ଉଦ୍ଘାଟନକୁ ୮ ମାସ ବିତିଲାଣି, ପଥପାଶ୍ୱର୍ ସେବା କେନ୍ଦ୍ର କାର୍ଯ୍ୟ ସରୁନି

ଦିଗପହଣ୍ଡି : ଦିଗପହଣ୍ଡି ବ୍ରହ୍ମପୁର ମୁଖ୍ୟରାସ୍ତା ପାଶ୍ୱର୍ରେ ରହିଛି ପଥପାଶ୍ୱର୍ ସେବା କେନ୍ଦ୍ର । ଏହି କେନ୍ଦ୍ରଟି ଲୋକାର୍ପିତ ହୋଇ ୮ ମାସ ବିତିଯାଇଥିଲେ ହେଁ ଅଦ୍ୟାବିଧି ପୂର୍ଣ୍ଣାଙ୍ଗ ହୋଇ ସମ୍ପୂର୍ଣ୍ଣ ସେବା ଯୋଗାଇଦେବାରେ ବିଫଳ ହୋଇଥିବା ଆଲୋଚନା ଜୋର୍ ଧରିଛି । ଗତ ୨୦୧୮ ମସିହା ଜୁଲାଇ ୩୧ରେ ତକ୍ରାଳୀନ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଏବଂ ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ଦ୍ୱାରା ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଏହାକୁ ଲୋକାର୍ପଣ କରାଯାଇଥିଲା । ଉଦ୍ଦେଶ୍ୟ ଥିଲା ଯେ ଏହି ପଥପାଶ୍ୱର୍ ସେବା କେନ୍ଦ୍ରରେ ରାସ୍ତାରେ ଯାତାୟତ ପଥଚାରୀ ମାନଙ୍କୁ ସେବା ଯୋଗାଇଦିଆଯିବ । ପଥଚାରୀ ମାନେ ଏଠାରେ ଥିବା ରେଷ୍ଟୁରାଣ୍ଟ୍ ରୁ ଖାଦ୍ୟ ଖାଇବା ସହିତ ବିଶ୍ରାମ ନେବାର ବନ୍ଦୋବସ୍ତ କରାଯାଇଛି । ଦିଗପହଣ୍ଡି ସହର ଉପକଣ୍ଠରେ ଜାତୀୟ ରାଜପଥ ୩୨୬ ଯାଇଥିବାରୁ ଦକ୍ଷିଣ ଓଡିଶାର ସମସ୍ତ ସହରକୁ ଏହା ସଂଯୋଗ କରୁଛି । ସେହିପରି ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ ସମେତ ଛତିଶଗଡକୁ ଦିଗପହଣ୍ଡି ସହର ଦେଇ ଗମନାଗମନର ସମସ୍ତ ପ୍ରକାର ସୁବିଧା ସୁଯୋଗ ରହିଥିବାରୁ ପଥଚାରୀ ମାନଙ୍କୁ ସେବା ଯୋଗାଇଦେବା ଉଦ୍ଦେଶ୍ୟ ରଖି ଏହାର ଶୁଭାରମ୍ଭ କରାଯାଇଥିଲା । ହେଲେ ସମ୍ପୂର୍ଣ୍ଣ ନିର୍ମାଣ ଶେଷ ହୋଇନଥିବା ବେଳେ ଏହାର ଲୋକାର୍ପଣ କରିଦିଆଯାଇଥିବା ଅଭିଯୋଗ ହୋଇଛି । ପୂର୍ତ୍ତ ବିଭାଗ ଆନୁକୂଲ୍ୟରେ ୧ କୋଟି ୬୪ ଲକ୍ଷ୍ୟ ଟଙ୍କା ବ୍ୟୟ ବରାଦରେ ଏହାର ନିର୍ମାଣ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଏହାର ଉତ୍ତରୋତ୍ତର ଉନ୍ନତି ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ପ୍ରସ୍ତାବ ଗୃହୀତ ହୋଇ ଅର୍ଥ ଅନୁମୋଦନ ହୋଇଥିଲା । ସେଠାରେ ଚିତ୍ତବିନୋଦନ କେନ୍ଦ୍ର ଏକ ସ୍ଥାପନ କରିବା ସହିତ ଅନ୍ୟାନ୍ୟ କାର୍ଯ୍ୟ ସବୁ ଚାଲୁ ରହିଥିବା ଦେଖିବାକୁ ମିଳିଛି । ତେବେ ସମ୍ପୂର୍ଣ୍ଣ ପ୍ରକଳ୍ପରେ ଚିତ୍ତ ବିନୋଦନ କେନ୍ଦ୍ର ସମେତ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଅନ୍ତର୍ଭୁକ୍ତ ନଥିବା ବେଳେ କେଟୁ ଫର୍ମ ସାହାଯ୍ୟରେ ଏହାକୁ ଚଞ୍ଚକତା କରାଯାଇ ସମ୍ପୂର୍ଣ୍ଣ ପ୍ରକଳ୍ପ ମଧ୍ୟରେ ଅନ୍ୟାନ୍ୟ କାର୍ଯ୍ୟ କରାଯାଉଥିବା ନେଇ ସମାଲୋଚନା ହେଉଛି । କେଟୁ ପ୍ରକ୍ରିୟା ମାଧ୍ୟମରେ ଠିକାଦାରଙ୍କ ଜରିଆରେ ସିଧାସଳକ ଯନ୍ତ୍ରୀଙ୍କ ଠାରୁ ପାଞ୍ଚ ଲକ୍ଷ୍ୟ ଟଙ୍କା ମଧ୍ୟରେ କାର୍ଯ୍ୟାଦେଶ ପାଇ କାମ କରୁଥିବା ବେଳେ ସାଇଟ୍ରେ କୌଣସି ପ୍ରକାର ଯନ୍ତ୍ରୀ ଉପସ୍ଥିତ ରହୁନଥିବା ଅଭିଯୋଗ ହୋଇଛି । ଜଣେ ଠିକାଦାରଙ୍କ ମାଧ୍ୟରେ ପୂର୍ତ୍ତ ବିଭାଗର ସମସ୍ତ କେଟୁ କାର୍ଯ୍ୟାଦେଶ ଦିଆଯାଉଥିବା ବେଳେ ମନମୁଖୀ କାର୍ଯ୍ୟ କରାଯାଉଥିବାରୁ ପଥ ପାଶ୍ୱର୍ ସେବା କେନ୍ଦ୍ରର ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବା ନେଇ ବିଜୁ ଯୁବ ବାହିନୀ ସଭାପତି ସମୀରକାନ୍ତ ତ୍ରିପାଠୀ, ସୁମନ ସାହୁ, କାହ୍ନୁଚରଣ ବେହେରା, ଦେବାଶିଷ ପାଳ, ରିତେଶ ବେହେରା ପ୍ରମୁଖ ଅଭିଯୋଗ କରିଛନ୍ତି । ଏନେଇ ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ବାବୁଲି ଚାନ୍ଦ ଗୌଡଙ୍କୁ ପଚରାଯିବାରେ କହିଛନ୍ତି ଯେ, ସମ୍ପୂର୍ଣ୍ଣ କାର୍ଯ୍ୟ ଏକ ସମୟ ସାପେକ୍ଷ ହୋଇଥିବା ବେଳେ ଧିରେ ଧିରେ ସମସ୍ତ କାର୍ଯ୍ୟ କରାଯାଉଛି । ଖୁବ୍ ଶୀଘ୍ର ସମସ୍ତ କାର୍ଯ୍ୟ ଶେଷ ହୋଇଯିବ ବୋଲି ସେ କହିଛନ୍ତି । ଅନ୍ୟ ପକ୍ଷରେ କେବଳ ନିର୍ବାଚନ ବୈତରଣୀ ପାର ହେବା ପାଇଁ ଲୋକଙ୍କୁ ଭୁୟାଣ ବୁଲାଇବା ସକାଶେ ଏଭଳି ଏକ ଆଖି ଦୃଷ୍ଟିଆ ପ୍ରକଳ୍ପ କରାଯାଇଛି ବୋଲି ସିପିଆଇ ନେତା ତପନ ମିଶ୍ର କହିଛନ୍ତି । ବହୁ ପ୍ରତୀକ୍ଷିତ ଦିଗପହଣ୍ଡି ବସଷ୍ଟାଣ୍ଡ କାର୍ଯ୍ୟ ଶେଷ ହୋଇ ଲୋକାର୍ପଣ କରାଯାଇନଥିବା ବେଳେ ଅଧପନ୍ତରିଆ ପଥପାଶ୍ୱର୍ ସେବାକେନ୍ଦ୍ରକୁ ତରବରିଆ ଭାବେ ଲୋକାର୍ପଣ କରାଯାଇ ପରେ ସେଠାରେ ଅନ୍ୟାନ୍ୟ କାର୍ଯ୍ୟ କରିବା ତାହା କେତେ ଦୂର ଯଥାର୍ଥ ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ