ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ, ମେ ୨୯ରୁ ରବି ଧାନ ସଂଗ୍ରହ ଆରମ୍ଭ

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ): ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ପକ୍ଷରୁ ରବି ଧାନ କ୍ରୟ ସମ୍ପର୍କିତ ଏକ ବୈଠକ ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଖରିଫ ଧାନ ସଂଗ୍ରହ କ୍ଷେତ୍ରରେ ହୋଇଥିବା ଲକ୍ଷ୍ୟ ପୂରଣ ଏବଂ ରବି ଧାନ ସଂଗ୍ରହ ଲାଗି ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରାଯାଇଥିଲା । ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ରବି ନାରାୟଣ ପୃଷ୍ଟିଙ୍କ ସମେତ ବିଭାଗୀୟ ଅଧିକାରୀ ଓ ମିଲର୍ସମାନେ ଏଥିରେ ଯୋଗଦେଇ ରବି ଧାନ କ୍ରୟ ଲାଗି ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟ ଏବଂ ଏହାର ବିଭିନ୍ନ ପ୍ରକ୍ରିୟା ଉପରେ ସମୀକ୍ଷା କରିଥିଲେ । ଧାନ ସଂଗ୍ରହ କ୍ଷେତ୍ରରେ ଚାଷୀମାନଙ୍କ ସ୍ୱାର୍ଥରକ୍ଷା ପ୍ରତି ଦୃଷ୍ଟି ଦେବା ଏବଂ ସମସ୍ତ ପର୍ଯ୍ୟାୟରେ ସ୍ୱଚ୍ଛତା ଅବଲମ୍ବନ ପାଇଁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲ୍ଲାରେ ମୋଟ ୨ଲକ୍ଷ ୨୦ହଜାର ୫୮୮ କ୍ୱିଂଟାଲ ରବି ଧାନ ସଂଗ୍ରହ ଲାଗି ଲକ୍ଷ୍ୟ ରଖାଯାଇଥିବା ବେଳେ ସର୍ବନିମ୍ନ ସହାୟକ ମୂଲ୍ୟ ଏ ଗ୍ରେଡ୍ ଧାନ କ୍ୱିଂଟାଲ ପ୍ରତି ୧୭୭୦ ଟଙ୍କା ଏବଂ ସାଧାରଣ ଧାନ କ୍ୱିଂଟାଲ ପ୍ରତି ୧୭୫୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଏଥିଲାଗି କୃଷକମାନଙ୍କ ପଞ୍ଜୀକରଣ ସହ ସେମାନଙ୍କ ବ୍ୟାଙ୍କ ଆକାଉଂଟ ଓ ଜମିଜମା ରେକର୍ଡର ଯାଂଚ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ମେ ୨୯ ତାରିଖରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରାଯିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଥିବା ବେଳେ ଚାଷୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ସହିତ ଅଧିକ ସଂଖ୍ୟାରେ ଚାଷୀଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରିବା, ସଂଗ୍ରହ ହୋଇଥିବା ଧାନର ମିଲିଂକୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସାରି ଏହାକୁ ହସ୍ତାନ୍ତର କରିବା, ଷ୍ଟୋରେଜ୍ କ୍ଷମତାର ପୂର୍ଣ୍ଣ ଉପଯୋଗ କରିବା ଉପରେ ବୈଠକରେ ମତପ୍ରକାଶ ପାଇଥିଲା । ସେହିପରି ଧାନ କ୍ରୟ ଲାଗି ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଗାଇଡଲାଇନର ପାଳନ କରାଯିବା ସହିତ ଧାନ ସଂଗ୍ରହ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବାକୁ ଯୋଗାଣ ବିଭାଗକୁ କୁହାଯାଇଥିଲା । ବୈଠକରେ ଯୋଗାଣ ବିଭାଗ ସହିତ ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିବା ବେଳେ ଚାଷୀମାନଙ୍କ ସ୍ୱାର୍ଥକୁ ସର୍ବାଧିକ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ