ଆନ୍ଦୋଳନ ପାଇଁ ପ୍ରସ୍ତାବ ଆଗତ କରିଥିଲେ । ଉଡ଼ନ୍ତା ପୋଲର ମରାମତି ପାଇଁ ପ୍ରାୟ ୯କୋଟି ଟଙ୍କା ମଂଜୁର ହୋଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନର ଅବହେଳାରୁ କାର୍ଯ୍ୟ ବିଳମ୍ବିତ ହେଉଛି । ଉଡ଼ନ୍ତାପୋଲ ବିପଦ ସଂକୁଳ ଅବସ୍ଥାକୁ ଚାଲିଯାଇଥିଲେ ମଧ୍ୟ ଏହାର ମରାମତି ପାଇଁ ଗୁରୁତ୍ୱ ଦିଆଯାଉନାହିଁ । ସେହିପରି ବାଲେଶ୍ୱର ସହରକୁ ୧୦ଟି ସିଟିବସ୍ ଆସିଥିଲେ ମଧ୍ୟ ଏଗୁଡ଼ିକୁ କାର୍ଯ୍ୟକ୍ଷମ କରାନଯାଇ ସ୍ଥାନୀୟ ଗାନ୍ଧିସ୍ମୃତି ଭବନ ପରିସରରେ ଅଚଳ ଅବସ୍ଥାରେ ରହିଛି । ସମଗ୍ର ରାଜ୍ୟରେ ବିଦ୍ୟୁତ୍ ସେବା ଗ୍ରାହକମାନଙ୍କୁ ନିୟମିତ ଯୋଗାଇଦେବାରେ ସରକାର ଓ ବିଦ୍ୟୁତ୍ ବିତରଣ ସଂସ୍ଥାମାନେ ଚରମ ବିଫଳ ହୋଇଥିବାବେଳେ ରାଜ୍ୟ ସରକାର ଓ ବିଦ୍ୟୁତ୍ ନିୟାମକ ସଂସ୍ଥା ବିଦ୍ୟୁତ୍ ଶୁଳ୍କ ବୃଦ୍ଧିପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ସିଭିଲ୍ ସୋସାଇଟିର ଏହି ଯୁକ୍ତିଯୁକ୍ତ ଜନଦାବିକୁ ସମର୍ଥନ କରି ସନ୍ତୋଷ କୁମାର ସାହୁ, ପ୍ରଜ୍ଞାପାରମିତା ବିଶ୍ୱାଳ, ପରମାନନ୍ଦ ପଣ୍ଡା, ମହମ୍ମଦ ସାହିରୁଲ୍ ହକ୍, ସୁଧାଂଶୁ ଶେଖର ଦାସ, ରବି କୁମାର ପାଣିଗ୍ରାହୀ, ରୋଜି ପଟ୍ଟନାୟକ, ବସନ୍ତ କୁମାର ସ, ମୋହନ ବାରିକ୍, ସୁଦର୍ଶନ ଦାସ ଓ ଗୌରାଙ୍ଗ ପାଣିଗ୍ରାହୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆସନ୍ତା ୧୪ ତାରିଖ ଅପରାହ୍ନ ୫ଟାରେ ପଢ଼ୁଆଁପଦାସ୍ଥିତ ଉଠାଜଳସେଚନ କର୍ମଚାରୀ ଭବନରେ ପରିବର୍ଦ୍ଧିତ ବୈଠକରେ ଚଳିତମାସ ଶେଷ ସପ୍ତାହରେ ବ୍ୟାପକ ଆନ୍ଦୋଳନର ନିର୍ଦ୍ଦିଷ୍ଟ ତାରିଖ ଓ କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯିବ । ଏହି ବୈଠକରେ ବାଲେଶ୍ୱରର ସମସ୍ତ ଗଣସଂଗଠନର କର୍ମକର୍ତ୍ତା ଯୋଗ ଦେବାକୁ କମିଟି ତରଫରୁ ନିବେଦନ କରାଯାଇଛି । ରମେଶ ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।