ତାଲାଭାଙ୍ଗି ଚୋରୀ ଉଦ୍ୟମ, ପୁଲିସର ତନାଘନା
ହାଟଡ଼ିହି :ସୋସୋ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରୁ ତାଲା ଓ ଗ୍ରୀଲ ଭାଙ୍ଗି ଲୁଟ ଉଦ୍ୟମ ହୋଇଥିବାବେଳେ ଜଣେ ପଡୋଶୀଙ୍କ ପାଟି ଶୁଣି ଚୋରମାନେ ପଳାଇବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଖବରରୁ ପ୍ରକାଶ ଯେ ସୋସୋ ଗ୍ରାମର ବସନ୍ତ କୁମାର ଦାସ ନାମକ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ ପରିଚାଳକ ଗତକାଲି ରାତିରେ ସପରିବାର ସହିତ ଆଗରପଡାକୁ ଏକ ବାହାଘର ଭୋଜିରେ ଯୋଗଦେବାକୁ ଯାଇଥିଲେ । ଏହି ସୁଯୋଗରେ ଗତକାଲି ସନ୍ଧ୍ୟାରେ କେହି ଦୁର୍ବୁତ ଗ୍ରୀଲର ତାଲା ଭାଙ୍ଗି ତାଙ୍କ ଘରେ ପସି ଘରେଥିବା ଏକ ଏଲ.ଇ.ଡିକୁ ଖୋଲାଖୋଲି କରିବାସହ ଘରେଥିବା ଅନେକ ନୁଆ ଲୁଗାପଟା ଓ ଅନ୍ୟାନ୍ୟ ସାମଗ୍ରୀକୁ ଏକାଠି କରିଥିଲେ । ସେହି ସମୟରେ ରାସ୍ତାରେ ଯାଉଥିବା ବ୍ରହ୍ମାନନ୍ଦ ସିଂ ନାମକ ଜଣେ ବ୍ୟକ୍ତି ଟର୍ଚ୍ଚ ମାରି କିଏ କିଏ ବୋଲି ଡାକ ପକାଇବାରୁ ଦୁର୍ବୁତମାନେ ଦୌଡି ପଳାଇଥିଲେ । ପାଟିଶୁଣି ଅନ୍ୟ ଲୋକମାନେ ରୁଣ୍ଡ ହୋଇଯାଇଥିଲେ । ଘର ଭିତରେ ଡାଇନିଂରେ ମଦବୋତଲ ଓ ଗ୍ଲାସ ରଖା ଯାଇଥିବା ଦେଖିବାକୁ ମିଳିଥିଲା । ଦୁର୍ବୁତମାନେ ପ୍ରଥମେ ଡାଇନିଂରେ ବସି ମଦ ପିଇଥିବା ଅନୁମାନ କରାଯାଉଛି । ତା ସହିତ ଦୁର୍ବୁତମାନେ ଘରର ତାଲା ଭାଙ୍ଗିବା ପାଇଁ ବ୍ୟବହାର କରିଥିବା ସାମଗ୍ରୀ ଓ ସାଙ୍ଗରେ ଆଣିଥିବା ବ୍ୟାଗକୁ ଛାଡି ପଳାଇଥିବା ଦେଖିବାକୁ ମିଳିଥିଲା । ଖବରପାଇ ବସନ୍ତଙ୍କ ପରିବାର ଲୋକମାନେ ଗ୍ରାମରେ ପହଞ୍ଚି ସୋସୋ ଥାନାରେ ଅଭିଯୋଗ କରିବା ପରେ ସୋସୋ ଥାନା ଏସ.ଆଇ ଶମ୍ବୁନାଥ ନାୟକ ପୁଲିସର ସନ୍ଧାନୀ କୁକୁର ଡକାଇ ତଦନ୍ତ କରୁଛନ୍ତି । ତଦନ୍ତ ସମୟରେ କୁକୁରଟି ନୁଆଗାଁର ଜଣେ ବ୍ୟକ୍ତିଙ୍କ ଘରକୁ ଯାଇ ଫେରିବା ପରେ ସ୍ଥାନୀୟ ବ୍ୟକ୍ତି ମାନେ ଏହି ଚୋରୀରେ ସଂପୃକ୍ତି ଥିବାନେଇ ଚର୍ଚ୍ଚା ଜୋର ଧରିଛି । ଏଠାରେ ସୁଚନା ଯୋଗ୍ୟ ବସନ୍ତ ଦାସଙ୍କ ଘରେ ୨୦୧୮ ମାର୍ଚ୍ଚରେ ମଧ୍ୟ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରୀ ଯାଇଥିଲା ।


