୫ ମିନିଟ୍ରେ ୫ ଲକ୍ଷ କୋଟି ହରାଇଲେ ନିବେଶକ
ମୁମ୍ବାଇ : ୫ ମିନିଟ୍ରେ ୫ ଲକ୍ଷ କୋଟିର କ୍ଷତି ସହିଛନ୍ତି ନିବେଶକ । ସେୟାର ବଜାର ସକାଳ ୯.୧୫ରେ ଖୋଲିଥିବା ବେଳେ ୫ ମିନିଟ୍ ମଧ୍ୟରେ ଉଭୟ ସେନସେକ୍ସ ଏବଂ ନିଫ୍ଟୀରେ ୩ ପ୍ରତିଶତର ହ୍ରାସ ଘଟିଥିଲା । ୫ ମିନିଟ୍ ମଧ୍ୟରେ ସେନ୍ସେକ୍ସରେ ୧୨୦୦ ପଏଣ୍ଟ ଏବଂ ନିଫ୍ଟୀ ୩୪୩ ପଏଣ୍ଟ ତଳକୁ ଖସିଥିଲା । ବଜାରରେ ନିବେଶ କରୁଥିବା ନିବେଶକ ମାନେ ଏହା ଦ୍ବାରା ୫ ଲକ୍ଷ କୋଟିର କ୍ଷତି ସହିଛନ୍ତି । ବିଗତ ୫ଟି ଟ୍ରେଡିଂ ସେଶନରେ ନିବେଶକ ମାନେ ୫ ଲକ୍ଷ କୋଟି ହରାଇଥିବା ବେଳେ ଶୁକ୍ରବାର ମାତ୍ର ୫ ମିନିଟ୍ ମଧ୍ୟରେ ନିବେଶକ ମାନେ ୫ ଲକ୍ଷ କୋଟି ହରାଇଛନ୍ତି ।
ଏହି ସମୟରେ ଟାଟା ଷ୍ଟିଲ୍ ସର୍ବାଧିକ କ୍ଷତି ସହିଛି । ଟାଟା ଷ୍ଟିଲର ଅଂଶଧନ ମୂଲ୍ୟରେ ୮ ପ୍ରତିଶତ ହ୍ରାସ ପାଇଥିବା ବେଳେ ଟେକ୍ ମହିନ୍ଦ୍ରା ଅଂଶଧନ ମୂଲ୍ୟରେ ୫ ପ୍ରତିଶତ ହ୍ରାସ ଘଟିଛି । ଅନ୍ୟମାନଙ୍କ ମଧ୍ୟରେ ବଜାଜ ଫାଇନାନ୍ସ, ଏଚ୍ସିଏଲ୍ ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଂଶଧନ ମୂଲ୍ୟରେ ମଧ୍ୟ ହ୍ରାସ ଘଟିଛି । ବଜାରର ଏହି ବିପରୀତ ଗତି ସମୟରେ କିଛି କମ୍ପାନୀର ଅଂଶଧନ ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିଛି । ଇଣ୍ଡିଆ ସିମେଣ୍ଟସ୍ର ଅଂଶଧନ ମୂଲ୍ୟରେ ସର୍ବାଧିକ ୩୫ ପ୍ରତିଶତ ଅଭିବୃଦ୍ଧି ଘଟିଛି । ଦିଓ୍ବାନ୍ ହାଉସିଂ ଫାଇନାନ୍ସ ଅଂଶଧନ ମୂଲ୍ୟରେ ୨୭ ପ୍ରତିଶତର ଅଭିବୃଦ୍ଧି ଘଟିଥିବା ବେଳେ ସୁଜ୍ଲୋନ୍ର ଅଂଶଧନ ମୂଲ୍ୟରେ ୨୫ ପ୍ରତିଶତ ଅଭିବୃଦ୍ଧି ଘଟିଛି । ଏହି ସମୟରେ ବିଦେଶୀ ଅଂଶଧନ ବିକ୍ରି ପରିମାଣ ୯୩୮୯ କୋଟିରେ ପହଞ୍ଚିଛି ।


