ନାଉଗାଁ ବ୍ଳକର ସରକାରୀ ମଦ ଦୋକାନ ଚୋରା ବେପାରୀଙ୍କୁ ଯୋଗାଉଛି ପ୍ରୋତ୍ସାହନ
ନାଉଗାଁ,:ନାଉଗାଁ ବ୍ଳକ ଛକଠାରେ ଥିବା ସରକାରୀ ମଦ ଦୋକାନ ସରକାରୀ ନିୟମକୁ ଖୋଲାଖୋଲି ଭାବେ ଉଲଘଂନ କରୁଛି । ସରକାର ଅଧିକ ରାଜସ୍ୱ ପାଇବା ଲକ୍ଷ୍ୟ ନେଇ ଗଳି କନ୍ଦିରେ ସରକାରୀ ଠିପି ଖୋଲା ଦେଶୀ ଓ ବିଦେଶୀ ମଦ ଦୋକାନ ଖୋଲୁଛନ୍ତି । କେବଳ ସେତିକି ନୁହେଁ ଗାଁ ଗହଳିରେ ବିକ୍ରି କରାଯାଉଥିବା ଚୋରା ମଦକୁ ରୋକିବା ସହିତ ହାତ ତିଆରି ଦେଶୀ ମଦ ଠାରୁ ଲୋକମାନଙ୍କୁ ଦୂରେଇ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି । ଏପରିକି ଲୋକମାନେ ସରକାରୀ ମଦ ଦୋକାନରୁ ସୁଲଭ ମୁଲ୍ୟରେ ବ୍ରାଣ୍ଡେଡ ପାନୀୟ ପାଇ ପାରିବେ । ଯାହାଦ୍ୱାରା ବିଷାକ୍ତ ମଦରୁ ଦୁରେଇ ରହିବା ସହିତ ସରକାର ଭଲ ଦି ପଇସା ରାଜସ୍ୱ ପାଇପାରିବେ । କିନ୍ତୁ ଉକ୍ତ ମଦ ଦୋକାନରେ ଗ୍ରାହକଙ୍କ ଠାରୁ ବୋତଲରେ ପ୍ରିଂଟ ଥିବା ସର୍ବାଧିକ ଖୁଚରା ରେଟ ଠାରୁ ଅଧିକ ମୂଲ୍ୟ ନେଉଥିବା ବେଳେ କାହାରିକୁ ବିଲ ଦେଉନଥିବା ଅଭିଯୋଗ ହେଉଛି । ଏହା ସହିତ ସିଧାସଳଖ ଚୋରା ବେପାରୀଙ୍କୁ ହିଁ ପ୍ରୋତ୍ସାହନ ଯୋଗାଉଛି । ଏହି ସରକାରୀ ମଦ ଦୋକାନରୁ ପେଟି ପେଟି ମଦ ରାତି ଅଧରେ ଚୋରା ବେପାରୀଙ୍କ ନିକଟରେ ପହଂଚାଉଛନ୍ତି । ଯାହାଫଳରେ ଚୋରା ବେପାରୀଙ୍କ ସଂଖ୍ୟା ହ୍ରାସ ହେବା ପରିବର୍ତେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।ଏହି ସରକାରୀ ମଦ ଦୋକାନରୁ ନାଉଗାଁବଜାର, ଗଙ୍ଗଦାହାଟ, କଂଟୁଣିଆ, ଅଲଣାହାଟ, କୋରୁଅ, ଓଷକଣା, ଅରଖକୁଦ, ମୁଣ୍ଡାଳ ଓ ପ୍ରତି ଗାଁ ଗଣ୍ଡାରେ ଥିବା ଛୋଟ ବଡ ଦୋକାନକୁ ଚୋରା ମଦ ବିକ୍ରି କରିବାରେ ପ୍ରୋତ୍ସାହନ ଯୋଗାଉଛି । ସରକାରୀ ମଦ ଦୋକାନରୁ ଚୋରା ବେପାରୀମାନେ ମଦ ନେବା ସହିତ ପୁରୀ ଜିଲ୍ଲାର ନୂଆହାଟ ଓ କୋଣାର୍କ ଆଡୁ ହାତ ତିଆରି ଦେଶୀ ମଦ କମ ଦାମରେ ଆଣି ଲୋକମାନଙ୍କୁ ଚଢା ଦରରେ ବିକ୍ରି କରୁଛନ୍ତି । ବିଭାଗୀୟ ଅଧିକାରୀମାନେ ଉକ୍ତ ବିଷୟ ଜାଣି ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଏପରିକି ଲୋକ ଦେଖାଣିଆ କେତେକ ଚୋରା ବେପାରୀଙ୍କୁ ଧରି ନେଇ ଅଧା ବାଟରେ ମୋଟା ଅଙ୍କର ଉତ୍କୋଚ ନେଇ ଛାଡି ଦେଇଥିବା ନଜିର ମଧ୍ୟ ରହିଛି । ସରକାର ଯେଉଁ ଲକ୍ଷ୍ୟ ନେଇ ବ୍ଳକଛକ ଠାରେ ମଦ ଦୋକାନ ଖୋଲିଛନ୍ତି ତାହା କେବଳ ଚୋରା ବେପାରୀଙ୍କୁ ସୁହାଉଥିବା ଚର୍ଚ୍ଚା ହେଉଛି । ଉକ୍ତ ମଦ ଦୋକାନ କେଉଁ ସ୍ଥାନରେ ରହିବା କଥା ସ୍ଥାନ ଚିହ୍ନଟ କରାନଯିବା କିମ୍ବା ସରକାରୀ ନିୟମକୁ ଠିକ ଭାବେ ପାଳନ କରାଯାଉଛିକି ନାହିଁ ସେଥିପ୍ରତି ଅବକାରୀ ବିଭାଗର ଅଧିକାରୀ କେହି ଦୃଷ୍ଟି ଦେଉନାହାନ୍ତି । ଯାହାଫଳରେ ମଦ ଦୋକାନ ମନଇଚ୍ଛା ସରକାରୀ ନିୟମକୁ ଖୋଲାଖୋଲି ଭାବେ ଉଲଘଂନ କରୁଛନ୍ତି । ଉକ୍ତ ସ୍ଥାନଟି ଏକ ସମ୍ବେଦନଶୀଳ ସ୍ଥାନ ହୋଇଥିବାରୁ ଛୋଟ ଛୋଟ ପିଲା ବିଦ୍ୟାଳୟକୁ ଆସୁଥିବା ବେଳେ ଏହି ବାଟଦେଇ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନେ ମଧ୍ୟ ଯାଉଛନ୍ତି । ଯାହାକି ସେମାନଙ୍କ ଉପରେ କୁପ୍ରଭାବ ପଡୁଥିବା ଆଲୋଚନା ହେଉଛି । ସରକାରି ନିୟମ ଅନୁସାରେ ମଦ ଦୋକାନ କିମ୍ବା କୌଣସି ନିଶାଜାତ ଦ୍ରବ୍ୟ ଦୋକାନ ସରକାରୀ କାର୍ଯ୍ୟାଳୟ,ବିଦ୍ୟାଳୟ, ଧର୍ମାନୁଷ୍ଠାନ,ବସଷ୍ଟାଣ୍ଡ କିମ୍ବା କୈାଣସି ସମ୍ବେଦନଶୀଳ ସ୍ଥାନ ନିକଟବର୍ତି ରହିବା କଥା ନୁହେଁ । କିନ୍ତୁ ଉକ୍ତ ବ୍ଳକରେ ଯେଉଁ ସ୍ଥାନରେ ମଦ ଦୋକାନ ରହିଛି ତାର ମାତ୍ର ୫୦ ମିଟର ଦୂରରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ବିଦ୍ୟାଳୟ ମଧ୍ୟ ରହିଛି । ଏଥିପ୍ରତି ଅବକାରୀ ବିଭାଗର ଦୃଷ୍ଟିନାହିଁ । ଉକ୍ତ ସ୍ଥାନ ଗୁଡିକରେ ମଦ ଦୋକାନ ଖୋଲାକୁ ନେଇ ଆନ୍ଦୋଳନ, ଧାରଣା ଓ ବିରୋଧ ଜୋରଦାର ହେଉଥିଲେ ମଧ୍ୟ ସାଧାରଣ ଲୋକଙ୍କ କଥାକୁ ପ୍ରଶାସନ କିମ୍ବା ଅବକାରୀ ବିଭାଗ ଗୁରୁତ୍ୱ ଦେଉନାହିଁ । ଏ ବିଷୟରେ ଅବକାରୀ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନଥିଲା ।