ପୋଷ୍ୟ ସନ୍ତାନ ଗ୍ରହଣ ଦଲିଲ୍ ପଞ୍ଜୀକରଣରେ ସବ୍-ରେଜିଷ୍ଟ୍ରାରଙ୍କ କ୍ଷମତା ସୀମିତ: ହାଇକୋର୍ଟ
କଟକ, (ଓ୍ବାଇଏନଏସ): ପୋଷ୍ୟ ସନ୍ତାନ ଗ୍ରହଣ ସମ୍ପର୍କିତ ଦଲିଲ୍ ପଞ୍ଜୀକରଣକୁ ନେଇ ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଆଇନଗତ ସ୍ପଷ୍ଟୀକରଣ ଦେଇଛନ୍ତି। ପୋଷ୍ୟ ସନ୍ତାନ ଗ୍ରହଣର ବୈଧତା କିମ୍ବା ସତ୍ୟତା ନିର୍ଣ୍ଣୟ କରିବା ସବ୍-ରେଜିଷ୍ଟ୍ରାରଙ୍କ କ୍ଷମତା ପରିସରଭୁକ୍ତ ନୁହେଁ। ରେଜିଷ୍ଟ୍ରେସନ ଆଇନ, ୧୯୦୮ ଅନୁଯାୟୀ ଦଲିଲ୍ ପଞ୍ଜୀକରଣ ସମ୍ପର୍କିତ ଆଇନଗତ ଦାୟିତ୍ୱ ପାଳନ କରିବା ହିଁ ପଞ୍ଜୀକରଣ କର୍ତ୍ତୃପକ୍ଷଙ୍କ ପ୍ରମୁଖ କାର୍ଯ୍ୟ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ଜଷ୍ଟିସ୍ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ମାମଲାର ଶୁଣାଣି କରି ବାଲେଶ୍ୱର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ (ଏଡିଏମ୍) ଏବଂ ସିମୁଳିଆ ସବ୍-ରେଜିଷ୍ଟ୍ରାରଙ୍କ ପୂର୍ବ ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଦାଖଲ କରାଯାଇଥିବା ପୋଷ୍ୟ ସନ୍ତାନ ଗ୍ରହଣ ସ୍ୱୀକୃତି ଦଲିଲ୍କୁ ଆବଶ୍ୟକ ଆଇନଗତ ସର୍ତ୍ତ ପୂରଣ ହେବା ପରେ ତିନି ଦିନ ମଧ୍ୟରେ ପଞ୍ଜୀକରଣ କରିବାକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ରାୟରେ ଆହୁରି ସ୍ପଷ୍ଟ କରିଛନ୍ତି ଯେ, କୌଣସି ପୋଷ୍ୟ ସନ୍ତାନ ଗ୍ରହଣ ସମ୍ପର୍କିତ ଦଲିଲ୍ ପଞ୍ଜୀକୃତ ହେବା ମାତ୍ରେ ସେହି ଗ୍ରହଣର ବୈଧତା ଚୂଡ଼ାନ୍ତ ଭାବେ ପ୍ରମାଣିତ ହୋଇଯାଏ ନାହିଁ। ଏହାକୁ ନେଇ ଯଦି କୌଣସି ପକ୍ଷଙ୍କର ଆପତ୍ତି କିମ୍ବା ବିବାଦ ରହିଥାଏ, ତେବେ ସେ ସିଭିଲ୍ କୋର୍ଟର ଆଶ୍ରୟ ନେଇ ଆଇନଗତ ଭାବେ ଏହାର ବୈଧତାକୁ ଚ୍ୟାଲେଞ୍ଜ କରିପାରିବେ। ତେଣୁ ପଞ୍ଜୀକରଣ ପ୍ରକ୍ରିୟାକୁ ପୋଷ୍ୟ ସନ୍ତାନ ଗ୍ରହଣର ସତ୍ୟତା ନିର୍ଦ୍ଧାରଣ ପାଇଁ ଏକ ବିଚାର ପ୍ରକ୍ରିୟାରେ ପରିଣତ କରାଯାଇପାରିବ ନାହିଁ।


