ଯୌତୁକ ଜୁଇରେ କଲ୍ୟାଣୀ ସ୍ୱାମୀ ଗିରଫ, ଶାଶୂଶ୍ୱଶୁର ଅଟକ
ଚିଲିକା (ଯୁଗାବ୍ଦ ନ୍ୟୁଜ୍): ଯୌତୁକ ଦାବି କରି ଶାଶୁଘର ଲୋକେ ଝିଅକୁ ଶାରୀରିକ ମାନସିକ ଯନ୍ତ୍ରଣା ଦେଇ ମାରି ଦେଇଥିବା ବାପଘର ପକ୍ଷରୁ ଟାଙ୍ଗୀ ଥାନାରେ ଅଭିଯୋଗ ହୋଇଛି । ନାଚୁଣି ନିକଟସ୍ଥ ସଲପଡ଼ିହ ଗ୍ରାମର ଦେବରାଜ ବେହେରାଙ୍କ ଝିଅ କଲ୍ୟାଣୀ ଭଲ ପାଇ ଟାଙ୍ଗୀ ଥାନା ଅଧିକ କୋଚିଲା ଗ୍ରାମର ଓକିଲ ବିଶ୍ୱାଳଙ୍କ ପୁଅ ଶୁଭଙ୍କୁ ଗତ ୨ ମାସ ତଳେ ବୈଦିକ ରୀତିରେ ବିବାହ କରିଥିଲେ । ଟାଙ୍ଗୀ ଥାନାରେ ଆଜି ମୃତା କଲ୍ୟାଣୀଙ୍କ ମାଆ ରଙ୍ଗଲତାଙ୍କ ପକ୍ଷରୁ ଦିଆଯାଇଥିବା ଏତଲା ମୁତାବକ ଗତରାତି ପ୍ରାୟ ସାଢ଼େ ୧୨ରେ ଏକ ଅଜଣା ଫୋନ୍ରେ ତାଙ୍କ ଝିଅ କଲ୍ୟାଣୀ ବିଷ ପିଇ ଦେଇ ଭୁବନେଶ୍ୱର ବିବେକାନନ୍ଦ ହସ୍ପିଟାଲରେ ଚିକିତ୍ସାଧୀନ ଥାଇ ମୃତ୍ୟୁବରଣ କରିଥିବା ଖବର ପାଇଥିଲେ । ତାଙ୍କ ଝିଅ କଲ୍ୟାଣୀକୁ ଅଧିକ ଯୌତୁକ ଦାବି କରି ପୂର୍ବରୁ ସ୍ୱାମୀ ଶୁଭ, ଶାଶୁ ଶ୍ୱଶୁର ଓ ଅନ୍ୟ ପରିବାର ସଦସ୍ୟ ଖାଇବାକୁ ନ ଦେଇ ମାର୍ପିଟ୍ କରୁଥିବାରୁ ଝିଅକୁ ସେମାନେ ମାରିଦେଇଥିବା ଅଭିଯୋଗ ହୋଇଛି । ବ୍ୟବଚ୍ଛେଦ ପରେ ଶବ ଗ୍ରାମକୁ ଫେରିବା ପରେ ଉଭୟ ଶାଶୁଘର କୋଚିଲା ଓ ବାପଘର ସଲପଡ଼ିହ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ନବବଧୂ କଲ୍ୟାଣୀର ମାଆ ରଙ୍ଗଲତାଙ୍କ ଏତଲାକୁ ଭିତ୍ତିକରି ଟାଙ୍ଗୀ ପୁଲିସ୍ ସ୍ୱର୍ଗତ ନବବଧୂର ସ୍ୱାମୀ ଶୁଭକୁ ଗିରଫ କରି ଅନୁସନ୍ଧାନ ଜାରି ରଖିବାସହ ଶ୍ୱଶୁର ଓକିଲ ବିଶ୍ୱାଳ, ଶାଶୁ ବନି ବିଶ୍ୱାଳକୁ ମଧ୍ୟ ଅଟକ ରଖିଥିବା ଖବର ମିଳିଛି ।