ଫନି ବାତ୍ୟାର ପ୍ରଭାବ ନେଇ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀରେ ସୂଚନା
ଛତ୍ରପୁର (ଯୁଗାବ୍ଦ ନ୍ୟୁଜ): ଫନି ବାତ୍ୟାର ପ୍ରଭାବକୁ ନେଇ ଆଜି ଗଂଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ବାତ୍ୟାର ପ୍ରଭାବ ମେ ୧ ତାରିଖରୁ ଅନୁଭୂତ ହେବା ସହ ୨ ତାରିଖରେ ତାହା ପୁରୀଠାରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ବାତ୍ୟା ଫନି ଦକ୍ଷିଣ ପଶ୍ଚିମ ଆଡୁ ଆସୁ ଥିବା ଯୋଗୁଁ ଏହା ପୁରୀଠାରେ ସ୍ଥଳ ଭାଗ ଛୁଇଁଲେ ମଧ୍ୟ ଗଂଜାମ ଜିଲ୍ଲା ଉପରେ ଏହାର ଯଥେଷ୍ଟ ପ୍ରଭାବ ରହିବ । ଏହାକୁ ଦୃଷ୍ଟିରେ ରଖି ଗଂଜାମ ଜିଲ୍ଲା ପ୍ରଶାସନ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛି । ଏସଂପର୍କରେ ପ୍ରଥମେ ତିତିଲି ପ୍ରଭାବିତ ଅଂଚଳର ଲୋକ ମାନଙ୍କୁ ନିରାପଦ ସ୍ଥାନକୁ ଅଗ୍ରାଧିକାର ଦେଇ ସ୍ଥାନାନ୍ତର କରାଯିବ । ତାପରେ ଉପକୂଳ ଅଂଚଳର ଲୋକଙ୍କୁ ସ୍ଥାନାନ୍ତର କରାଯିବ । ଏଥିପାଇଁ ଜିଲ୍ଲାର ୭୭ ବାତ୍ୟା/ବନ୍ୟା ଆଶ୍ରୟ ସ୍ଥଳୀ ଓ ୩୦୦ ସ୍କୁଲକୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ । ତାପରେ ମଧ୍ୟ ଦରକାର ପଡିଲେ ପ୍ରାଇଭେଟ କୋଠାକୁ ମଧ୍ୟ ଲୋକଙ୍କୁ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏହି ସମସ୍ତ ଆଶ୍ରୟସ୍ଥଳରେ ଖାଦ୍ୟ,ପାନୀୟ ଜଳ ଓ ଔଷଧର ବ୍ୟବସ୍ଥା କରାଯିବ । ୩୦ ତାରିଖଠାରୁ ଲୋକଙ୍କ ମଧ୍ୟରେ ପ୍ରଶାସନ ପକ୍ଷରୁ ମାଇକ ଯୋଗେ ପ୍ରଚାର କରି ସତର୍କ କରାଯିବ । ଯେପରି ଲେକଙ୍କର କୈ÷ାଣସୀ ଅସୁବିଧା ନହୁଏ ସେଥିପ୍ରତି ଦୃଷ୍ଟି ଦିଆଯିବ । ଆକସ୍ମିକ ଭାବେ ବାତ୍ୟାର ମୋଡ ବଦଳିଲେ ମଧ୍ୟ ତାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବା ଜିଲ୍ଲାପାଳ କହିଛନ୍ତି । ଉପରୋକ୍ତ ବାତ୍ୟା ମୁକାବିଲା ପାଇଁ ଓଡ୍ରାଫ ଟିମ,ଏନଡିଆରଏଫ ଟିମ ପ୍ରଭୃତିକୁ ସଜାଗ ରଖାଯାଇଛି । ତେବେ ବାତ୍ୟା ବେଳେ ୨୦୦-୨୫୦ କିମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଦୃଢ ପଦକ୍ଷେପ ଗ୍ରହଣ କରୁଥିବା ସୂଚନା ଦିଆଯାଇଥିଲା । ଉକ୍ତ ସମୟ ମଧ୍ୟରେ ପ୍ରସବ କରିବାକୁ ଥିବା ଗର୍ଭବତୀ ମହିଳା ମାନଙ୍କୁ ଆଶା ଓ ଅଙ୍ଗନବାର୍ଡୀ କର୍ମୀ ମାନଙ୍କ ଦ୍ୱାରା ଏବଠାରୁ ଡାକ୍ତରଖାନାରେ ଭର୍ତୀ କରିବାକୁ ସ୍ୱାସ୍ଥ୍ୟ ବିଭାଗକୁ କୁହାଯାଇଛି । ତାସହିତ ପ୍ରଶାସନର ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଲକ୍ଷ୍ମୀକାନ୍ତ ସେଠୀ, ଜିଲ୍ଲା ରାଜସ୍ୱ ଅଧିକାରୀ ଡ. ଦିବ୍ୟ ଲୋଚନ ମହନ୍ତ, ଆସିଷ୍ଟାଣ୍ଡ କଲେକ୍ଟର ଦେବରାଜ ପାତ୍ରଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।