ଶ୍ରୀକ୍ଷେତ୍ରର ଅନନ୍ୟ ପରମ୍ପରା ଦୁର୍ଗାମାଧବ ଉପାସନା


ସନ୍ତୋଷ କୁମାର ଦାଶ

ପବିତ୍ର ଆଶ୍ୱିନ ମାସର ମୂଳାଷ୍ଟମୀ ତିଥି ଠାରୁ ସାରା ରାଜ୍ୟ ର ଦେବୀ ପୀଠ ମାନଙ୍କ ରେ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣ ପୂଜା। ଏହି ଷୋଳପୂଜା ସମୟରେ ଶ୍ରୀମନ୍ଦିର ର ଏକ ଅନନ୍ୟ ପରମ୍ପରା ଦୁର୍ଗାମାଧବ ଉପାସନା ଆଶ୍ୱିନ କୃଷ୍ଣ ଅଷ୍ଟମୀ ରୁ ଆରମ୍ଭ ହୋଇଥାଏ। ଏହି ସମୟରେ ଦୁର୍ଗାମାଧବ ପ୍ରଥମ ଆଠ ଦିନ ମା ବିମଳା ଙ୍କ ମନ୍ଦିର କୁ ବିଜେ କରିଥାନ୍ତି ଓ ଶେଷ ଆଠ ଦିନ ଦୋଳମଣ୍ଡପ ସାହି ସ୍ଥିତ ମା ନାରାୟଣୀ ମନ୍ଦିର କୁ ବିଜେ କରିଥାନ୍ତି। ଏହା ଶାକ୍ତ ଗୁଣ୍ଡିଚା ଯାତ୍ରା ନାମରେ ପ୍ରସିଦ୍ଧି ଲାଭ କରିଛି। ଶ୍ରୀମନ୍ଦିରରେ ସକାଳ ଧୂପ ବଢିବା ପରେ ଦୁର୍ଗାମାଧବ ବିମାନ ରେ ବିଜେ କରୁଥିବା ବେଳେ ସଂଧ୍ୟା ଧୂପ ନୀତି ବଢିବା ପରେ ପାଲିଙ୍କି ରେ ଶ୍ରୀ ମନ୍ଦିର କୁ ବାହୁଡ଼ି ଆସିଥାନ୍ତି। ଚଳିତବର୍ଷ ଦୁର୍ଗୋତ୍ସବ ସପ୍ତଦଶ ଦିନ ପଡ଼ୁଥିବାରୁ ପ୍ରଥମ ଆଠ ଦିନ ବିମଳା ମନ୍ଦିର କୁ ଏବଂ ଶେଷ ନଅ ଦିନ ବ୍ୟାପୀ ନାରାୟଣୀ ମନ୍ଦିର କୁ ବିଜେ ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ର ମେଘନାଦ ପ୍ରାଚୀରର ଦକ୍ଷିଣ-ପଶ୍ଚିମ କୋଣରେ ପ୍ରାଚୀର ଉପରେ ଦୁର୍ଗାମାଧବ ମନ୍ଦିର ରହିଛି। ଏହି ମନ୍ଦିରର ଗର୍ଭ ଗୃହର ମଧ୍ୟ ସ୍ଥଳରେ ପ୍ରସ୍ତର ନିର୍ମିତ ଏକ ସିଂହାସନ ଉପରେ ଦୁର୍ଗା-ମାଧବ ଙ୍କ ବିଗ୍ରହ ପ୍ରତିଷ୍ଠିତ। ଶାରଦୀୟ ଦୁର୍ଗାପୂଜା ସମୟରେ ଏହି ମନ୍ଦିର ରେ ନିତ୍ୟ ଚଣ୍ଡୀ ପାଠ ହେବା ସହ ବିଶେଷ ନୀତି ମାନ ଅନୁଷ୍ଠିତ ହୋଇଥାଏ।ଶ୍ରୀମନ୍ଦିରସ୍ଥ ଭୋଗମଣ୍ଡପର ଉତ୍ତର ପାର୍ଶ୍ୱରେ ଏକ ପ୍ରସ୍ତର ଖୋଦିତ ବିଗ୍ରହରେ ମାଧବ(ଶ୍ରୀଜଗନ୍ନାଥ) ଙ୍କ ସହ ଦୁର୍ଗା(ବିମଳା) ଭୈରବ ଓ ଭୈରବୀ ରୂପେ ସ୍ଥାପିତ ଓ ଆରାଧିତ ହୋଇ ଆସୁଛନ୍ତି। ଓଡ଼ିଶା ରେ ଦୁର୍ଗାମାଧବ ଉପାସନା ବହୁ ପ୍ରାଚୀନ ଓ ଉତ୍କଳୀୟ ସ°ସ୍କୃତି ସହିତ ଓତଃପ୍ରୋତ ଭାବରେ ଜଡ଼ିତ ବୋଲି ଗବେଷକ ମାନେ ମତ ପ୍ରକାଶ କରିଥାନ୍ତି। ଶ୍ରୀକ୍ଷେତ୍ରର ଶାସନ ଗ୍ରାମ ମାନଙ୍କରେ ଓ ପୂଣ୍ୟତୋୟା ପ୍ରାଚୀ ନଦୀ ର ଉପତ୍ୟକା ଅଞ୍ଚଳ ରେ ମଧ୍ୟ ଦୁର୍ଗାମାଧବ ଙ୍କ ଉପାସନା ଦେଖିବାକୁ ମିଳିଥାଏ ।

ତୁଳସୀପୁର। ପୁରୀ।
୯୪୩୯୩୬୧୮୮୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ