ଗଭୀର ଅବପାତ କୁ ନେଇ ଗଞ୍ଜାମରେ ଆଗୁଆ ପ୍ରସ୍ତୁତି
ଛତ୍ରପୁର, (ଓ୍ବାଇଏନଏସ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଆଗାମୀ ଦିନରେ ଅଧିକ ଘନୀଭୂତ ହେବାର ପୂର୍ବାନୁମାନକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଭିଡିଓ କନଫରେନ୍ସିଂ (ଭିସି) ମାଧ୍ୟମରେ ଜିଲ୍ଲାସ୍ତରୀୟ ଅଧିକାରୀ ଓ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ବୈଠକ କରି ସମ୍ଭାବ୍ୟ ପରିସ୍ଥିତି ପାଇଁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଉତ୍ତର ଆଣ୍ଡାମାନ ସାଗର ଓ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟ ଲଘୁଚାପ ଆସନ୍ତା ୨୧ ଓ ୨୨ ସେପ୍ଟେମ୍ବରରେ ଅଧିକ ଘନୀଭୂତ ହୋଇ ଡିପ୍ରେସନ୍ କିମ୍ବା ଡିପ୍ ଡିପ୍ରେସନ୍ର ରୂପ ନେଇପାରେ। ୨୩ ସେପ୍ଟେମ୍ବର ସକାଳ ସମୟରେ ଏହା ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ପହଞ୍ଚିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଗଞ୍ଜାମ ସମେତ ଦକ୍ଷିଣ ଓଡ଼ିଶା ଉପକୂଳରେ ପବନର ବେଗ ବୃଦ୍ଧି, ପ୍ରବଳ ବର୍ଷା, ସମୁଦ୍ର ଅଶାନ୍ତ ହେବା ସହ ତଳିଆ ଅଞ୍ଚଳରେ ଜଳବନ୍ଦୀ ଭଳି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଏଥିସହ ଦୁର୍ବଳ ଓ ଅସ୍ଥାୟୀ ଗଠନ, କଚ୍ଚା ରାସ୍ତା, କୃଷି ଓ ଉଦ୍ୟାନ କୃଷି ମଧ୍ୟ ପ୍ରଭାବିତ ହୋଇପାରେ। ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଓ କାଦୁଅ ଖସିବାର ଆଶଙ୍କା ଥିବାରୁ ସମ୍ପୃକ୍ତ ବିଭାଗଗୁଡ଼ିକୁ ମଧ୍ୟ ସତର୍କ ରହିବାକୁ କୁହାଯାଇଛି। ଲଘୁଚାପର ପ୍ରଭାବକୁ ଦୃଷ୍ଟିରେ ରଖି ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀମାନଙ୍କୁ କୂଳକୁ ଫେରିଆସିବାକୁ ପରାମର୍ଶ ଦିଆଯାଇଛି। ସମସ୍ତ ମତ୍ସ୍ୟଜୀବୀ ସୁରକ୍ଷିତ ଭାବେ କୂଳକୁ ଫେରିଛନ୍ତି କି ନାହିଁ, ତାହା ଯାଞ୍ଚ କରି ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ମଧ୍ୟ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ରହିଛି। ସମ୍ଭାବ୍ୟ ପ୍ରବଳ ବର୍ଷା, ସ୍ଥାନୀୟ ବନ୍ୟା ଓ ଜଳବନ୍ଦୀ ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାର ଉଦ୍ଧାରକାରୀ ଯନ୍ତ୍ରପାତି ଓ ଆବଶ୍ୟକ ସାମଗ୍ରୀ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ ଗୁରୁତ୍ୱ ଦେଇଛନ୍ତି। ଆବଶ୍ୟକ ସ୍ଥଳେ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର, ଉଦ୍ଧାର ଓ ରିଲିଫ୍ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସେପ୍ଟେମ୍ବର ୨୧ରୁ ୨୫ ତାରିଖ ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ହେଡ୍କ୍ୱାର୍ଟର ନଛାଡ଼ିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଲୋକଙ୍କୁ ଘର ଭିତରେ କିମ୍ବା ନିରାପଦ ସ୍ଥାନରେ ରହିବା ସହ ପାଣିପାଗ ବିଭାଗ ଓ ପ୍ରଶାସନ ପକ୍ଷରୁ ଜାରି ସତର୍କ ସୂଚନା ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି। ସମ୍ଭାବ୍ୟ ବଜ୍ରପାତ କୁ ଆଖି ଆଗରେ ରଖି ଲୋକମାନଂକୁ ସୁରକ୍ଷିତ ସ୍ଥାନ ରେ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି l ପାଣିପାଗଜନିତ କୌଣସି କ୍ଷୟକ୍ଷତି ଘଟିଲେ ତୁରନ୍ତ ପ୍ରଶାସନକୁ ଅବଗତ କରିବାକୁ କୁହାଯାଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ ଓ ଦେବଦତ୍ତ ପଣ୍ଡା, ଜିଲ୍ଲା ପରିଷଦ ସିଇଓ ସମୀର କୁମାର ଜେନା, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁନୀଲ ସାଇ ଦେବାଶିଷଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଅନ୍ୟ ଅଧିକାରୀମାନେ ଭିସି ମାଧ୍ୟମରେ ବୈଠକରେ ଯୋଡ଼ି ହୋଇଥିଲେ।


