ଜିଲ୍ଲାପାଳ ଶୌଚାଳୟ ସଫା କରି ଉଦାହରଣ ପାଲଟିଲେ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ବହୁ ଦିନ ଧରି ଚର୍ଚ୍ଚାରେ ରହି ଆସୁଛନ୍ତି । କେତେବେଳେ ଦୂର୍ଘଟଣାରେ ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ନିଜ ଗାଡ଼ିରେ ବସାଇ ଡ଼ାକ୍ତରଖାନାକୁ ଆଣୁଛନ୍ତି ତ କେତେବେଳେ ସାଇକେଲ ଓ ବାଇକ୍ରେ ବୁଲି ସ୍ୱଛତା ପ୍ରତି ଦୃଷ୍ଟି ଆକର୍ଶଣ କରୁଛନ୍ତି ତ କେତେବେଳେ ବିଦ୍ୟାଳୟରେ ପଶି ଶିକ୍ଷାର୍ଥୀଙ୍କୁ ଶିକ୍ଷାଦାନ କରୁଛନ୍ତି । ତେବେ ବୁଧବାର ରାତି ପ୍ରାୟ ୧୦ ଟାରେ ହିଂଜିଳିକାଟୁ ପୌରାଂଚଳକୁ ଆସି ବିଭିନ୍ନ ୱାର୍ଡ଼ ବୁଲି ସ୍ୱଛତା ପରଖିଥିଲେ । ନିର୍ମାଣଧିନ ବସ ଟର୍ମିନାଲ କାର୍ଯ୍ୟର ସମୀକ୍ଷା କରିବା ସହ ଜନତା ଶୌଚାଳୟ ବୁଲି ଦେଖିଥିଲେ । ଶୌଚାଳୟ ମଧ୍ୟରେ ସ୍ୱଛତାକୁ ଗୁରୁତ୍ୱ ଦିଆଯାଉନଥିବା ଦେଖି କ୍ଷୁବ୍ଧ ହେବା ସହ ୱାଇପର ଧରି ନିଜେ ସଫେଇ କରି ଜନସାଧାରଣଙ୍କ ସକାଶେ ଉଦାହରଣ ପାଲଟିଥିଲେ । ପରେ ପରିବା ବଜାର, ତରାତାରିଣୀ ରାସ୍ତା, ପାଟଣା ସାହି, ରେଗିଡ଼ି ସାହି ବୁଲି ସ୍ୱଛତା ପରଖିବା ସହ ବିଭିନ୍ନ ଦୋକାନ ସମ୍ମୁଖରେ ପଡ଼ି ରହିଥିବା ଅଳିଆ ଆବର୍ଜନା ସଫା କରିବାକୁ ଦୋକାନ ମାଲିକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଭିନ୍ନ ସାହି ବସ୍ତିରେ ରହିଥିବା ଡ଼୍ରେନ ଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ପରିସ୍କାର କରିବା ପାଇଁ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରେଗିଡ଼ି ସାହିରେ କାର୍ଯ୍ୟରତ ଥିବା ମହିଳା ଝାଡୁଦାର ଓ ସଫେଇ କର୍ମଚାରୀ ମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ମାସ୍କ ଓ ଜୋତା ପ୍ରଦାନ କରିବା ସକାଶେ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପୌରପରିଷଦ କାର୍ଯ୍ୟାଳୟ ନିକଟସ୍ଥ ସିମାଂଚଳ ପାଢିଙ୍କ ରାସନ୍ ଦୋକାନ ଭିତରକୁ ଯାଇ ପଲିଥିନ୍ ବିକ୍ରି କରାଯାଉଛି କି ନାହିଁ ପଚାରି ବୁଝିବା ସହ ନିଜେ ତନଖି କରିଥିଲେ । ଦୋକାନ ସମ୍ମୁଖ ଭାଗରେ ଆବର୍ଜନା ପଡ଼ିଥିବା ଦେଖି ତାଗିଦ କରିବା ସହ ୫ହଜାର ଟଙ୍କା ଜୋରିମାନା କରିଥିଲେ । ଉକ୍ତ ଜୋରିମାନା ଟଙ୍କାରେ ଡ଼ଷ୍ଟବିନ୍ କିଣି ସଂପୃକ୍ତ ଦୋକାନ ମାଲିକଙ୍କୁ ପ୍ରଦାନ କରିବାକୁ ପୌର ପରିଷଦର ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳ କୁଲାଙ୍ଗେଙ୍କ ଗ୍ରସ୍ତ ସମୟରେ ତହସିଲଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, କନିଷ୍ଠ ଯନ୍ତ୍ରୀ ମାନସ ରଂଜନ ଦାଶ, ଦିଲ୍ଲିପ କୁମାର ମିଶ୍ରଙ୍କ ସମେତ ପୌର ପରିଷଦର ବହୁ କର୍ମଚାରୀ ଉପସ୍ଥିତ ଥିଲେ ।