ରାଷ୍ଟ୍ରୀୟ ବୈଷୟିକ ବୟନ ମିଶନ ଗଠନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ୧୪୮୦ କୋଟି ଟଙ୍କାର ବ୍ୟୟବରାଦ ସହିତ ରାଷ୍ଟ୍ରୀୟ ବୈଷୟିକ ବୟନ ମିଶନ ଗଠନ ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି । ଏହା ବୈଷୟିକ ବୟନଶିଳ୍ପ କ୍ଷେତ୍ରରେ ଭାରତକୁ ବିଶ୍ୱସ୍ତରରେ ଅଗ୍ରଣୀ ରାଷ୍ଟ୍ର ଭାବେ ପ୍ରତିଷ୍ଠିତ କରିବ ବୋଲି ଆଶା କରାଯାଉଛି । ଏହି ମିଶନର କାର୍ୟ୍ୟକାରିତା ଅବଧି ୨୦୨୦-୨୧ରୁ ୨୦୨୩-୨୪ ପର୍ୟ୍ୟନ୍ତ ୪ ବର୍ଷ ପାଇଁ ରହିବ । ବୈଷୟିକ ବୟନର ଭବିଷ୍ୟତ ଉଜ୍ଜ୍ୱଳ ଏବଂ ଏହା ବୟନର ସବୁଠୁ ସୁନ୍ଦର ଦିଗ । ଏହାକୁ ବୟନର ବିଭିନ୍ନ କ୍ଷେତ୍ର ଯେପରିକି କୃଷି, ସଡ଼କ, ରେଳପଥ, ଖେଳ ପରିଧାନ, ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ବୁଲେଟ ପ୍ରୁଫ ଜ୍ୟାକେଟ, ଫାୟାର ପ୍ରୁଫ ଜ୍ୟାକେଟ, ଉଚ୍ଚତା କ୍ଷେତ୍ର ଏବଂ ମହାକାଶ ପ୍ରୟୋଗ ସହିତ ଅନ୍ୟ କ୍ଷେତ୍ରରେ ମଧ୍ୟ ଉପଯୋଗ କରାଯାଇପାରିବ ।
ଏହି ମିଶନର ଚାରିଟି ଉପାଦାନ ରହିବ : ୧. ଗବେଷଣା, ନବୋନ୍ମେଷ ଏବଂ ବିକାଶ, ୨. ପ୍ରୋତ୍ସାହନ ଏବଂ ବଜାର ବିକାଶ, ୩. ରପ୍ତାନି ପ୍ରୋତ୍ସାହନ, ୪. ଶିକ୍ଷା, ତାଲିମ ଓ ଦକ୍ଷତା ବିକାଶ । ଏହି ମିଶନ ରଣନୈତିକ କ୍ଷେତ୍ର ସମେତ ଦେଶର ବିଭିନ୍ନ ମିଶନ କାର୍ୟ୍ୟକ୍ରମରେ ବୈଷୟିକ ବୟନର ଉପଯୋଗ ଉପରେ ଧ୍ୟାନ କେନ୍ଦ୍ରିତ କରିବ । ଏହି ମିଶନ ଅନ୍ତର୍ଗତ ଷ୍ଟାର୍ଟଅପ ଏବଂ ଭେଂଚରକୁ ପ୍ରୋତ୍ସାହନ ଦିଆଯିବ । ନବୋନ୍ମେଷ ଏବଂ ଇନକ୍ୟୁବେଟର କେନ୍ଦ୍ର ପ୍ରତିଷ୍ଠା କରାଯାଇ ଯୁବ ଇଞ୍ଜିନିୟରିଂ, ପ୍ରଯୁକ୍ତି, ବିଜ୍ଞାନ ଛାତ୍ରଛାତ୍ରୀ ଏବଂ ସ୍ନାତକଙ୍କ ମଧ୍ୟରେ ନବୋନ୍ମେଷକୁ ପ୍ରୋତ୍ସାହନ ଦିଆଯିବ । ଜୈବିକ ଅପଘଟନୀୟ ବସ୍ତ୍ର ସାମଗ୍ରୀ, ବିଶେଷ କରି କୃଷି ଟେକ୍ସଟାଇଲ, ଜିଓ ଟେକ୍ସଟାଇଲ ଏବଂ ଚିକିତ୍ସା ବସ୍ତ୍ର ବିକାଶ ଉପରେ ଧ୍ୟାନ ଦିଆଯାଇ ଗବେଷଣା କରାଯିବ । ବୈଷୟିକ ବୟନ ଲାଗି ସ୍ୱଦେଶୀ ମେସିନାରୀ ବିକାଶ କରାଯିବ । ଏହାଦ୍ୱାରା ମେକ ଇନ ଇଣ୍ଡିଆକୁ ପ୍ରୋତ୍ସାହନ ମିଳିବ ତଥା କମ ପୁଞ୍ଜି ବ୍ୟୟରେ ଉଦ୍ୟୋଗର ପ୍ରତିଦ୍ୱନ୍ଦ୍ୱିତା ସାମର୍ଥ୍ୟ ବଜାୟ ରହିବ । ସମ୍ପୃକ୍ତ କ୍ଷେତ୍ରର ଜଣେ ପ୍ରତିଷ୍ଠିତ ବିଶେଷଜ୍ଞଙ୍କ ଅଧ୍ୟକ୍ଷତାରେ ବୟନ ମନ୍ତ୍ରଣାଳୟରେ ଏକ ମିଶନ ନିର୍ଦ୍ଦେଶାଳୟ କାର୍ୟ୍ୟକ୍ଷମ ହେବ । ମିଶନ ନିର୍ଦ୍ଦେଶାଳୟ ପାଇଁ କୌଣସି ସ୍ଥାୟୀ ନିଯୁକ୍ତି ଦିଆଯିବ ନାହିଁ କିମ୍ବା କୌଣସି ଭବନର ନିର୍ମାଣ ହେବ ନାହିଁ । ଚାରି ବର୍ଷର ଅବଧି ପରେ ମିଶନକୁ ଶେଷ କରି ଦିଆଯିବ ।