ସ୍କାଉଟ ଗାଇଡ୍ ରାଜ୍ୟ ମୁଖ୍ୟକାର୍ଯ୍ୟାଳୟରେଗାନ୍ଧିଜୀଙ୍କ ପ୍ରିୟ ଭଜନ ରାମଧୂନ
ଓଡିଶା ରାଜ୍ୟ ଭାରତ ସ୍କାଉଟ ଓ ଗାଇଡ୍ ସଂଗଠନର ମୁଖ୍ୟକାର୍ଯ୍ୟାଳୟ ପରିସରରେ ଠାରୁ ସ୍କାଉଟ ଗାଇଡ୍ ସଂଗଠନ ଓ ସ୍ୱାଧୀନତା ସଂଗ୍ରାମୀ ଉତ୍ତରାଧିକାରୀ ସଂଗଠନର ମିଳିତ ଉଦ୍ୟମରେ ଆରମ୍ଭ ହୋଇଥିବା ୧୫୦ତମ ଗାନ୍ଧି ଶତବାର୍ଷିକୀ ପାଳନର ଆଜି ଦ୍ୱିତୀୟ ଦିବସରେ ପ୍ରତ୍ୟୁଷରୁ ଯୋଗଦାନକାରୀ ସଦସ୍ୟମାନେ ଗାନ୍ଧିଜୀଙ୍କ ପ୍ରିୟ ଭଜନ ରାମଧୁନ୍ ସହ ପ୍ରଭାତ ଫେରି କରିଥିଲେ । ପୂର୍ବାହ୍ନ ୧୧ ଘଟିକା ସମୟରେ ରାଜ୍ୟ ଉତ୍ତରାଧିକାରୀ ସଂଗଠନର ସଭାପତି ତଥା ସ୍କାଉଟ ଗାଇଡ୍ ସଂଗଠନର ରାଜ୍ୟ ମୁଖ୍ୟ କମିଶନର ଡଃ କାଳିପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିଲା ଆଲୋଚନା ଚକ୍ର । ରାଜ୍ୟ ବାହାରୁ ଭିନ୍ନ ଭିନ୍ନ ରାଜ୍ୟ ସଂଗଠନରୁ ଯୋଗ ଦେଇଥିବା ପଦାଧିକାରୀମାନେ ରାଜ୍ୟ ସଂଗଠନର ଏଭଳି ଏକ ସମ୍ମିଳନୀ ଆୟୋଜନର ପ୍ରୟାସକୁ ଉଚ୍ଚ ପ୍ରଶଂସା କରିବା ସହିତ ଏହା ପରବର୍ତ୍ତୀ ବଂଶଧରମାନଙ୍କର ମନୋବଳ ବୃଦ୍ଧି କରିବାରେ ପ୍ରେରଣା ଯୋଗାଇବ ବୋଲି ଅଭିହିତ କରିଥିଲେ । ଅପରାହ୍ନ ଅଧିବେସନରେ ଅତିଥି ଭାବେ ଯୋଗଦେଇଥିଲେ ମାନ୍ୟବର ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ, ମାନ୍ୟବର ବିଧାୟକ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ପଦ୍ମଶ୍ରୀ ରଘୁନାଥ ମହାପାତ୍ର, ଶ୍ରୀ ଅଶୋକ କୁମାର ସାହୁ, ଶ୍ରୀ ସାଇରାମ ଗାନ୍ଧି, ପ୍ରଗତିବାଦୀ ସମ୍ପାଦକ ଶ୍ରୀ ବିରୁପାକ୍ଷ ତ୍ରିପାଠୀ ଓ ଶ୍ରୀ ମାନସ ମଙ୍ଗରାଜ । ଯୋଗଦାନକାରୀ ସଦସ୍ୟମାନଙ୍କୁ ଉଦ୍ବୋଧନ ଦେବାକୁ ଯାଇ ଅତିଥିମାନେ ରାଜ୍ୟ ସଂଗଠନର ଅଧ୍ୟକ୍ଷ ଡଃ କାଳିପ୍ରସାଦ ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ସମ୍ମିଳନୀ ସ୍ୱାଧୀନତା ସଂଗ୍ରାମୀ ଉତ୍ତରାଧିକାରୀମାନଙ୍କ ହୃଦୟରେ ତାଙ୍କ ପୂର୍ବଜମାନଙ୍କର ଦେଶପ୍ରେମକୁ ଉଜ୍ଜିବୀତ କରିବା ସାଙ୍ଗକୁ ଜୀବନରେ ଦେଶ ପାଇଁ କିଛି ଆଖି ଦୃଶିଆ କାର୍ଯ୍ୟ କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି ଅଭିହିତ କରିଥିଲେ । ତତ୍ ସହିତ ଅବହେଳିତ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଦାୟାଦମାନଙ୍କ ପାଇଁ ସରକାରୀ ପ୍ରୋତ୍ସାହନ ଯୋଗାଇବାରେ ନିଶ୍ଚିତ ଭାବରେ ପ୍ରଭାବ ପକାଇବ ବୋଲି ଆଶାବ୍ୟକ୍ତ କରିଥିଲେ । ସଂଗଠନର ସମସ୍ତ କର୍ମକର୍ତ୍ତା ସମ୍ମିଳିତ ଭାବେ ପୂର୍ବଜମାନଙ୍କ ସ୍ମୃତିକୁ ଆପଣାଇ ଦେଶଗଠନରେ ନିଜକୁ ଉତ୍ସର୍ଗ କରିବା ପାଇଁ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବାହାର ରାଜ୍ୟରୁ ଆସିଥିବା ପଦାଧିକାରୀମାନଙ୍କୁ ରାଜ୍ୟ ସଂଗଠନ ତରଫରୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା ।


