ଏମ୍ସର ବହିର୍ବିଭାଗର ନୂତନ ଡାକ୍ତରମାନଙ୍କୁ ସ୍ୱାଗତ
ବାଲେଶ୍ୱର, (ସରୋଜ ପଣ୍ଡା): ଗତ ୨୦୧୭ ମସିହାରୁ ଏମ୍ସ ସାଟେଲାଇଟ୍ ସେଣ୍ଟରର ବହିର୍ବିଭାଗ ପ୍ରଥମ ପର୍ଯ୍ୟାୟରେ ସପ୍ତାହକୁ ଗୋଟିଏ ଦିନ ଓ ପରବର୍ତ୍ତୀ ସମୟରେ ସପ୍ତାହକୁ ଶୁକ୍ରବାର ଓ ଶନିବାର ମାତ୍ର ଦୁଇଦିନ ପାଇଁ କାର୍ଯ୍ୟ କରୁଥିଲା। ଏମ୍ସ ସାଟେଲାଇଟ୍ ସେଣ୍ଟରକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ଜିଲ୍ଲାବାସୀ ଦାବି କରିଆସୁଥିଲେ। ଚଳିତ ଅଗଷ୍ଟ ପହିଲା ଦିନ ବାଲେଶ୍ୱର ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ଓ ବିଭିନ୍ନ ଗଣସଂଗଠନ ପକ୍ଷରୁ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ଏମ୍ସ ସାଟେଲାଇଟ୍ ସେଣ୍ଟର ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା। ଏମ୍ସ କର୍ତ୍ତୃପକ୍ଷଙ୍କ ପ୍ରତିଶ୍ରୁତି ଅନୁଯାୟୀ ଗତ ସୋମବାର ଠାରୁ ବହିର୍ବିଭାଗର ୫ଟି ବିଭାଗ କାର୍ଯ୍ୟ ଆରମ୍ଭ କରିଛି। କେବଳ ରବିବାର ବ୍ୟତୀତ ସପ୍ତାହବ୍ୟାପୀ ଏହି ବହିର୍ବିଭାଗ କାର୍ଯ୍ୟକ୍ଷମ ରହିବ। ପର୍ଯ୍ୟାୟକ୍ରମେ ବହିର୍ବିଭାଗରେ ଅନ୍ୟ ସମସ୍ତ ବିଭାଗ କାର୍ଯ୍ୟ ଆରମ୍ଭ କରିବ ବୋଲି ଏମ୍ସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସମସ୍ତ ରୋଗର ପରୀକ୍ଷା ପାଇଁ ପାଥୋଲ୍ୟାବ୍ ଓ ଔଷଧ ଦୋକାନ ସବୁ ଯଥାଶୀଘ୍ର କାର୍ଯ୍ୟାରମ୍ଭ କରିବ। ଚଳିତ ସପ୍ତାହରେ ଅର୍ଥପେଡ଼ିକ୍, ଚର୍ମ, ପ୍ରସୂତି, ସ୍ତ୍ରୀରୋଗ ଓ ଦନ୍ତବିଭାଗ କାର୍ଯ୍ୟ ଆରମ୍ଭ କରିଛି। ଆସନ୍ତା ସପ୍ତାହମାନଙ୍କରେ ସର୍ଜରୀ, ଗାଇନିଂ, ମେଡିସିନ୍, ପେଡିଆଟ୍ରିକ୍, ଇଏନ୍ଟି, ନ୍ୟୁରୋ ଓ ସାଇକାଟିକ୍ ପ୍ରଭୃତି ବିଭାଗ କାର୍ଯ୍ୟ କରିବ। ବୁଧବାର ଦିନ ସକାଳେ ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ଓ ବିଭିନ୍ନ ଗଣସଂଗଠନର ନେତୃମଣ୍ଡଳୀ ଏମ୍ସ ବହିର୍ବିଭାଗରେ କାର୍ଯ୍ୟାରମ୍ଭ କରିଥିବା ଡାକ୍ତର, ନର୍ସ ଓ କର୍ମଚାରୀମାନଙ୍କୁ ସାକ୍ଷାତ କରି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଏମ୍ସ କର୍ତ୍ତୃପକ୍ଷ ନିଜର ପ୍ରତିଶ୍ରୁତି ରକ୍ଷା କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଏମ୍ସ୍ର ସଂପୂର୍ଣ୍ଣ ବହିର୍ବିଭାଗ ସହ ତୁରନ୍ତ ୩ଶହ ଶଯ୍ୟା ବିଶିଷ୍ଟ ସାଟେଲାଇଟ୍ ସେଣ୍ଟର ପାଇଁ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ସେମାନେ ଦାବି କରିଛନ୍ତି। ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ପକ୍ଷର୍ୁ ସଭାପତି ନିରଞ୍ଜନ ପରିଡ଼ା, ସାଧାରଣ ସଂପାଦକ ପ୍ରଦୀପ ଦାସ, ଅତିରିକ୍ତ ସାଧାରଣ ସଂପାଦକ ପ୍ରଫୁଲ୍ଲ କୁମାର ଦାସ, କୋଷାଧ୍ୟକ୍ଷ ଶ୍ୟାମସୁନ୍ଦର ଜେନା, ରେମୁଣା ଅଞ୍ଚଳ କମିଟିର ସଭାପତି ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ, କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା କମିଟି ପକ୍ଷରୁ ଗୋବିନ୍ଦ ଚନ୍ଦ୍ର ଭୋଇଙ୍କ ସମେତ ଅବସରପ୍ରାପ୍ତ ରାଜ୍ୟ କର୍ମଚାରୀ ସଂଘର ସଭାପତି ଇଂ. ବନମାଳୀ ନାୟକ, ସିଭିଲ୍ ସୋସାଇଟି ଓ ବରିଷ୍ଠ ନାଗରିକ ମଞ୍ଚର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ ଓ କବି ଡ. କାଳିପଦ ପଣ୍ଡା ପ୍ରମୁଖ ସଂଗଠନର ବହୁ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।


