ମେଡିକାଲରେ ଫଳ ଓ ବସ୍ତ୍ର ବାଣ୍ଟି ମାଗିଲେ ନବ ବିବାହିତ ପୁଅ ପାଇଁ ଆଶିଷ
ଭୁବନେଶ୍ୱର (ଜୁଗାବ୍ଦ ନ୍ୟୁଜ୍): ୩.୩ : ନା ଥିଲା ଆଲୋକ ସଜ୍ଜା, ନା ଥିଲା ବାଜ ବାଜଣା ବର୍ଣ୍ଣାଢ୍ୟ ପଟୁଆର । ·କଚକ୍ୟପୂର୍ଣ୍ଣ ବିବାହ ଠାରୁ ନିଆରା ଥିଲା ଏହି ବିବାହ ଉତ୍ସବ । ନିରାଡ଼ମ୍ବର ବୈଦିକ ରୀତିରେ ଅଗ୍ନିକୁ ସାକ୍ଷୀ କରି ନିଜ ପୁଅର ବିବାହ ଉତ୍ସବ ସାରିଥିଲେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ରଗଡ଼ି ସାହିର ନାରାୟଣ ପ୍ରଧାନ । ନାରାୟଣଙ୍କ ପୁଅ ସଞ୍ଜୟ ସାବିତ୍ରୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିନା ଯୌତୁକରେ ସମ୍ପନ୍ନ ଏହି ଆଦର୍ଶ ବିବାହରେ ବନ୍ଧୁବାନ୍ଧବ, କୁଣିଆ, ମଇତ୍ର ଉପସ୍ଥିତ ରହି ନବ ଦମ୍ପତ୍ତିକୁ ଶୁଭାଶିଷ ଦେଇଥିଲେ । ପରେ ନାରାୟଣ ନିଜ ନବବିବାହିତ ପୁତ୍ର ଓ ପୁତ୍ରବଧୂଙ୍କ ମଙ୍ଗଳ ପାଇଁ ରାଜଧାନୀର କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କୁ ଫଳ ଓ ପୋଷାକ ବିତରଣ କରିଥିଲେ । ନିଜର ଜନ୍ମଦିନ ଓ ବିବାହ ବାର୍ଷିକୀକୁ ରୋଗୀଙ୍କ ଗହଣରେ ଫଳ ବାଣ୍ଟି ପାଳନ କରାଯାଉଥିବା ଦେଖିବାକୁ ମିଳୁଥିବା ବେଳେ ନବ ବିବାହିତ ଦମ୍ପତ୍ତିଙ୍କ ମଙ୍ଗଳ ପାଇଁ ମେଡ଼ିକାଲର ଆଇଡିଏଚ୍ ଭଳି ଅସହାୟ, ନିରାଶ୍ରୟ ରୋଗୀଙ୍କ ୟୁନିଟ୍ରେ ଫଳ ଓ ପୋଷାକ ବାଣ୍ଟି ନାରାୟଣ ଅସହାୟ ରୋଗୀଙ୍କ ହୃଦୟ ଜୟ କରିଛନ୍ତି । ଏହି ଅବସରରେ ବିଭାଗୀୟ ମୁଖ୍ୟ ସେବିକା ଗୁରୁବାରୀ ଜେନା, ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ, ବିଶ୍ୱକାନ୍ତ ପଣ୍ଡା, ସାମାଜିକ କର୍ମୀ ସୁଶାନ୍ତ ସାହୁ, ସନ୍ତୋଷ ନାୟକ, ପ୍ରିୟବ୍ରତ ପଣ୍ଡା, ତ୍ରିଲୋଚନ ବେଉରା, ପ୍ରଭାତ ମଲ୍ଲିକ, କବିତା ମଲ୍ଲିକ, ବିକାଶ ବେହେରା ପ୍ରମୁଖ ଏଭଳି କାମକୁ ପ୍ରଶଂସା କରିବା ସହିତ ନାରାୟଣଙ୍କ ମହତ୍ କାମରେ ସହଯୋଗ କରିଥିଲେ ।


