କେନ୍ଦ୍ରାପଡାରେ ନୂତନ ଜିଲ୍ଲାଜଜ କୋର୍ଟ କମ୍ପେ୍ଲକ୍ସ ଉଦଘାଟିତ
କେନ୍ଦ୍ରାପଡ଼ା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ଜିଲ୍ଲା ସଦର ମହକୁମାରେ ନବ ନିର୍ମିତ ଜିଲ୍ଲାଜଜ କୋର୍ଟ କମ୍ପେ୍ଲକ୍ସ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ଓଡିଶା ଉଚ୍ଚ ନ୍ୟାୟାଳୟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି କୁମାରୀ ସଞ୍ଜୁ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବ ନିର୍ମିତ ଜିଲ୍ଲାଜଜ କୋର୍ଟ କମ୍ପେ୍ଲକ୍ସକୁ ଫିତାକାଟି ଉଦଘାଟନ କରିଥିଲେ । ଏହି ଉପଲକ୍ଷେ ନବ ନିର୍ମିତ ଜିଲ୍ଲାଜଜକୋର୍ଟ କମ୍ପେ୍ଲକ୍ସ ପରିସରରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଜିଲ୍ଲା ଓକିଲ ସଙ୍ଘ ସଭାପତି ଧ୍ରୁବ ଚରଣ ଜେନା ଅଧ୍ୟକ୍ଷତା କରିଥିଲେ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡିଶା ଉଚ୍ଚ ନ୍ୟାୟାଳୟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି କୁମାରୀ ପଣ୍ଡା କହିଥିଲେ ଯେ ଆମର ଦାଇତ୍ୱ ହେଉଛି ବିଭିନ୍ନ ମାମଲାରେ ସଂପୃକ୍ତ ଥାଇ କୋର୍ଟରେ ନ୍ୟାୟ ପାଇବାକୁ ଅପେକ୍ଷା କରିଥିବା ଲୋକମାନଙ୍କୁ ନ୍ୟାୟ ପ୍ରଦାନ କରିବା । ଆବଶ୍ୟକ ସମୟସୀମା ମଧ୍ୟରେ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା ନିମନ୍ତେ ଓଡିଶା ଉଚ୍ଚ ନ୍ୟାୟାଳୟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି କୁମାରୀ ପଣ୍ଡା ଉପସ୍ଥିତ ସମସ୍ତ ଜଜ ଓ ଓକିଲମାନଙ୍କ ସହଯୋଗ କାମନା କରିଥିଲେ । ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଶତୃଘ୍ନ ପୂଜାହାରୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ନୂତନ ଜିଲ୍ଲାଜଜ କୋର୍ଟ ଗୃହ ଆଜି ଉଦଘାଟିତ ହୋଇଥିବା ବେଳେ ଏହି ଗୃହର ରକ୍ଷଣାବେକ୍ଷଣା ଦାୟିତ୍ୱ ସମ୍ଭାଳିବା ସହିତ ଜିଲ୍ଲା ଓକିଲ ସଙ୍ଘର ସଦସ୍ୟମାନେ ନିଜ ଘର ଭଳି ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ଓକିଲ ସଙ୍ଘର ସଭାପତି ଶ୍ରୀ ଜେନା ସ୍ୱାଗତ ଭାଷଣ ପ୍ରଦାନ ସହିତ ଏଠାରେ ଅନେକ ଗୁଡିଏ ମାମଲା ବିଚାର ପାଇଁ ପଡିରହିଥିବାରୁ ପୂର୍ବରୁ ମଞ୍ଜୁର ପାଇଥିବା ଅନ୍ୟ ଏକ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ ପଦ ପୁରଣ କରାଯିବାକୁ ଦାବି କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ତଥା କାର୍ଯ୍ୟକାରୀ ମୁଖ୍ୟ ବିଚାରପତି କୁମାରୀ ପଣ୍ଡା ଓ ସମ୍ମାନୀତ ଅତିଥି ବିଚାରପତି ଶ୍ରୀ ପୂଜାହାରୀଙ୍କୁ ଜିଲ୍ଲା ଜଜକୋର୍ଟ ପକ୍ଷରୁ ୨ଟି ଚାରା ବୃକ୍ଷ ପ୍ରଦାନ କରାଯାଇଥିବା ବେଳେ ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଫଟୋ ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା । ଜିଲ୍ଲାଦୈାରାଜଜ ବାସୁଦେବ ପଣ୍ଡା ତାଙ୍କ ଅଭିଭାଷଣରେ ଏହି ଉଦଘାଟନୀ ଉତ୍ସବର ସଫଳତା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଜିଲ୍ଲା ଓକିଲ ସଙ୍ଘ ସମ୍ପାଦକ ଦିଲ୍ଲିପ କୁମାର ସାହୁ ବୀବରଣୀ ପାଠ କରିଥିଲେ । ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ ଜରିନ ଖାନ ଉତ୍ସବକୁ ସଂଯୋଜନା କରିଥିଲେ । ବାରୁଅ ଭାବଗ୍ରାହୀ କଳାନିକେତନର କଳାକାରମାନେ ଜାତୀୟ ସଂଗୀତ ଓ ଉଦଘାଟନୀ ସଂଗୀତ ଗାନ କରିଥିଲେ । ଶେଷରେ ଅତିରିକ୍ତ ଜିଲ୍ଲାଜଜ ମୋହନରାଓ ଦୋରା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ସମର୍ଥ ବର୍ମା,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବ୍ରହ୍ମାନନ୍ଦ ଗାଗାରିନ ମହାନ୍ତି,କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡାଙ୍କ ସମେତ ସମସ୍ତ ଜୁଡିସିଆଲଜଜ, ବରିଷ୍ଠ ଆଇନଜୀବି ଭୀମସେନ ଭୂୟାଁ, ଗଗନବିହାରୀ ଜେନା, ପ୍ରଭାତ ଅଧିକାରୀ, ଦେବଦାସ ମହାନ୍ତି, ନିରଞ୍ଜନ ବଳ, ଗୋବର୍ଦ୍ଧନ ରାଉତ, ସରକାରୀ ଓକିଲ ସଞ୍ଜୟ କୁମାର ଜେନା, କୋର୍ଟ ଷ୍ଟାଫ ଓ ଓକିଲ ସଙ୍ଘର ସଦସ୍ୟମାନେ ଉପସ୍ଥିତ ଥିଲେ ।