ସର୍ବବୃହତ ୩ଡି ପ୍ରିଣ୍ଟେଡ୍‌ ଅଟ୍ଟାଳିକା

ଦୁବାଇରେ ପ୍ରସ୍ତୁତ ହୋଇଛି ବିଶ୍ୱର ସର୍ବବୃହତ ୩ଡି ପ୍ରିଣ୍ଟେଡ୍‌ ଅଟ୍ଟାଳିକା । ଦୁବାଇ ନଗର ପାଳିକା ଦ୍ୱାରା ପ୍ରସ୍ତୁତ ଦୁଇ ମହଲା ବିଶିଷ୍ଟ ୬,୯୦୦ ସ୍କ୍ୱେୟାର ଫୁଟ ପରିବ୍ୟାପ୍ତ ଏହି ଅଟ୍ଟାଳିକା ସାଧାରଣ ପ୍ରଶାସନିକ କାର୍ଯ୍ୟାଳୟ ଭାବେ ବ୍ୟବହୃତ ହେବ । ବୋଷ୍ଟନର ୩ଡି ପ୍ରିଣ୍ଟିଂ ଓ ନିର୍ମାଳ କମ୍ପାନୀ ‘ଆପିସ କୋର’ ସହଯୋଗିତାରେ ଏହାର ଡିଜାଇନ ପ୍ରସ୍ତୁତ ହୋଇଛି । ଏହା ପୂର୍ବରୁ ଚୀନରେ ଏକ ୫ ମହଲା ବିଶିଷ୍ଟ ସର୍ବୋଚ୍ଚ ୩ଡି ପ୍ରିଣ୍ଟେଡ୍‌ ଅଟ୍ଟାଳିକା ରହିଛି । ଏହାର ଉଚ୍ଚତା ୯୦ ଫୁଟ । ଅନ୍ୟ ପକ୍ଷେ ଦୁବାଇ ଅଟ୍ଟାଳିକା ସର୍ବବୃହତ୍ତ ବର୍ଗକ୍ଷେତ୍ରବିଶିଷ୍ଟ ବୋଲି ସିଙ୍ଗୁଲାରିଟି ହବ୍ ପକ୍ଷରୁ ସୂଚନା ଦିଆଯାଇଛି । ଅଟ୍ଟାଳିକାଟି ପ୍ରି-କାଷ୍ଟ ଫାଉଣ୍ଡେସନ ଉପରେ ଦଣ୍ଡାୟମାନ ହୋଇଥିଲା । ଏହା ଉପରେ ୩ଡି ପ୍ରିଣ୍ଟେଡ୍‌ ହେଲୋ କାନ୍ଥ ନିର୍ମାଣ କରାଯାଇଛି । ପୁନଃନବୀକୃତ ନିର୍ମାଣ ଅବଶେଷ, ସିମେଣ୍ଟ ଜିପସମ ଓ ଅନ୍ୟ ଯୌଗିକରେ ପ୍ରସ୍ତୁତ ଦ୍ରୁତ ଶୁଷ୍କ ହୋଇଥିବା ମିଶ୍ରଣରେ ଏହି କାନ୍ଥ ନିର୍ମିତ ହୋଇଛି । ପାରମ୍ପରିକ କଂକ୍ରିଟ ଅପେକ୍ଷା ଏହା ୩ଡି ପ୍ରିଣ୍ଟିଂ ସାମଗ୍ରୀ ହାରାହାରି ୫୦ ପ୍ରତିଶତ ହାଲୁକା ଏବଂ ଅପେକ୍ଷାକୃତ ଅଧିକ ମଜଭୁତ । ଅଳ୍ପ ଇଞ୍ଚ ବହଳ ସାମଗ୍ରୀର ଏକ ପରସ୍ତ କାନ୍ଥ ବାହ୍ୟଦେଶରେ ୩ଡି ପ୍ରିଣ୍ଟର ମାଧ୍ୟମରେ ଦିଆଯାଇଛି । ପରେ କାନ୍ଥର ପୂର୍ଣ୍ଣ ଉଚ୍ଚତା ପର୍ଯ୍ୟନ୍ତ ଧୀରେ ଧୀରେ ଉପରକୁ ଏହା ଆବୃତ କରିଛି । କାନ୍ଥ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ନିର୍ମାଣ କାର୍ଯ୍ୟରେ ଥିବା ଲୋକେ ଛାତ ଝରକା ପାଇଁ ସ୍ଥାନକୁ କାଟି ଇନସୁଲେସନ ମାଧ୍ୟମରେ କାନ୍ଥକୁ ପୂରଣ କରିଛନ୍ତି । ଅଟ୍ଟାଳିକାର ଢ଼ାଞ୍ଚା ନିର୍ମାଣ ନିମିତ୍ତ ୩ଡି ପ୍ରିଣ୍ଟରକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ପାଇଁ ନିର୍ମାତାମାନେ ଏକ ବିଶାଳ କ୍ରେନକୁ କାମରେ ଲଗାଇଛନ୍ତି । ୨୦୩୦ ବେଳକୁ ଦୁବାଇର ୨୫ ପ୍ରତିଶତ ନୂଆ ଅଟ୍ଟାଳିକା ନିର୍ମାଣ କାର୍ଯ୍ୟ ୩ଡି ପ୍ରିଣ୍ଟେଡ ଟେକ୍ନୋଲୋଜିରେ ହେବ ବୋଲି ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ