କରୋନା ଭୟ, ‘ ମେଡ଼୍ ଇନ୍ ଚାଇନା’ କୁ ନା

ହିଞ୍ଜିଳିକାଟୁ(ଯୁଗାବ୍ଦ ନ୍ୟୁଜ୍‌, ଶେଷଦେବ ସାହୁ): ପାଖେଇ ଆସୁଛି ରଙ୍ଗର ପର୍ବ ହୋଲି । ପ୍ରେମ, ସଦଭାବନା ଓ ଭାଇଚାରାର ପରମ୍ପରାକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ ଓ ଉଦ୍ଧୀପନା । ଏଥି ସକାଶେ ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳରେ ଖୋଲିଛି ରଙ୍ଗର ପସରା । ରଙ୍ଗର ପସରାରେ ରଙ୍ଗୀନ ହେଉଛି ହିଂଜିଳି ସହର । ସେପଟେ ସହରବାସୀଙ୍କ ଭିତରେ କରୋନା ଭାଇରସ୍‌ର ଭୟ । ମେଡ଼୍ ଇନ୍ ଚାଇନା ଲେଖାଯାଇଥିବା ରଙ୍ଗକୁ ନେବାକୁ ମନା କରୁଛନ୍ତି । ଚାଇନା ବଜାରରୁ ହିଂଜିଳିକାଟୁ ସହରକୁ ରଙ୍ଗ ଆସୁନଥିଲେ ମଧ୍ୟ କେତେକ ସାମଗ୍ରୀରେ ମେଡ଼୍ ଇନ୍ ଚାଇନା ଲେଖାଯାଉଥିବା ଦେଖିବାକୁ ମିଳିଛି । ଚାଇନାରେ ବର୍ତମାନ କରୋନା ଭାଇରସ୍ ସଂକ୍ରମିତ ହେଉଥିବାରୁ ସହରରେ ଚାଇନା ରଙ୍ଗବର୍ଜନ କରିଛନ୍ତି । ଚାଇନା ରଙ୍ଗକୁ ନେଇ ସୋସିଆଲ ମିଡ଼ିଆରେ ମଧ୍ୟ ବେଶ୍ ଭାଇରାଲ ହେବାରେ ଲାଗିଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଜାରକୁ ଆସିଛି ଥ୍ରୀଜି କଲର । ଏହାର ବେଶ୍ ଚାହିଦା ରହିଥିବା ନେଇ ରଙ୍ଗ ବ୍ୟବସାୟୀ ମାନେ ମତ ପ୍ରକାଶ କରିଛନ୍ତି । ସେହିଭଳି ସ୍ୱାସ୍ଥ୍ୟ ପ୍ରତି ବେଶ ସଚେତନ ଅଛନ୍ତି ସ୍ଥାନୀୟ ସହରବାସୀ । କେମିକାଲ୍ ରଙ୍ଗର ବ୍ୟବହାର ଯୋଗୁଁ ଚର୍ମରୋଗରେ ସଂକ୍ରମିତ ହେବା ଭୟ ରହିଛି । ହର୍ବାଲ ରଙ୍ଗ ବଜାରରେ ଦେଖିବାକୁ ମିଳୁଛି । ସାଧାରଣ ରଙ୍ଗ ଅପେକ୍ଷା ହର୍ବାଲ ରଙ୍ଗର ଦର ଅଧିକ ରହିଥିଲେ ମଧ୍ୟ ଏହି ରଙ୍‌ଗର ସ୍ୱତନ୍ତ୍ର ଚାହିଦା ରହିଛି । ବର୍ତମାନ ବଜାରରେ ବିଭିନ୍ନ ସୁଗନ୍ଧଯୁକ୍ତ ଅବିର ବଜାରର ବିଭିନ୍ନ ରଙ୍ଗ ଦୋକାନରେ ବିକ୍ରି କରାଯାଉଥିବା ଦେଖିବାକୁ ମିଳିଛି । ସାଧାରଣ ରଙ୍ଗର ଦର କିଲୋ ପିଛା ୩୫ ଟଙ୍କାରୁ ଆରମ୍ଭ ହୋଇ ୯୦ ଟଙ୍କା ପର୍ଯ୍ୟନ୍ତ ରହିଥିବା ବେଳେ ହର୍ବାଲ ରଙ୍ଗର ଦର କିଲୋ ପିଛା ୨୫୦ ରୁ ୪୦୦ ଟଙ୍କା ପର୍ଯ୍ୟନ୍ତ ରହିଥିବା ବ୍ୟବସାୟୀ ମାନେ କହିଛନ୍ତି । ହରବାଲ୍ ବା ଇକୋ ଫ୍ରେଣ୍ଡଲି ରଙ୍ଗ ଫୁଲ, ଚେର ବିଭିନ୍ନ ପ୍ରାକୃତିକ ଦ୍ରବ୍ୟରୁ ପ୍ରସ୍ତୁତ ହୋଇଥିବାରୁ କୌଣସି ପାଶ୍ୱର୍ ପ୍ରତିକ୍ରିୟା ଶରୀରରେ ହୋଇନଥାଏ । ଥ୍ରୀଜି କଲରର ପାଉଚ୍ ବିକ୍ରୀ ହେଉଛି । ଗୋଟିଏ ପାଉଚ୍‌ରେ ୩ଟି ରଙ୍ଗର ମିଶ୍ରଣ ରହିଛି । ଦେହରେ ଲଗାଇବା ପରେ ତିନୋଟି ରଙ୍ଗ ଦେଖାଯିବ । ବଡ଼ ମାନଙ୍କ ଥ୍ରୀଜି ଓ ସୁଗନ୍ଧଯୁକ୍ତ ହର୍ବାଲ ରଙ୍ଗ ପସନ୍ଦ ହୋଇଥିବା ବେଳେ ପିଲା ମାନେ ପିଚିକାରୀ ଖେଳନାକୁ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ପିଲାଙ୍କ ପାଇଁ ଆସିଥିବା ହୋଲି ଖେଳନା ବେଶ୍ ଚାହିଦା ରହିଛି । ଗ୍ରାହକ ଜଣେ ବଜାରକୁ ଗଲେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପାଇଯିବେ ଅନେକ ନୁଆଁ ଆକର୍ଷଣୀୟ ହୋଲି ଖେଳନା । ପିଲାଙ୍କପାଇଁ କଣ୍ଢେଇ ପିଚିକାରୀ, ପେକିଙ୍ଗ ବେଲୁନ୍‌, ୱାଟର ଗନ୍ ସମେତ ଅନ୍ୟାନ ବହୁ ଆକର୍ଷଣୀୟ ପିଚିକାରୀ ରହିଛି । ଚଳିତ ବର୍ଷ ହୋଲି ପାଇଁ କିଛି ନୁଆଁ ଆଇଟମ ବଜାରରେ ବିକ୍ରି ହେଉଥିବା ଲକ୍ଷ୍ୟ କରାଯାଇଛି । ଲାଇଟ୍‌, ଚଷମା, ଆଇପିଏଲ ପେଷ୍ଟ, ହୋଲି ଗିଫ୍ଟ୍ ପେଡ଼ି, ଥ୍ରିଡ଼ି ରେଡ଼ିୟମ୍ କଲର, ୮ଟି ରଙ୍ଗର ସ୍ନୋ ସ୍ପ୍ରେ ତଥା ମେଜିକ ସ୍ପ୍ରେ ର ଚାହିଦା ଅଧିକ ରହିଛି, ଯାହାକି ଏହା କିଛି ସମୟ ପରେ ଶରୀରରୁ ଲିଭି ଯାଇଥାଏ । ବଜାରରେ ୧୫ରୁ ଅଧିକ ରଙ୍ଗ ବେରଙ୍ଗର ଫଗୁ ବିକ୍ରୀ ହେଉଥିବା ଦେଖିବାକୁ ମିଳିଛି । ରଙ୍ଗର ପର୍ବ ହୋଲି ଆହୁରି ୬ ଦିନ ବାକି ରହିଥିବା ବେଳେ ସ୍ଥାନୀୟ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳ ଗୁଡ଼ିକର ବିଭିନ୍ନ ଦୋକାନ ବଜାରରେ ରଙ୍ଗର ପସରା ପଡ଼ିଥିବା ଦେଖିବାକୁ ମିଳିଛି । ତେବେ ଚଳିତ ବର୍ଷ ଅଧିକ ଗ୍ରୀଷ୍ମ ପ୍ରବାହ ହେଉଥିବା ଅନୁଭୂତ ହେଉଛି । ଅନ୍ୟପକ୍ଷରେ କରୋନା ଭାଇରସ୍‌କୁ ନେଇ ବିଭିନ୍ନ ଗୁଜବ ଚାଲିଥିବା ବେଳେ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ବ୍ୟବସାୟ ମାନ୍ଦା ରହିଥିବା ନେଇ ରଙ୍ଗ ବ୍ୟବସାୟୀ ମାନେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ